ଧରାଯାଉ, ଗଛପତ୍ର ଭରା ସବୁଜ ଜଙ୍ଗଲ ଭିତରେ ପକ୍ଷୀମାନଙ୍କ କିଚିରିମିଚିରି ଶବ୍ଦ ଓ ଚନ୍ଦ୍ରାଲୋକରେ ଆପଣଙ୍କୁ ପରଶି ଦିଆଯିବ ଗର୍ମାଗରମ୍ ସୁସ୍ୱାଦୁ ଖାଦ୍ୟ। ଅବା ଶୂନ୍ଶାନ୍ ଏନ୍ଏଚ୍ କଡ଼ରେ ଷ୍ଟ୍ରିଟ୍ ଲାଇଟ୍ ତଳେ ଜୀବନସାଥୀ ସହ ରୋମାଣ୍ଟିକ୍ ଡିନର୍ର ଅଫର୍ ମିଳିବ। ଭାବିଲେ ଦେଖି କେମିତି ଲାଗିବ? ଏହା ଏକ ଅବାସ୍ତବ ପରିକଳ୍ପନା ଲାଗୁ ଥାଇପାରେ। କିନ୍ତୁ ମଣିଷର ଏମିତି କିଛି ଅବାସ୍ତବ ପରିକଳ୍ପନା ତଥା ଅପୂରଣୀୟ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ସହରର କିଛି ବଛାବଛା ରେସ୍ତୋରାଁ ଅଣ୍ଟା ଭିଡ଼ିଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବା ତଥା ନିଜ ବ୍ୟବସାୟକୁ ବଢ଼ାଇବା ଓ କିଛି ନୂତନତ୍ୱ ଉପଲବ୍ଧି ଉଦ୍ଦେଶ୍ୟରେ ଏମାନେ ବାଛି ନେଇଛନ୍ତି କିଛି ବିଷୟବସ୍ତୁ (ଥିମ୍)। ଯେ କେହି ଏହାକୁ ଦେଖିବ ନିଶ୍ଚେ ରୋମାଞ୍ଚିତ ହେବ। ଏହାକୁ ନେଇ ‘ସମ୍ବାଦ’ର ସ୍ୱତନ୍ତ୍ର ଉପସ୍ଥାପନା। ପ୍ରସ୍ତୁତି: ସସ୍ମିତା ସାହୁ, ଫଟୋ: ଅସିତ ଶତପଥୀ
Sambad is now on WhatsApp
Join and get latest news updates delivered to you via WhatsApp
ଯୋଗାଡ଼ି ସଜାଡ଼ିଛି ଜୁଗାଡ ଜଂ
ଅଳିଆରେ ବି ଫୁଟାଇ ହୁଏ ସୃଜନ। ପୁରୁଣା ଲଣ୍ଠନଠୁ ନେଇ ଟାୟାର, ସାଇକେଲ୍ ରିମ୍, ତାର, ପେନ୍ସିଲ୍, ବୋତଲ ଓ ଦଉଡ଼ି ଆଦି ଅଦରକାରୀ ଜିନିଷରେ ସ୍ଥାପତ୍ୟର ନିର୍ମିତ କରିହୁଏ ରେସ୍ତୋରାଁ। ‘ଜୁଗାଡ଼ ଜଂ’ ରେସ୍ତୋରାଁ’ ଏହାର ସର୍ବଶ୍ରେଷ୍ଠ ଉଦାହରଣ। ଚେୟାର, ଓ୍ଵାସ୍ ବେସିନ୍, ଲାଇଟ୍ ସାଙ୍ଗକୁ ପାଣି ବୋତଲ ସବୁଠି ଦିଶୁଛି ସୃଜନର ଛିଟା। ପୁରୁଣା ଡିଜେଲ୍ ଟାଙ୍କିର ଟେବୁଲ୍, ଟାୟାରର ଚେୟାର ଓ ସାଇକେଲ୍ ସ୍ପୋକ୍ର ଲାଇଟ୍ ହୋଲ୍ଡର୍ ଆଦି ଡାଇନିଂର ଶୋଭାକୁ ଦ୍ୱିଗୁଣିତ କରୁଛି। ନିର୍ମାଣରେ ବ୍ୟବହୃତ ଜିନିଷ କୋଲକାତା, ଦିଲ୍ଲୀ ଓ ଝାଡ଼ଖଣ୍ଡରୁ ସଂଗ୍ରହ କରାଯାଇଛି। ରେସ୍ତୋରାଁର ପ୍ରତିିଟି ସାମଗ୍ରୀ ସୁଦକ୍ଷ କୁମ୍ଭାର, ବଢ଼େଇ ଓ କବାଡିବାଲାଠାରୁ ସଂଗ୍ରହ କରାଯାଇଛ। ସଂଧ୍ୟାରେ ଏହାର ଆଉଟ୍ଡୋର୍ ଷ୍ଟଲ୍ରେ ଗୁପ୍ଚୁପ୍, ଚାଟ୍, ଲିଟି ଚୋଖା, ମୁଙ୍ଗ୍ଡାଲ୍ ଚିଲ୍ଲା ଖାଇବାକୁ ଯୁବପିଢ଼ିଙ୍କର ଭିଡ଼ ଜମେ।
