ଡାକ୍ତର ଦମ୍ପତି ହତ୍ୟା ମାମଲାର ଶୁଣାଣି ଆରମ୍ଭ

ଭୁବନେଶ୍ୱ : ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାର ବହୁ ଚର୍ଚିତ ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ଘଟଣାକୁ ଦୁଇ ସପ୍ତାହ ପରେ ଦୁଇ ବର୍ଷ ପୂରିବ। ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବାକୁ କମିସନରେଟ ପୁଲିସ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ମାମଲାର ପରିଚାଳନା ପାଇଁ କିଛି ଦିନ ତଳେ ଜଣେ ସ୍ୱତନ୍ତ୍ର ପିପି ଭାବେ ବରିଷ୍ଠ ଆଇନଜୀବୀ ସୁନୀଲ ପତିଙ୍କୁ କମିସନରେଟ୍‌ ପୁଲିସ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ପିପି ଭାବେ ଶ୍ରୀ ପତି ଯୋଗ ଦେବା ପରେ ମାମଲାର ଶୁଣାଣି ତ୍ୱରିତ ବେଗରେ ଚାଲିଛି। ଖୁବ କମ ଦିନ ଭିତରେ ୮ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇ ସାରିଲାଣି। ଖୁବ୍‌ ଶୀଘ୍ର ଅନ୍ୟ ୩୮ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯିବ। ଏଥିରେ ତଦନ୍ତକାରୀ ଅଫିସର, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଓ ଡାକ୍ତର ଦମ୍ପତିଙ୍କ ସମ୍ପର୍କୀୟ ଆଦି ରହିଥିବା ଜଣାପଡ଼ିଛି।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଡାକ୍ତର ଦମ୍ପତି ପ୍ରଫୁଲ୍ଲ ମିଶ୍ର ଓ ସୁଷମା ମିଶ୍ର ହତ୍ୟା ମାମଲା ଘଟଣା ଏକ ବୀଭତ୍ସ ହତ୍ୟାକାଣ୍ଡ ଥିଲା। ଲୁଟ ପାଇଁ ଦୁଇ ଜଣ ବରିଷ୍ଠ ନାଗରିକଙ୍କୁ ହତ୍ୟା କରାଯାଇଥିଲା। ତେଣୁ ଏହି ଘଟଣାକୁ କମିସନରେଟ୍‌ ପୁଲିସ ଗୁରତ୍ୱର ସହିତ ନେଇ ଜଣେ ସ୍ୱତନ୍ତ୍ର ପିପିଙ୍କୁ ମାମଲା ପରିଚାଳନା କରିବାକୁ ରାଜ୍ୟ ସରକାରଙ୍କୁ ଚିଠି କରିଥିଲା। ରାଜ୍ୟ ସରକାର ମଧ୍ୟ ଏହି ଆବେଦନ ଗ୍ରହଣ କରି ଜଣେ ସ୍ୱତନ୍ତ୍ର ପିପିଙ୍କୁ ଏହି ମାମଲାର ପରିଚାଳନା କରିବାକୁ ନିଯୁକ୍ତି ଦେଇଛନ୍ତି।

ଏଠାରେ ପ୍ରକାଶ ଥାଉକି, ୨୦୧୫ ମସିହା ନଭେମ୍ବର ମାସ ୧୪ ତାରିଖରେ ଶୈଳଶ୍ରୀବିହାରରେ ଡାକ୍ତର ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା। ଡାକ୍ତର ଦମ୍ପତିଙ୍କ ଚାକରାଣୀ ଭାବେ କାମ କରୁଥିବା ନିନି ହିଁ ଥିଲା ହତ୍ୟାକାଣ୍ଡର ମୁଖ୍ୟ ଖଳନାୟିକା। ନିନିର ଅନ୍ୟ ସହଯୋଗୀ ତଥା ଗଞ୍ଜାମ ଜିଲ୍ଲା ଗୋସାଣୀ ନୂଆଗାଁର କିଶୋର ଚନ୍ଦ୍ର ବେହେରା ଓରଫ୍‌ ଟିମ୍ପା(୪୪), କେନ୍ଦ୍ରାପଡ଼ା ଜିଲ୍ଳା ଆଳି ଥାନା ରସୁଲପୁର ବସ୍ତିର ମହମ୍ମଦ କମାଲ ଖାନ୍‌ ଓରଫ୍‌ ମୁନା(୨୨), କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳର ଟିକିନା ବେହେରା ଏବଂ ଯବାନ ନାୟକ ପ୍ରମୁଖଙ୍କୁ ଗିରଫ କରିଥିଲା।

ପୁଲିସ ଏମାନଙ୍କ ନିକଟରୁ ୨ ହଜାର ଟଙ୍କା, ୪ଟି ମୋବାଇଲ୍‌ ଫୋନ, କିଛି ସୁନାଗହଣା, ଚାପଡ଼ ଆଦି ଜବତ କରିଥିଲା। ସମସ୍ତେ ନୂଆପଲ୍ଲୀ ଥାନା ଗାନ୍ଧୀ ମାର୍କେଟ୍‌ ତି୍ରନାଥ ବସ୍ତିରେ ରହନ୍ତି। ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ହତ୍ୟାକାରୀ କେଉଁମାନେ ବୋଲି ପୁଲିସ ଜାଣି ସାରିଥିଲେ ମଧ୍ୟ ସେମାନେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁ ନ ଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବାରେ ବିଳମ୍ବ ହୋଇଥିଲେ। ଶେଷରେ ସ୍ପେସାଲ୍‌ ସ୍କ୍ଵାଡ୍‌ର ୫ଟି ଟିମ୍‌ ବିଭିନ୍ନ ସମୟରେ କେନ୍ଦ୍ରାପଡ଼ା, ଫୁଲବାଣୀ ଓ ବ୍ରହ୍ମପୁରରେ ଚଢ଼ଉ କରି ସେମାନଙ୍କୁ ଧରିଥିଲା।

ଅଭିଯୁକ୍ତମାନେ ଗିରଫ ହେବା ପରେ ଡକାୟତି ପାଇଁ ହିଁ ଡାକ୍ତର ଦମ୍ପତିଙ୍କୁ ହତ୍ୟା କରିଥିଲେ ବୋଲି ସ୍ପଷ୍ଟ ହୋଇଥିଲା। ହତ୍ୟାକାଣ୍ଡ ଭିଆଇବା ପରେ ସେମାନେ ଡାକ୍ତର ଦମ୍ପତିଙ୍କ ଘରୁ ନଗଦ ୨୪ ହଜାର ଟଙ୍କା, ଗୋଟିଏ ସୁନାଚେନ୍‌, ୬ଟି ସୁନା ବାଲା, ଗୋଟିଏ ହାର, ମୁଦି ଓ କାନଫୁଲ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର