ଇଗ୍ନୋର ସମାବର୍ତନ ଉତ୍ସବ, ୧୩୧ ପାଠ୍ୟକ୍ରମରେ ୬୫୭୯ ଜଣଙ୍କୁ ଡିଗ୍ରି

ଚନ୍ଦ୍ରଶେଖରପୁର : ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ର ୩୨ତମ ସମାବର୍ତନ ଉତ୍ସବ ଆଜି ପାଳିତ ହୋଇଛି। ଉତ୍ସବରେ ୧୩୧ଟି ପାଠ୍ୟକ୍ରମରେ ୬୫୭୯ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଛି। ଓଡ଼ିଶା ଆଞ୍ଚଳିକ ଶାଖା ଅନ୍ତର୍ଗତ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସୁଶ୍ରୀ ପ୍ରଜ୍ଞା ପାରମିତା ଆଚାର୍ଯ୍ୟଙ୍କୁ ଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ ମିଳିଛି।

ସମାରୋହରେ କଟକର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କୁଳପତି ଡ. ଶ୍ରୀକ୍ରିଷ୍ଣ ଦେବରାଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ଭଲ ମଣିଷ ତିଆରି କରିବା। ସମାଜର ହିତ ସାଧନ କରିବା। ଶିକ୍ଷା ଦ୍ୱାରା ବ୍ୟକ୍ତି ଅନ୍ତର୍ନିହିତ ଗୁଣାବଳୀର ଅନ୍ବେଷଣ ଓ ବିକାଶ ସାଧନ କରିବା ପାଇଁ ସକ୍ଷମ ହେବା ଆବଶ୍ୟକ ବୋଲି ଡ. ଦେବରାଓ କହିଥିଲେ। ବରିଷ୍ଠ ପୁଲିସ ଅଧିକାରୀ ଡ. ସୁଧାଂଶୁ ଷଡଙ୍ଗୀ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ କହିଲେ ସାମ୍ପ୍ରତିକ ପରିସ୍ଥିତିରେ କେବଳ ଶିକ୍ଷା ଦ୍ୱାରା ହିଁ ପରିବର୍ତନ ସମ୍ଭବ। ଏଲ୍‌ କେ ଦେବତା ଉତ୍ସବ ପରିଚାଳନା କରିଥିବା ବେଳେ ଇଗ୍ନୋ ଭୁବନେଶ୍ୱର ଶାଖା ନିର୍ଦ୍ଦେଶକ ଡ. ମନୋଜ କୁମାର ଦାସଙ୍କ ତତ୍ୱାବଧାନରେ ଏହି ଉତ୍ସବ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର