ଅଧାଗଢ଼ା ଘରେ ବିତୁଛି ଜୀବନ

ପଣ୍ଡାକୁଦିଆ ନୂଆ ଜଗନ୍ନାଥବସ୍ତିର ପିଛା ଛାଡ଼ୁନି ଦୁଃଖ। ବିସ୍ଥାପନ ପରଠାରୁ ପାଖାପାଖି ଏକ ମାସ ହେଲା ଦୁର୍ଦ୍ଦିନରେ ସେମାନଙ୍କ ଜୀବନ କଟୁଛି। ଅନ୍ଧାରିଆ ଅଧାଗଢ଼ା ଘର ଭିତରେ ଜିଇଁଥିବା ଏହି ବସ୍ତିବାସିନ୍ଦାମାନଙ୍କ ପାଇଁ ଆର୍ଥିକ ଅନାଟନ ଓ ପ୍ରାକୃତିକ ବିତ୍ପାତ ବୋଝ ଉପରେ ଲଳିତା ବିଡ଼ା ପାଲଟିଛି। ତିତିଲି ବର୍ଷାର ଦୁଃଖ ମନରୁ ନ ଲିଭୁଣୁ ପୁଣି ମାଡ଼ି ଆସିଲାଣି ବର୍ଷା ଭୟ। ଏଥିସହିତ ଦୁଇ ଦିନ ହେଲା ପଡ଼ିଛି କାଠୁଆ ଶୀତ। ତଳେ ମାଟି ଚଟାଣ ସାଙ୍ଗକୁ ମୁଣ୍ଡ ଉପରେ ପଲିଥିନ୍ ଛାତ ପାଇଁ ଶୀତରେ ଥରୁଛି ପଣ୍ଡାକୁଦିଆ ବସ୍ତି। ବର୍ତ୍ତମାନ ବସ୍ତିରେ ଗୋଟିଏ ବି ଘର ସମ୍ପୂର୍ଣ ହୋଇପାରିନାହିଁ। ତୁରନ୍ତ ଘର କାମ ସାରିବା ପାଇଁ ବସ୍ତିବାସିନ୍ଦାମାନେ ନିଜେ ପରିଶ୍ରମ କରି ଦିନରାତି ଏକ କରି ଦେଇଥିଲେ ବି ବିଭିନ୍ନ କାରଣରୁ ଗୃହ ନିର୍ମାଣ ଶେଷ ହୋଇପାରୁନାହିଁ। କିଛି କିଛି ଘରର ଇଟା କାନ୍ଥ ଉପରେ ଟିଣ ଆଜ୍‌ବେଷ୍ଟସ୍‌ ପଡ଼ିଥିଲେ ବି ଭିତର କାମ କିଛି ହୋଇନାହିଁ। ତେଣୁ ତା ଭିତରେ ଘରଟାଯାକର ଜିନିଷପତ୍ରକୁ ଅସଜଡ଼ାଭାବେ ରଖି ମାଟି ଚଟାଣ ଉପରେ ଜାକିଜୁକି ହୋଇ ପରିବାର ଲୋକେ ଶୋଉଛନ୍ତି। ଘରକୁ ବିଦ୍ୟୁତ୍ ସଂଯୋଗ ହୋଇ ନଥିବାରୁ ଡିବିରି ବତି ସାହା ଭରସା। ତେଣୁ ସାଧାରଣ ଜୀବନଯାପନ ଯେଉଁଠି ଏମିତି କଦର୍ଯ୍ୟ, ସେଠି ପିଲାଙ୍କ ପାଠ ପଢ଼ା କଥା କେମିତି ଚାଲିଥିବ, ସହଜରେ ଅନୁମେୟ। ବସ୍ତି ବିସ୍ଥାପନ ହେଲା ସିନା ନୂଆପଲ୍ଲୀସ୍ଥିତ ବିଦ୍ୟାଳୟରେ ଏହି ବସ୍ତିର ପିଲାଙ୍କ ନାମ ସେମିତି ରହିଛି। ତେଣୁ ବସ୍ତିର ଶତାଧିକ ପିଲାଙ୍କୁ ଏବେ ବି ଲୋକେ ପ୍ରାୟ ୫ କିଲୋମିଟରରୁ ଅଧିକ ଦୂର ନୂଆପଲ୍ଲୀ ବିଦ୍ୟାଳୟକୁ ନେବା ଆଣିବା କରୁଛନ୍ତି। ଗୃହ ନିର୍ମାଣ କାମ ଓ ରୋଜଗାର ପାଇଁ ବାହାରକୁ ଯିବାକୁ ପଡ଼ୁଥିବାରୁ କିଛି ଲୋକ ଏତେ ଦୂର ବାଟ ପାଇଁ ସେମାନଙ୍କ ପିଲାଙ୍କୁ ନେଇ ପାରୁନାହାନ୍ତି। ଫଳରେ ବହୁ ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଯାଇଛି। ପ୍ରତି ପରିବାରକୁ ପ୍ରଶାସନ ଦେଇଥିବା ୩୫ ହଜାର ଟଙ୍କା ସରିବାକୁ ବସିଲାଣି। ମୂଲ ପାଇଁ ସବୁ ଲୋକ ବାହାରକୁ ଯାଇ ପାରୁ ନଥିବାରୁ ରୋଜଗାର ବନ୍ଦ। ତେଣୁ ଗୃହ ନିର୍ମାଣ ସାଙ୍ଗକୁ ଦାନା ଯୋଗାଡ଼ ପାଇଁ ପ୍ରାୟ ଲୋକେ ଧାରକରଜ କରି ବସିଲେଣି। ଏମିତି ଅସୁବିଧା ସାଙ୍ଗକୁ ବର୍ଷା ଓ ଶୀତ ଦାଉ ସାଧୁଛି ବୋଲି ବଡ଼ ଦୁଃଖରେ କହିଛନ୍ତି ବସ୍ତିବାସିନ୍ଦାମାନେ। ଉପଯୁକ୍ତ କ୍ଷତିପୂରଣ ପାଇଥିଲେ ବି ଏମିତି ବର୍ଷା ଓ ଶୀତ ଦିନେ ସେମାନଙ୍କୁ ବିସ୍ଥାପନ କରି ବଡ଼ କଲବଲ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର