ଓଡ଼ିଆ ସାହିତ୍ୟରେ ହାସ୍ୟରସର ଅଭାବ ରହିଛି: ଜଗନ୍ନାଥ ପ୍ରସାଦ ଦାସ

ଭୁବନେଶ୍ବର: ‘ଶିକ୍ଷା ସନ୍ଧାନ’ ପକ୍ଷରୁ ଆୟୋଜିତ ସରସ୍ବତୀ ସମ୍ମାନପ୍ରାପ୍ତ ବିଶିଷ୍ଟ ଲେଖକ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ସହ ଏକ ଅନ୍ତରଙ୍ଗ ଆଲୋଚନାଚକ୍ର ଗତ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଗନେଇ ଡକ୍ଟର ଦାସ କହିଥିଲେ ଯେ, ଓଡ଼ିଆ ସାହିତ୍ୟରେ ହାସ୍ୟରସର ଅଭାବ ଦିନକୁ ଦିନ ଅଧିକ ପରିଲକ୍ଷିତ ହେଉଛି। ସଂପ୍ରତି ହାସ୍ୟରସ ନାମରେ ଅଧିକାଂଶ କ୍ଷେତ୍ରରେ ନିମ୍ନରୁଚି ବା ବୀଭତ୍ସ ରସର ପରିବେଷଣ ହେଉଛି, ଯାହାର ସାହିତ୍ୟିକ ମୂଲ୍ୟ ନେଇ ସନ୍ଦେହ ରହିଛି। ସେହିପରି ମଧ୍ୟଯୁଗୀୟ କବିମାନେ ଶବ୍ଦ ଓ ଅର୍ଥକୁ ନେଇ ଯେଉଁ ପ୍ରକାର ଅର୍ଥଦ୍ୟୋତକ ଖେଳ ଖେଳିପାରୁଥିଲେ ବର୍ତମାନ ତାହା ଦୁର୍ଲଭ। ପୂର୍ବସୂରୀମାନେ ସଂସ୍କୃତ ଭାଷା ଓ ଓଡ଼ିଶାର ଶବ୍ଦ ପ୍ରାଚୁର୍ଯ୍ୟ ସହ ଭଲ ଭାବେ ପରିଚିତ ଥିବାରୁ ସେମାନଙ୍କର ଏହି ଧରଣର ସାମର୍ଥ୍ୟ ଥିଲା। ଏହି ଆଲୋଚନାଚକ୍ରରେ ଭାଗ ନେଇ ବିଶିଷ୍ଟ ଲେଖକ ବିକ୍ରମ ଦାସ ଏବଂ ନୃତତ୍ତ୍ବବିତ୍‌ କିଶୋର କୁମାର ବାସା କହିଥିଲେ, ହାସ୍ୟରସର ଅଭାବ ଲାଗି ଓଡ଼ିଶାର ସାମାଜିକ ଜୀବନଚର୍ଯ୍ୟା ମଧ୍ୟ ଦାୟୀ। ଡକ୍ଟର ବସନ୍ତ କୁମାର ପଣ୍ଡା କହିଥିଲେ, ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା। ସଂସ୍କୃତ ଉପରେ ଏହା ନିର୍ଭରଶୀଳ ନୁହେଁ। କବି ଓ ଲେଖକମାନେ ଶବ୍ଦ ବ୍ୟବହାର ନକଲେ ଆମ ଶବ୍ଦ ଭଣ୍ଡାର ଦରିଦ୍ର ହୋଇଯିବ। ଏହି ଆସରରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସହ ପ୍ରଫେସର ଯତୀନ ନାୟକ, ନିଖିଳମୋହନ ପଟ୍ଟନାୟକ, ଗୁରୁଚରଣ ବେହେରା, ଯୁଗଳ ମିଶ୍ର, ପ୍ରଶାସକ ଅରବିନ୍ଦ ବେହେରା, ଅଧ୍ୟାପକ ଅସୀମ ପାଢ଼ୀ, ଗୌରହରି ଦାସ, ଗବେଷକ ଅନିଲ କୁମାର ଧୀର୍‌, ବିମଳ ପ୍ରସାଦ ପ୍ରମୁଖ ବହୁ ଲେଖକ ଓ ସାହିତ୍ୟ ଅନୁରାଗୀ ଯୋଗ ଦେଇଥିଲେ। କବି ସଂଗ୍ରାମ ଜେନା ଏହି ଆସରରେ ଅଧ୍ୟକ୍ଷତା କରିଥିଲେ।

ସମ୍ବନ୍ଧିତ ଖବର