ଦକ୍ଷତାର ଶୀର୍ଷରେ ପହଞ୍ଚିବା ହିଁ ସଫଳତା: କୌଟିଲ୍ୟ

ଗୁଗୁଲ ବୟ ତଥା ବିସ୍ମୟ ବାଳକ କୌଟିଲ୍ୟ ପ୍ରଥମ ଥର ପାଇଁ ଭୁବନେଶ୍ୱର ଆସିଛନ୍ତି। ଅର୍ଥନୀତି ହେଉ କି ରାଜନୀତି, ଭାରତବର୍ଷର କଥା ହେଉ କି ବିଦେଶ, ସମସ୍ତ ପ୍ରଶ୍ନର ବିଚକ୍ଷଣ ଉତ୍ତର ପାଇଁ ସେ ଚର୍ଚିତ। ମାତ୍ର ୯ ବର୍ଷ ବୟସରେ ଏଭଳି ଜ୍ଞାନର ଅଧିକାରୀଙ୍କ ମସ୍ତିଷ୍କକୁ ମଧ୍ୟ ଯାଞ୍ଚ କରାଯାଇଛି। ସମସ୍ତଙ୍କଠାରୁ ଭିନ୍ନ ଏହି ବିସ୍ମୟ ବାଳକଙ୍କ ସହ ଅଳ୍ପ କଥାବାର୍ତା…
କେମିତି ଏତେ କଥା ମନେ ରଖିପାରୁଛ?
ମନେ ରଖିବା ଦକ୍ଷତା ସମସ୍ତ ଶିଶୁଙ୍କର ଅଛି। କେବଳ ଟପିକ୍‌କୁ ହଜମ୍‌ କରିବାର ଅଛି। ଯଦି ଆମେ ବିଷୟବସ୍ତୁକୁ ଥରେ ବୁଝି ଯାଉଛେ ତେବେ ତାହା ଆମର ମୃତ୍ୟୁ ପର୍ଯ୍ୟନ୍ତ ମନେ ରହିବ। ଆମେ ଯେ ପର୍ଯ୍ୟନ୍ତ କନ୍‌ସେପ୍ଟ କ୍ଲିୟର କରିପାରିନେ ସେ ପର୍ଯ୍ୟନ୍ତ ଆମେ ମନେ ରଖିପାରିବେ ନାହିଁ। ଆମେ ଯାହାକୁ ହଜମ୍‌ କରୁନାହିଁ କିମ୍ବା ହୃଦୟଙ୍ଗମ କରୁନାହୁଁ ତାହାକୁ ଆମେ ମନେ ରଖିପାରୁ ନାହୁଁ।
ଖେଳକୁଦ ବୟସରେ ଏଭଳି କ୍ଷେତ୍ରକୁ କିଭଳି ବାଛିଲେ?
ଏ ସବୁ ପାଇଁ ମୋର ପରିବାର ମୋତେ ଆଗକୁ ନେଇଛନ୍ତି। ଖେଳକୁଦରେ ଅଧିକ ଶକ୍ତି ଆବଶ୍ୟକ ହୋଇଥାଏ। କିନ୍ତୁ ଶିକ୍ଷା ଗ୍ରହଣରେ କମ୍‌ ଶକ୍ତି ଆବଶ୍ୟକ ପଡ଼ିଥାଏ। ଆଇନ ଷ୍ଟାଇନ୍‌ ୫ରୁ ୯ ପ୍ରତିଶତ ମସ୍ତିଷ୍କ ବ୍ୟବହାର କରିଥିଲେ। ଆମେ କେତେ ପ୍ରତିଶତ ମସ୍ତିଷ୍କ ବ୍ୟବହାର କରୁଛେ ତାହା ଆପଣ ଅନୁମାନ କରିପାରୁଥିବେ। ତେନ୍ଦୁଲକର ଜଣେ ଭଲ ପ୍ରତିଷ୍ଠିତ ପ୍ରଫେସର ହୋଇ ପାରି ନଥାନ୍ତେ କିମ୍ବା ଇଞ୍ଜିନିୟର ହୋଇପାରି ନଥାନ୍ତେ। କ୍ରିକେଟ୍‌ରେ ବିଶ୍ୱବିଦିତ ହେଲେ। ଯେଉଁମାନେ ପ୍ରତିଷ୍ଠିତ ହୋଇଛନ୍ତି କେବଳ ତାଙ୍କ ପାଖରେ ଥିବା ନିର୍ଦିଷ୍ଟ ଦକ୍ଷତାକୁ ଉଚିତ୍‌ ମାର୍ଗରେ ବ୍ୟବହାର କରିଛନ୍ତି। ଯେତେବେଳେ ମୋ ପାଖରେ ଭଲ ମନେ ରଖିବା ଶକ୍ତି ଥିବା ମୋ ପରିବାର ବର୍ଗ ଜାଣିବାକୁ ପାଇଛନ୍ତି ସେମାନେ ତାକୁ ଏକ୍ସରସାଇଜ୍‌ କରିବା ପାଇଁ ଚାହିଁଛନ୍ତି। ଆଉ ମୁଁ ମନେ ରଖି ରଖି ଚାଲିଛି।
ସଫଳତାର ସଂଜ୍ଞା କଣ?
ଦକ୍ଷତାର ଶୀର୍ଷରେ ପହଞ୍ଚିବା ହିଁ ସଫଳତା। ଆମ ପାଖରେ ଯେଉଁ ଦକ୍ଷତା ରହିଛି ତାହାର ଶୀର୍ଷରେ ପହଞ୍ଚିଲେ ତାହା ସଫଳତା। ବେଳେ ବେଳେ ଆମ ପାଖରେ ଦକ୍ଷତା ଥିଲେ ମଧ୍ୟ ଆମେ ଚେଷ୍ଟା କରୁନାହୁଁ। ଆମକୁ କେଉଁଠି ନା କେଉଁଠି ଅଟକାଇ ଦିଆଯାଉଛି। କର୍ମକ୍ଷେତ୍ରରେ ଦକ୍ଷତାର ଶତ ପ୍ରତିଶତ ପ୍ରତିଫଳନ ହେବା ଜରୁରୀ।
ବଡ଼ ହେଲେ କଣ ହେବାକୁ ଚାହିଁବେ?
ବଡ଼ ହେଲେ ସ୍ପେସ୍‌ ବୈଜ୍ଞାନିକ ହେବାକୁ ଚାହିଁବି । ନୂଆ ଥିଓରି ନୂଆ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଚାହିଁବି। ପରବର୍ତୀ ପିଢ଼ି ପାଇଁ କିଛି କରିଯିବାକୁ ଚାହିଛି। ସ୍ପେସ୍‌ ହେଉଛି ସବୁଠାରୁ ବଡ଼ ରହସ୍ୟ; ଏକ ଅସୀମ କ୍ଷେତ୍ର। ଏହି ବିଷୟର ଖୁବ୍‌ କମ୍‌ ଆମେ ଜାଣିଛେ। ଅନେକ କିଛି ଜାଣିବାକୁ ଅଛି। ଏଣୁ ବୈଜ୍ଞାନିକ ଭାବରେ ବିଶ୍ୱକୁ ଅନେକ କିଛି ଦେଇ ଯିବାକୁ ଇଚ୍ଛା ରହିଛି।
କୁନି କୁନି ପିଲାଙ୍କୁ କ’ଣ କହିବେ?
ଶିଶୁମାନଙ୍କର ପ୍ରଥମରୁ ବିକାଶ ପାଇଁ ଯୋଜନା କରିବା ଜରୁରୀ। ଯେତେବେଳେ ଶିଶୁର ଏକ ନିର୍ଦିଷ୍ଟ କ୍ଷେତ୍ରରେ ଆଗ୍ରହ ଥିବା ପରିପ୍ରକାଶ ହେବ, ସେତେବେଳେ ସେହି କ୍ଷେତ୍ରକୁ ତାକୁ ନେବା ଜରୁରୀ। ପାଠକୁ ବୁଝିବା ଭଳି ପଢ଼ାଇଲେ କୌଣସି ପାଠ କଷ୍ଟ ନୁହେଁ। ଆମେ ଶିଶୁମାନଙ୍କ ପାଇଁ ସବୁ ସହଜ କରିଦେବା ଜରୁରୀ। ଅନେକ ସମୟରେ ଆମେ ପାଠ ପଢ଼ାଇବା ପୂର୍ବରୁ ଏହା କଷ୍ଟ ପାଠ ବୋଲି କହିଥାଉ। କେବଳ ପାଠ ନୁହେଁ ଅନେକ ବିଷୟରେ ଆମକ୍‌ ଯାହା କଷ୍ଟ ଲାଗିଥାଏ ତାହା ସମସ୍ତଙ୍କ ପାଇଁ କଷ୍ଟ ବୋଲି ଘୋଷଣା କରିଥାଉ। ଯାହାର କୁ ପ୍ରଭାବ ଶିଶୁଙ୍କ ଉପରେ ପଡ଼ିଥାଏ।
ସାକ୍ଷାତକାର: ବିବୁଧ ମହାନ୍ତି

ସମ୍ବନ୍ଧିତ ଖବର