କାୟା ଫେସନ୍‌ ସୋ’ ରୢାମ୍ପ୍‌ରେ ଚାଲିଲେ ନେତା, ଅଭିନେତା

ଚନ୍ଦ୍ରଶେଖରପୁର: ଆଖି ଝଲସିଲା ପରି ଆଲୁଅରେ ରୢାମ୍ପ ୱାକ୍‌। ପାଦ ସହ ପାଦ ପକାଇ ରୢାମ୍ପରେ ଚାଲୁଥିଲେ ‌ନେତା, ଅଭିନେତା, ମଡେଲ୍‌, ସମାଜସେବୀ। କାହାଠାରୁ କେହି କମ୍‌ ନଥିଲେ। ଜଣଙ୍କୁ ବଳି ଯାଉଥିଲା ଅନ୍ୟଜଣଙ୍କ ଚାଲି। ଏଭଳି ଏକ ପରିବେଶ ମଧ୍ୟରେ ଆଜି ହୋଟେଲ ମେ’ ଫେୟାରଠାରେ ଅନୁଷ୍ଠିତ ହୋଇଛି କାୟା ଫେସନ୍‌ ସୋ’ର ତୃତୀୟ ସ˚ସ୍କରଣ। ପରିଚୟ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି ଫେସନ୍‌ ସୋ’ରେ ସାମିଲ ହୋଇ ରୢାମ୍ପ ୱାକ୍‌ କରିଥିଲେ ହକି ତାରକା ଦିଲ୍ଲୀପ ତିର୍କି। ତାଙ୍କ ସହିତ ରାଜ୍ୟର କିଛି ହକି ପ୍ରତିଭା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ଶ୍ରୀ ତିର୍କି କହିଥିଲେ ଏହା ଏକ ସୁନ୍ଦର ପ୍ରୟାସ। ଆଗକୁ ହକି ବିଶ୍ବକପ୍‌ ଅନୁଷ୍ଠିତ ହେବାକୁ ଥିବାରୁ ତା’ପୂର୍ବରୁ ଏଭଳି କାର୍ଯ୍ୟକ୍ରମ ହକି ଖେଳାଳି ଓ ହକିପ୍ରେମୀଙ୍କୁ ଅଧିକ ଉତ୍ସାହିତ କରିବ। ରୢାମ୍ପ ୱାକ୍‌ରେ ସେଲିବ୍ରେଟି ଯୋଡ଼ି ଅନୁଭବ-ବର୍ଷା ମଧ୍ୟ ସାମିଲ ହୋଇଥିଲେ। ଏମାନଙ୍କ ବ୍ୟତୀତ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ୨୦୧୭-୧୮ର ମିଷ୍ଟ୍ରେସ୍‌‌ ଇଣ୍ତିଆ ୱାର୍ଲ୍ଡୱାଇଡ୍‌ ରିଙ୍କି ସରିତା ପଟ୍ଟନାୟକ, ପୋଷାକ ଡିଜାଇନର ରାମୌଲି, ୱାର୍ଲ୍ଡ ଜୁନିୟର ମଡେଲ ଇଣ୍ଟରନ୍ୟାସନାଲ ଶତଭିସା ଦାସ, ଇପାରୀ ଶିବମ୍‌, ପିଜିଏଲ୍‌ ଗ୍ରୁପର କମଲ୍‌ ଏସ୍‌‌ ଅଗ୍ରୱାଲ, ପ୍ରୀଥା ଅଗ୍ରୱାଲ, ଇଣ୍ତିଆନ୍‌‌ ଆଇଡଲ୍‌‌ ଫ୍ରେମ୍‌‌ ଅମୃତା ଭାରତୀ ପଣ୍ତା, ଅନୁରାଗ ପଣ୍ତା, ପ୍ରିଲ୍ୟୁଡ୍‌ ନିର୍ଦ୍ଦେଶକ ସତ୍ୟବ୍ରତ ସାନୁ ରଥ, ସୋନିଆ ରଥ, ଫେସନ୍‌ ବ୍ଲଗର୍‌ ଲୁମା ରଥ ଓ ଲିସା ରଥ ପ୍ରମୁଖ ଭାଗ ନେଇଥିଲେ। ଓଲିଉଡ୍‌ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ସଙ୍ଗୀତ ପରିବେଷଣ କରିଥିଲେ। ପରିଚୟ ଫାଉଣ୍ତେସନ୍‌‌ର ପ୍ରତିଷ୍ଠାତା ରୋଜାଲିନ୍‌‌ ପାଟ୍ଟଶାଣୀ ମିଶ୍ର କହିଛନ୍ତି ଯେ ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠ ଛାଡ଼ିଥିବା ଓ ପଢ଼ିବା ପାଇଁ ଇଚ୍ଛୁକ ଝିଅମାନଙ୍କ ଶିକ୍ଷା ପାଇଁ ଆମେ ପାଣ୍ଠି ସ˚ଗ୍ରହ କରିପାରିଛୁ। ଆଗରୁ ୬୦ ଜଣଙ୍କ ଦାୟିତ୍ବ ନେବା ସହିତ ଦୁଇଟି ବ୍ୟାଚ୍‌ରେ ତାଲିମ ଦେଇ ଏନ୍‌ଆଇଓଏସ୍‌ ଅଧୀନରେ ମାଟ୍ରିକ୍‌ ପରୀକ୍ଷାରେ ସାମିଲ କରାଇବା ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଶିକ୍ଷା ଶେଷ ହେବା ଓ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ଆମର ସମର୍ଥନ ଜାରି ରହିବ ‌ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର