ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ : ଓଡ଼ିଶା ଗଠନରେ କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିକା ଅତୁଳନୀୟ

ଭୁବନେଶ୍ୱର : ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ କରିବାରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିକା ଅତୁଳନୀୟ। ରାଜନୀତି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବହନ ଆଦି କ୍ଷେତ୍ରରେ ତାଙ୍କର ଅବଦାନକୁ ଏ ଜାତି ଭୁଲିପାରିବ ନାହିଁ। ସେ ଥିଲେ ଜଣେ ମହାନ ନେତା ଓ ଜଣେ ରାଜା ହିସାବରେ ସବୁ ଗୁଣ ତାଙ୍କୁ ଭଗବାନ ଦେଇଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗ, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଓ ପାରଳା ଗଜପତି ବିକାଶ ମଞ୍ଚ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି ଜୟଦେବ ଭବନଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଅତିଥିମାନେ ଏପରି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସହାୟକ ପ୍ରଫେସର ଦାଶରଥୀ ଭୂୟାଁ, ସମ୍ମାନିତ ଅତିଥି ଭାବେ ବିଧାୟକ କେ. ସୂର୍ଯ୍ୟ ରାଓ, ବିଧାୟିକା ବାସନ୍ତୀ ମଲ୍ଲିକ ଓ ପାରଳା ଗଜପତି ବିକାଶ ମଞ୍ଚର ସଭାପତି ରାହାସ ବିହାରୀ ମହାନ୍ତି ପ୍ରମୁଖ ଯୋଗ ଦେଇ ପାରଳା ମହାରାଜାଙ୍କ ଜୀବନ ବୃତ୍ତାନ୍ତ ଓ ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ କହିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ବିନୋଦ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଦେଇଥିଲେ। ସୂଚନା ଅଧିକାରୀ ଦୀପ୍ତିମୟୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସକାଳେ ଏଜି ଛକସ୍ଥିତ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତିରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉପନିର୍ଦ୍ଦେଶକ ବିପିନ ବିହାରୀ ବାରିକଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ମହାରାଜାଙ୍କ ସମ୍ପର୍କରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଜୟଦେବ ଭବନରେ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର