ବସ୍ତି ଅଡ଼ୁଆକୁ ବଳିଗଲା ବନ ବିଭାଗର ନୋଟିସ୍‌

ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ଜାଗା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାର ପରିଚୟକୁ ବିଶ୍ୱବିଦିତ କରିଛି ଓଡ଼ିଶୀ। ରାଜ୍ୟ ସାଂସ୍କୃତିକ ପରମ୍ପରାର ଏହି ସମୃଦ୍ଧ ନୃତ୍ୟ ଧାରାକୁ ବଜାୟ ରଖିବା ସହ ଗବେଷଣା କ୍ଷେତ୍ରରେ ସୁଯୋଗ ସୃଷ୍ଟି ପାଇଁ ପ୍ରତିଷ୍ଠା ହୋଇଛି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର। ମାତ୍ର ଓଡ଼ିଶୀ ନୃତ୍ୟ-ଗୀତର ପ୍ରଚାର ପ୍ରସାରର ମଙ୍ଗ ଧରିଥିବା ଏହି କେନ୍ଦ୍ର ଏବେ ନିଜର ଅସ୍ତିତ୍ୱ ହରାଇବା ଚିନ୍ତାରେ ପଡ଼ିଯାଇଛି। ସମସ୍ୟା ଏମିତି ହୋଇଛି ଯେ, ଗବେଷଣା କେନ୍ଦ୍ରର ଜାଗାକୁ ଧୀରେ ଧୀରେ ବସ୍ତିବାସିନ୍ଦା କବ୍‌ଜା କରି ଚାଲିଛନ୍ତି। ଅପରପକ୍ଷରେ ଏହା ଏକ ଜଙ୍ଗଲକିସମ ଜମି ହୋଇଥିବାରୁ ସରକାରଙ୍କ ବନବିଭାଗ ଗବେଷଣା କେନ୍ଦ୍ରକୁ ନୋଟିସ୍‌ କରିଛି। ତେଣୁ ଗବେଷଣା କେନ୍ଦ୍ରର କର୍ତୃପକ୍ଷ ବସ୍ତି ବାସିନ୍ଦାଙ୍କ ବିରୋଧରେ କାହା ପାଖେ ଗୁହାରି ହେବେ ନା ବନ ବିଭାଗର ନୋଟିସ୍‌କୁ ପାଳନ କରି ଏଠୁ ହଟିବେ ସେଇ ଚିନ୍ତାରେ ପଡ଼ିଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗବେଷଣା କେନ୍ଦ୍ର ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୫.୧୦ ଏକର ଜାଗା ମିଳିଥିଲା। ଯେଉଁଠି ସଂସ୍କୃତି ବିଭାଗ ଗବେଷଣା କେନ୍ଦ୍ରର କାର୍ଯ୍ୟାଳୟ, ହଷ୍ଟେଲ୍‌ ଏବଂ ପ୍ରେକ୍ଷାଳୟ ସ୍ଥାପନ କରିଛି। କିନ୍ତୁ ସେଥିରୁ ୧.୩୦ ଏକର ଜାଗା ଏବେ ବସ୍ତି ବାସିନ୍ଦାଙ୍କ କବ୍‌ଜାରେ ରହିଛି। ଏଥିପାଇଁ ଗବେଷଣା କେନ୍ଦ୍ର ପକ୍ଷରୁ ବାରମ୍ବାର କୋର୍ଟରେ କେସ୍‌ ହୋଇଛି। କିନ୍ତୁ କୋର୍ଟରେ ରାୟ ଥିଲେ ହେଁ ଅନାୟାସରେ ଗୋଟିଏ ପରେ ଗୋଟିଏ ଘର ଗଢ଼ି ଉଠୁଛି। କଟକଣାକୁ ବେଖାତିର କରି କିଛି ସ୍ଥାନୀୟ ନେତାଙ୍କ ସାହସରେ ଏଭଳି ଘର ତୋଳା ଚାଲିଛି।ଏଠି ଯେ, ବସ୍ତି ଏବେ ଗଢ଼ି ଉଠିଛି ତାହା ନୁହେଁ। ୧୯୯୧-୯୨ ମସିହାରୁ ଏତାଦୃଶ ଅବସ୍ଥା ସୃଷ୍ଟି ହୋଇଛି। ବସ୍ତିବାସିନ୍ଦା ଯେତିକି ଜାଗାରେ ଥିଲେ ସେତିକି ଜାଗା ମଧ୍ୟରେ ବାଡ଼ ଘେରାଇ ଦେଇଥିଲା ଗବେଷଣା କେନ୍ଦ୍ର। ଏହାପରେ ୨୦୧୦ରେ ଗବେଷଣା କେନ୍ଦ୍ର କେସ୍‌ରେ ଜିତିବାରୁ ୨୦୦ ପୁଲିସ୍‌ଙ୍କ ସହଯୋଗରେ ଏହି ପରିସରରୁ ବସ୍ତି ଉଚ୍ଛେଦ ପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ ପୁନଃଥଇଥାନ ନ କଲେ ଉଠିବୁ ନାହିଁ ବୋଲି ବସ୍ତି ବାସିନ୍ଦା ଦାବି କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ସ୍ଥିତାବସ୍ଥା ଜାରି ଲାଗି କୋର୍ଟ ନିର୍ଦେଶ ଦେବାରୁ ବସ୍ତି ଉଠିପାରିଲା ନାହିଁ। ୨୦୧୬ରେ ପୁଣି ଗବେଷଣା କେନ୍ଦ୍ର ମାମଲାରେ ଜିତିଲା। ହେଲେ ମାମଲା ଇଷ୍ଟେଟ୍‌ କୋର୍ଟରେ ଥିବାରୁ ଏବଂ ସୁପ୍ରିମ୍‌କୋର୍ଟର ନିୟମ ଅନୁଯାୟୀ ଇଷ୍ଟେଟ୍‌ କୋର୍ଟ ନିର୍ଦେଶ ଦେଉନଥିବାରୁ ଗବେଷଣା କେନ୍ଦ୍ର ଧୀରେଧୀରେ ବସ୍ତି ଆଁକୁ ଚାଲିଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଇ କିଛି ଦିନ ହେବ ଘେରା ଯାଇଥିବା ବାଡ଼କୁ ଅତିକ୍ରମ କରି ପୁଣି ଘର ତିଆରି ଚାଲିଛି। ହେଲେ ତାଙ୍କୁ ବିରୋଧ କରିବାକୁ କେହି ବି ସାହସ ଜୁଟାଇ ପାରୁନାହାନ୍ତି। ସଂସ୍କୃତି ବିଭାଗ ଯେମିତି ନିଜକୁ ସମର୍ପଣ କରିଦେଇଛି। ସଂସ୍କୃତି ବିଭାଗର ବଡ଼ପଣ୍ଡାମାନେ ଚୁପ୍‌ ବସିଥିବା ବେଳେ ସ୍ଥାନୀୟ ନେତାମାନେ ନିଜର ଭୋଟ୍‌ ବ୍ୟାଙ୍କ୍‌ ଯୋଗାଡ଼ିବା ପାଇଁ ବସ୍ତି ବାସିନ୍ଦାଙ୍କୁ ନିରବ ସମର୍ଥନ କରୁଛନ୍ତି।

ତେବେ ଏତିକିରେ କମିନି ଗବେଷଣା କେନ୍ଦ୍ରର ବ୍ୟଥା। ଜଙ୍ଗଲ କିସମ ହୋଇଥିବା ସତ୍ତ୍ୱେ କିଭଳି ଏହା ମଧ୍ୟରେ କାର୍ଯ୍ୟାଳୟ ପରେ ଉତ୍କଳ ରଙ୍ଗମଞ୍ଚ ଏବଂ ଏଇ କିଛିଦିନ ତଳେ ଉଦ୍‌ଘାଟିତ ହୋଇଥିବା ଛାତ୍ରୀ ହଷ୍ଟେଲ୍‌ ଗଢ଼ି ଉଠିଲା ତାହାର ଜବାବ ମାଗିଛି ବନବିଭାଗ। ନୋଟିସ୍‌ ବି ପଠାଇଛି। ତେବେ ମାମଲା କୋର୍ଟରେ ଥିବାରୁ ଏ ବାବଦରେ ମୁହଁ ଖୋଲି ନାହାନ୍ତି ସଂସ୍କୃତି ବିଭାଗର ଅଧିକାରୀ।

ସମ୍ବନ୍ଧିତ ଖବର