ବୈଶାଖୀ ମହୋତ୍ସବ: ପ୍ରେକ୍ଷାଳୟରେ ଘୋଷଯାତ୍ରାର ଭ୍ରମ

ଭୁବନେଶ୍ବର: ଓଡ଼ିଶୀ ଓ ଗୋଟିପୁଅ ନୃତ୍ୟର ଅପୂର୍ବ ଭାବଭଙ୍ଗୀରେ ଆବାହନ ହେଉଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଘଣ୍ଟ ଓ ମର୍ଦଳର ଧ୍ବନି ଭକ୍ତି ଭାବର ପରିବେଶ ସୃଷ୍ଟି କରୁଥିଲା। ଜୟ ଜଗନ୍ନାଥ… ଧ୍ବନିରେ ପ୍ରକମ୍ପିତ ହେଉଥିଲା ରବୀନ୍ଦ୍ର ମଣ୍ଡପ ପରିସର। ସୃଷ୍ଟି ହୋଇଥିଲା ଘୋଷଯାତ୍ରାର ଭ୍ରମ। ଲକ୍ଷ ଲକ୍ଷ ଲୋକଙ୍କ ଗହଣରେ ଘୋଷଯାତ୍ରାକୁ ଆଖି ପୂରେଇ ଦେଖିପାରୁ ନଥିବା ଭକ୍ତ ଆଜି ଏଭଳି ଦୃଶ୍ୟ ଦେଖି ମହାପ୍ରଭୁଙ୍କୁ କୋଟି କୋଟି ଧନ୍ୟବାଦ ଜଣାଉଥିଲେ। ଅବସର ଥିଲା ‘ଚିନ୍ତା ଓ ଚେତନା’ ପକ୍ଷରୁ ଆୟୋଜିତ ଓଡ଼ିଆ ନବବର୍ଷର ଅନନ୍ୟ ମହୋତ୍ସବ ‘୪୦ତମ ବୈଶାଖୀ ମହୋତ୍ସବ’। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଶ୍ରୀ ଲାଲ୍‌ କହିଲେ, ଭାରତୀୟ ପାରମ୍ପରିକ ପର୍ବପର୍ବାଣି ଲୋକମାନଙ୍କୁ ସାମାଜିକ, ସାଂସ୍କୃତିକ, ଆବେଗିକ ଓ ଆଧ୍ୟାତ୍ମିକସ୍ତରରେ ଯୋଡ଼ି ରଖିଛି। ସବୁ ପର୍ବପର୍ବାଣିର ସ୍ବତନ୍ତ୍ର ମହତ୍ତ୍ବ ଓ ଗୁରୁତ୍ବ ରହିଛି। ଓଡ଼ିଶ‌ାରେ ମଧ୍ୟ ଏଭଳି ଅନେକ ପର୍ବପର୍ବାଣି ପାଳିତ ହୁଏ। ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ କରିଥିବାରୁ ଏହି ଭୂଖଣ୍ଡର ବିଶେଷ ଗୁରୁତ୍ବ ରହିଛି। ସମଗ୍ର ବ୍ରହ୍ମାଣ୍ଡରେ ଏଭଳି କିଛି ନାହିଁ ଯାହାକି ଓଡ଼ିଶାରେ ନାହିଁ। ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟପାଳ କହିଲେ, ଯେଉଁମାନେ ଆମମାନଙ୍କୁ ଅନ୍ନ ଯୋଗାଉଛନ୍ତି ସେମାନେ ଆମର ଚିର ନମସ୍ୟ। ସେମାନେ ହେଲେ ଚାଷୀ ଓ ଆଦିବାସୀ। ଯେତେସବୁ ପର୍ବପର୍ବାଣି ହେଉଛି ସେ ମଧ୍ୟରୁ ଅଧିକାଂଶ ହେଉଛି କୃଷିଭିତ୍ତିକ। ଏଣୁ ଚାଷୀ ଓ ଆଦିବାସୀଙ୍କ ମାନବ ସମାଜକୁ ଅବଦାନକୁ ସମ୍ମାନର ସହ ଗ୍ରହଣ କରିବା ସହିତ ସେମାନଙ୍କୁ ସମ୍ମାନିତ କରାଯିବା ଉଚିତ। କାର୍ଯ୍ୟକ୍ରମରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା ବାଲାଜୀ ଓ ‘ଚିନ୍ତା ଓ ଚେତନା’ର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀକାନ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ପୁଲ୍‌ୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ପୁଅ ପ୍ରସନ୍ନ କୁମାର ସାହୁ ଓ ସହିଦ ମନୋଜ କୁମାର ବେହେରାଙ୍କ ପରିବାରକୁ ‘ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏଥିସହ ନିଜ କର୍ତ୍ତବ୍ୟନିଷ୍ଠା ଓ ବୀରତ୍ବ ପାଇଁ ବହୁ ପୁଲିସ ଅଧିକାରୀଙ୍କ ସହ ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ବ ପ୍ରତିପା‌ଦିତ କରିଥିବା ୨୪ ଜଣ ବ୍ୟକ୍ତିତ୍ବଙ୍କୁ ମଧ୍ୟ ‘ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବାସ୍ତୁବିତ୍‌ ପ୍ରଦୀପ କୁମାର ଚୌଧୁରୀଙ୍କ ରଚିତ ପୁସ୍ତକ ‘ସଦ୍‌ଗୁରୁ ଶ୍ରୀ ଶିରିଡ଼ି ସାଇବାବା ପୂଜା ଉପାସନା’ ପୁସ୍ତକ ଲୋକାର୍ପିତ ହୋଇଛି। ଶେଷରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ‘ଚିନ୍ତା ଓ ଚେତନା’ର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ସହଦେବ ସାହୁ ଓ ରାଷ୍ଟ୍ରୀୟ ମହାସଚିବ ସୁରେନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା ‌କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର