ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: କ୍ୟାପିଟାଲ ହସ୍ପିଟାଲକୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଣ ଉପରେ ଗୁରୁତ୍ବ

ଭୁବନେଶ୍ବର: ବହିର୍ବିଭାଗରେ ରୋଗୀଙ୍କ ସଂଖ୍ୟା ଦୃଷ୍ଟିରୁ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ପରେ କ୍ୟାପିଟାଲ ହସ୍ପିଟାଲ ହେଉଛି ଦ୍ବିତୀୟ। ଏଠାକୁ ଦିନକୁ ପ୍ରାୟ ସାଢ଼େ ୩ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଏ ଦୃଷ୍ଟିରୁ କ୍ୟାପିଟାଲ ହସ୍ପିଟାଲର ସଂପ୍ରସାରଣ ଓ ଉନ୍ନତିକରଣ ଜରୁରୀ ହୋଇପଡ଼ିଛି। ତେଣୁ ହସ୍ପିଟାଲର କୋଠା ସଂପ୍ରସାରଣ ସହିତ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଣ ପାଇଁ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ନିକଟରେ ହୃଦରୋଗ କେୟାର ୟୁନିଟ୍‌ ଉଦ୍‌ଘାଟନ ହୋଇଛି। ଆଗାମୀ ଦିନରେ ଏହାକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ତେବେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ କିଭଳି ଉନ୍ନତମାନର ଚିକିତ୍ସା ମିଳିପାରିବ ତାହା ଉପରେ ବିଶେଷଭାବେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ, ଡିଏମ୍‌ଇଟି ପ୍ରଫେସର ଡା. ସି.ବି.କେ ମହାନ୍ତି, ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡା. ପି.କେ ଦାସ ଓ କ୍ୟାପିଟାଲ ହସ୍ପିଟାଲର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର