ଧରା ପଡ଼ିଲେ ୨ ନକଲି ପରୀକ୍ଷାର୍ଥୀ, ରାଜସ୍ଥାନରୁ ଭଡ଼ାରେ ଆସିଥିଲେ
ଖସିଗଲେ ୫, ୧୦ ହଜାର ନେଇଥାନ୍ତେ, ଦଲାଲ୍କୁ ଖୋଜୁଛି ପୁଲିସ
ଭୁବନେଶ୍ବର : ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଭଲ ସ୍କୋର କରିବାକୁ ରାଜସ୍ଥାନରୁ ଭଡ଼ାରେ ଆସିଥିଲେ ପରୀକ୍ଷାର୍ଥୀ। ଓଡ଼ିଶାର ଛାତ୍ରଙ୍କ ନାମରେ ଦେଉଥିଲେ ପରୀକ୍ଷା। ପରୀକ୍ଷାର୍ଥୀଙ୍କ ନାଁ ନିର୍ଭୁଲ୍ ଲେଖିବା ପାଇଁ ସାରା ରାତି ହୋଟେଲ ପରିସରରେ ଟ୍ରେନିଂ ନେଲେ। ହେଲେ ଲେଖୁଲେଖୁ ଭୁଲ୍ ଲେଖିଦେଲେ। ନିଜ ନାମକୁ ଭୁଲ ଲେଖିବାକୁ ନେଇ ସନ୍ଦେହ ହେବାରୁ ହେଲା ଧରପଗଡ଼। ଧରାପଡ଼ିଲେ ୨ ନକଲି ପରୀକ୍ଷାର୍ଥୀ। ଜଣକୁ ବରଗଡ଼ ଥାନା ପୁଲିସ ଧରିଥିବା ବେଳେ ଅନ୍ୟଜଣଙ୍କୁ ଖଣ୍ଡଗିରି ଥାନା ଗିରଫ କରିଛି। ତେବେ ଏଭଳି ଆଉ ୫ଜଣ ନକଲି ପରୀକ୍ଷାର୍ଥୀ ସଫଳତାର ସହ ଅନ୍ୟ ଛାତ୍ରଙ୍କ ପାଇଁ ପରୀକ୍ଷା ଦେଇ ଖସି ଯାଇଛନ୍ତି। ଅପରପକ୍ଷେ ଏହି ଗିରଫଦାରୀ ପରେ ଏମାନଙ୍କୁ ଆଣିଥିବା ଦଲାଲ ଫେରାର୍ ହୋଇଯାଇଛି। ଖସି ଯାଇଥିବା ଛାତ୍ରଙ୍କ ସହ ଦଲାଲକୁ ପୁଲିସ ଖୋଜୁଛି। ଯେଉଁ ହୋଟେଲରେ ଏମାନଙ୍କୁ ରଖାଯାଇଥିଲା, ତାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବଡ଼ଗଡ଼ ଥାନା ପୁଲିସ ଗିରଫ କରିଥିବା ଛାତ୍ରଜଣଙ୍କ ନାବାଳକ ହୋଇଥିବାରୁ ତାଙ୍କୁ ଜୁଭେନାଇଲ୍ ହୋମ୍କୁ ସ୍ଥାନାନ୍ତର କରାଯିବାକୁ ଯୋଜନା ହୋଇଥିବା ପୁଲିସ କହିଛି। ସେହିଭଳି ଖଣ୍ଡଗିରି ଥାନା ପୁଲିସ ଗିରଫ କରିଥିବା ଛାତ୍ର ହେଉଛନ୍ତି ଦିଲ୍ଲୀର ଆଦର୍ଶ ଚୌଧୁରୀ। ବରମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର କେନ୍ଦ୍ରରେ ସେ ପରୀକ୍ଷା ଦେଉଥିଲେ। ତାଙ୍କର ଆଡ୍ମିଟ୍ କାର୍ଡ ଯାଞ୍ଚ ହେବା ବେଳେ ସେ ଧରା ପଡ଼ିଥିଲେ। ଇନ୍ଭିଜିଲେଟର୍ ଧରିବା ପରେ ଖଣ୍ଡଗିରି ଥାନାକୁ ଖବର ଦେଇଥିଲେ। ଖଣ୍ଡଗିରି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଅନୁରୂପ ଢଙ୍ଗରେ ତାଙ୍କୁ ଦଲାଲ ଆଣିଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରେ ଦଲାଲ ଛାତ୍ରଙ୍କ ପିଛା ୫୦ହଜାରରୁ ଏକ ଲକ୍ଷ ଟଙ୍କା ଆଦାୟ କରି ଏହି ନକଲି ପରୀକ୍ଷାର୍ଥୀଙ୍କୁ ୧୦ ହଜାର ଦେଉଥିବା ଜଣାପଡ଼ିଛି। ଖୋଳତାଡ଼ ଆରମ୍ଭ ହେବାରୁ ଦଲାଲଙ୍କ ସମେତ କେତେକ ଅଭିଭାବକ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।
ସୂଚନା ମୁତାବକ, ଆଜି ଓୟୁଏଟି(ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ)ରେ ନାମ ଲେଖାଇବା ପାଇଁ ଭୁବନେଶ୍ବରର ୧୬ଟି କେନ୍ଦ୍ରରେ ପରୀକ୍ଷା ଚାଲିଥିଲା। ବଡ଼ଗଡ଼ ଥାନା ଅଧୀନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦ୍ରରେ ଚାଲିଥିବା ପରୀକ୍ଷାରେ ଏଭଳି ଏକ ଅଘଟଣ ଘଟିଥିଲା। ଓଡ଼ିଶାର ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେଉଥିବା ନକଲି ପରୀକ୍ଷାର୍ଥୀ ପରୀକ୍ଷା ଖାତାରେ ନାମ ଓ ଅନ୍ୟାନ୍ୟ ସୂଚନା ପୂରଣ କରିବା ବେଳେ ଭୁଲ କରି ଦେଇଥିଲେ। ପରୀକ୍ଷାର୍ଥୀ ନିଜ ନାମ ଭୁଲ କରୁଥିବାରୁ ସେଠାରେ ଥିବା ଇନ୍ଭିଜିଲେଟରଙ୍କର ସନ୍ଦେହ ହୋଇଥିଲା। ଏଣୁ ସେ ଖୋଳତାଡ଼ କରିଥିଲେ। ଅଧିକ ପଚରାଉଚରା କରିବା ବେଳେ ପରୀକ୍ଷାର୍ଥୀ କୌଣସି ସୂଚନା ଦେଇପାରିନଥିଲେ। ଏହାପରେ ସେ ନକଲି ବୋଲି ଜଣାପଡ଼ିଥିଲା। ଅଧିକ ପଚରାଉଚରା ପରେ ଏହା ପଛରେ ଥିବା ଏକ ବଡ଼ ରୢାକେଟ ସମ୍ବନ୍ଧରେ ଜଣାପଡ଼ିଥିଲା। ଏମାନଙ୍କୁ ଜଣେ ଦଲାଲ ନେଇ ଆସିଥିଲା। ପରୀକ୍ଷା ଦେଇ ଫେରିଲେ ୧୦ହଜାର ଟଙ୍କା ଦିଆଯିବ। ଗତକାଲି ଅପରାହ୍ଣରୁ ସେମାନଙ୍କୁ ଆଣି ଏଠାରେ ଏକ ହୋଟେଲରେ ରଖାଯାଇଥିଲା। ସେଠାରେ ଯେଉଁ ପରୀକ୍ଷାର୍ଥୀଙ୍କ ପାଇଁ ସେ ପରୀକ୍ଷା ଦେବ, ତା’ ସମ୍ବନ୍ଧରେ ସମସ୍ତ ସୂଚନା ପ୍ରଦାନ କରାଯାଇଥିଲା। ପୂର୍ବାହ୍ନ ୧୦ଟା ୩୦ରେ ପରୀକ୍ଷା ଥିଲା। ଏଣୁ ସାଢ଼େ ୯ଟା ବେଳେ ଓଲା ଜରିଆରେ କାର୍ ବୁକ୍ କରି ନକଲି ପରୀକ୍ଷାର୍ଥୀମାନଙ୍କୁ ନିଆଯାଇଥିଲା। ଏମାନେ ରାଜସ୍ଥାନର ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ବେଶ୍ ଭଲ ନମ୍ବର ରଖି ପାସ୍ କରିଥିଲେ। ଏମାନଙ୍କୁ ଦଲାଲ ଟାର୍ଗେଟ କରିଥିଲେ। ଏଠାରେ ଯେଉଁମାନେ ଓୟୁଏଟିରେ ନାମ ଲେଖାଇବାକୁ ଚାହାନ୍ତି, କିନ୍ତୁ ପ୍ରବେଶିକା ପରୀକ୍ଷାରେ ଭଲ ନ କରିବା ଆଶଙ୍କା କରୁଥାନ୍ତି, ସେମାନଙ୍କଠାରୁ ମୋଟା ଅଙ୍କରେ ଅର୍ଥ ସଂଗ୍ରହ କରନ୍ତି। ସେମାନଙ୍କ ଜାଗାରେ ଏହି ନକଲି ପରୀକ୍ଷାର୍ଥୀଙ୍କୁ ସୁଯୋଗ ଦେଇ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ସୁଯୋଗ ସୃଷ୍ଟି କରନ୍ତି। ବର୍ଷ ବର୍ଷ ଧରି ଦଲାଲ ଏଭଳି କାମ ଚଳାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।
ଖସି ଯାଇଥିବା ଅନ୍ୟଛାତ୍ର ଓ ଦଲାଲକୁ ଖୋଜା ଚାଲିଛି। ଯେଉଁ ହୋଟେଲରେ ଏହି ନକଲି ପରୀକ୍ଷାର୍ଥୀ ରହୁଥିଲେ ସେ ହୋଟେଲକୁ ମଧ୍ୟ ଖୋଜା ଚାଲିଛି। ଛାତ୍ରଜଣକ ନାବାଳକ ହୋଇଥିବା ବେଳେ ରାଜସ୍ଥାନର ହୋଇଥିବାରୁ ଏହି ହୋଟେଲ ସମ୍ବନ୍ଧରେ ମଧ୍ୟ ସୂଚନା ଦେଇ ପାରୁନାହିଁ। ଏଣୁ ପୁଲିସକୁ ସମସ୍ୟା ହୋଇଛି। ଠିକ୍ ସେହିଭଳି ଖଣ୍ଡଗିରି ଥାନାରେ ଧରାପଡ଼ିଥିବା ଆଦର୍ଶଙ୍କୁ ମଧ୍ୟ ଅନ୍ୟ ଜଣେ ଦଲାଲ ଆଣି ଏକ ହୋଟେଲରେ ରଖିଥିଲା। ଏହି ପରୀକ୍ଷାର୍ଥୀ ଧରାପଡ଼ିବା ପରେ ତନାଘନା ହୋଇଛି। ଏହା ପଛରେ କେଉଁମାନେ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।