ଖଣ୍ଡଗିରି: ଗତ ୧୬ ତାରିଖ ସନ୍ଧ୍ୟାରେ ଭରତପୁରରେ ଜଣେ ବ୍ୟକ୍ତି ଦେହରେ କିରାସିନି ଢ଼ାଳି ପୋଡ଼ି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କର ଏଭଳି ଚରମ ପଦକ୍ଷେପ ପଛର କାରଣ ସେତେବେଳେ ସ୍ପଷ୍ଟ ହୋଇନଥିଲା। କିନ୍ତୁ ଆଜି ସେ ସୁସ୍ଥ ହୋଇ କଟକ ବଡ଼ ମେଡିକାଲରୁ ଫେରିବା ପରେ ସବୁକଥା ସ୍ପଷ୍ଟ କରିଛନ୍ତି। ଖଣ୍ଡଗିରି ଥାନାରେ ସେ ଏକ ସଂଗିନ୍ ଅଭିଯୋଗ କରିଛନ୍ତି। ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଯୁବକର ପରିବାର ଲୋକେ ପାଲଟା ତାଙ୍କୁ ଧମକ ଦେବା ସହ ତାଙ୍କ ଝିଅର ଚରିତ୍ରକୁ ନେଇ କଟୁ କଥା କହିଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ଉକ୍ତ ଦୁଷ୍କର୍ମକାରୀ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଗତ ୧୬ ତାରିଖ ଦିନ ସେ ଓ ତାଙ୍କ ସ୍ତ୍ରୀ ନାବାଳିକା ଝିଅ(ସପ୍ତମ ଶ୍ରେଣୀର ଛାତ୍ରୀ)କୁ ଘରେ ଏକାକୀ ଛାଡ଼ି କାମ କରିବାକୁ ଯାଇଥିଲେ। ସନ୍ଧ୍ୟାରେ ଘରକୁ ଫେରିବା ପରେ ତାଙ୍କ ଝିଅ ଦ୍ୱିପହରେ ଘଟିଥିବା ଅଘଟଣ ବାବଦରେ କହିଥିଲା। ତାଙ୍କ ସାହିର ଜଣେ ପିଣ୍ଟୁ ନାମକ ଜଣେ ଯୁବକ ଦ୍ୱିପହରେ ଘରେ ପଶି ନାବାଳିକାକୁ ଦୁଷ୍କର୍ମ କରି ଚାଲି ଯାଇଥିଲା। ଏକଥା ଶୁଣିବା ପରେ ନାବାଳିକାର ବାପା ପିଣ୍ଟୁ ବାପାମାଙ୍କୁ ପଚାରିବାକୁ ଯାଇଥିଲେ। କିନ୍ତୁ ସେମାନେ ଧମକ ଦେବା ସହ ତାଙ୍କ ଝିଅର ଚରିତ୍ରକୁ ନେଇ କଟୁ କଥା କହିଥିଲେ। ବିଚରା ଦିନ ମଜୁରିଆ ବାପାଟି ଏଭଳି ଅଘଟଣକୁ ବରଦାସ୍ତ କରି ପାରି ରାଗରେ ନିଜ ଦେହରେ କିରାସିନି ଢ଼ାଳି ନିଅାଁ ଲଗାଇ ଦେଇଥିଲେ। ସୌଭାଗ୍ୟକୁ ସେ ବଞ୍ଚି ଯାଇଛନ୍ତି। ଆଜି ସେ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଧରି ଥାନାରେ ପହଞ୍ଚିଥିଲେ ଓ ପିଣ୍ଟୁ ପରିବାର ଲୋକଙ୍କ ନାଁରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଗ୍ରହଣ କରି ଘଟଣା ପଛରେ କେତେ ସତ୍ୟତା ରହିଛି ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ସେହି ସାହିର ଲୋକମାନଙ୍କୁ ପୁଲିସ ପଚରାଉଚରା କରିଥିବା ଜଣାପଡ଼ିଛି। ତେବେ ଆବଶ୍ୟକ ପଡ଼ିଲେ ମେଡିକାଲ ଯାଞ୍ଚ ପର୍ଯ୍ୟନ୍ତ କଥା ଯାଇପାରେ ବୋଲି ପୁଲିସ ସୂଚନା ଦେଇଛି। ନାବାଳିକା ଜଣଙ୍କ ମଧ୍ୟ ତାକୁ ପିଣ୍ଟୁ ଦୁଷ୍କର୍ମ କରିଛି ବୋଲି ଦାବି କରିଛି।