ନ୍ୟୁ ଆରୋମାରେ ଗାଁ’ର ଭ୍ରମ
ନିଜ ଗାଁକୁ ଝୁରି ହେଉଛନ୍ତି କି? ସେଇ ଶଗଡ଼ରେ ଝୁଲା, ଢିଙ୍କି କୁଟା, ଚାଳ ଘର ଓ ଗାଁ ପରିବେଶକୁ ମନ ଖୋଜି ହେଉଛି କି? ସୁସ୍ୱାଦୁ ଖାଦ୍ୟ ସହ ଦୂର ଗାଁ ପରିବେଶର ଅନୁଭବ ଦେଉଛି ରେସ୍ତୋରାଁ ନ୍ୟୁ ଆରୋମା। ରବି ଟକିଜ୍ ଛକସ୍ଥିତ ଏହି ରେସ୍ତୋରାଁରେ ଆଦିବାସୀ ଚିତା ପରମ୍ପରାଠୁ ନେଇ କୋଣ ଅନୁକୋଣ ଗାଁ ମାଟିର ଭ୍ରମ ସୃଷ୍ଟି କରୁଛି। ଲୁପ୍ତ ହୋଯାଉଥିବା ଗାଁ ପରିବେଶ କୋଳରେ ସହରିଆଙ୍କୁ ଖାଣ୍ଟି ଓଡ଼ିଆ ଖାଦ୍ୟରେ ଆପ୍ୟାୟିତ କରିବା ପାଇଁ ଏହି ରେସ୍ତୋରାଁର ପରିକଳ୍ପନା ବୋଲି ନ୍ୟୁ ଆରୋମାର ସ୍ୱତ୍ତ୍ୱାଧିକାରୀ ଅମରେଶ ପ୍ରସାଦ ମିଶ୍ର କହିଛନ୍ତି।
ଜଙ୍ଗଲ ଅନୁଭୂତି ଦେଉଛି ରେନ୍ ଫରେଷ୍ଟ୍
ଘଞ୍ଚ ଜଙ୍ଗଲ, ଗଛରୁ ଓହଳି ପଡ଼ିଥିବା ଅଜଗର ସାପ ପୁଣି କାନ୍ଥ ଚିରି ବାହାରି ଆସୁଥିବା ସିଂହ ଓ ବାଘ ଆଦି ଜୀବଜନ୍ତୁ, ଏହା ସହ ଚନ୍ଦ୍ର କିରଣ ଓ ମଶାଲ୍ ଆଲୋକ ଭଳି ଧିମା ଆଲୋକ ଭିତରେ ଖାଦ୍ୟ ଖାଇବାର ମଜା କିଛି ଅଲଗା। ଏଭଳି ଏକ ନିଆରା ଜଙ୍ଗଲ ଥିମ୍କୁ ନେଇ ଚନ୍ଦ୍ରଶେଖରପୁରଠାରେ ବର୍ଷେ ହେଲା ଖୋଲିଛି ରେସ୍ତୋରାଁ ରେନ୍ ଫରେଷ୍ଟ୍। ଏହାର ଫ୍ଲୋରିଂ ଘାସ ଗାଲିଚା ଓ ବିଭିନ୍ନ ପଥରରେ ସଜାଯାଇଛି। ରେସ୍ତୋରାଁ ଭିତରେ ଗୀତ ବଦଳରେ ପଶୁ ପକ୍ଷୀଙ୍କ ଶବ୍ଦ ଶୁଭେ। ବାହାରେ ବର୍ଷା କିମ୍ବା ଘଡ଼ଘଡ଼ି ହେଲେ ରେସ୍ତୋରାଁର ଭିନ୍ନ ସାଉଣ୍ଡ ବ୍ୟବସ୍ଥା ଯୋଗୁଁ ବହୁତ୍ ଜୋର୍ରେ ଶୁଣାଯାଏ। ମେଘାଚ୍ଛନ୍ନ ଆକାଶ ଭଳି ଏହାର ଛାତକୁ ପେଣ୍ଟ୍ କରାଯାଇଛି। ଫଳରେ ଗ୍ରାହକମାନେ ଏକ ଲାଇଭ୍ ଜଙ୍ଗଲର ଅନୁଭୂତି ସାଉଁଟିଥାନ୍ତି ବୋଲି ରେସ୍ତୋରାଁର ସିନିୟର କ୍ୟାପ୍ଟେନ୍ ୟୁସୁଫ୍ ରାଜ୍ କହିଛନ୍ତି। ଦିନ ବେଳେ ଛାତ୍ରଛାତ୍ରୀ ଓ ସଂଧ୍ୟାରେ ଉଚ୍ଚଶ୍ରେଣୀୟ ଲୋକ ଆସିଥାନ୍ତି ବୋଲି ରୋସ୍ତୋରାଁର କ୍ୟାସିୟର୍ ନିଶିକାନ୍ତ ରାଉତ କହିଛନ୍ତି।
ସ୍ମୋକେଟ୍ରେ ହଲିଉଡ୍ ଅନୁଭବ
ଖୋଲା ଆକାଶ ତଳେ ଜାତୀୟ ରାଜପଥ କଡ଼ରେ ସୁନ୍ଦର ଆଲୋକ ସଜ୍ଜା ସହ ସୁଲୁସୁଲିଆ ପବନରେ ଜୀବନ ସାଥୀ ସହ କ୍ୟାଣ୍ଡେଲ ଲାଇଟ୍ ଡିନର୍ କରିବାକୁ ସୁଯୋଗ ଦେଉଛି ସ୍ମୋକେଟ୍ ରେସ୍ତୋଁରା। ଖଣ୍ଡଗିରି ଛକରେ ଥିବା ଏହି ରେସ୍ତୋରାଁ ଛାତକୁ ପୂରା ହଲିଉଡ୍ ଷ୍ଟାଇଲ୍ରେ ସଜାଯାଇଛି। ଛାତକୁ ଜାତୀୟ ରାଜପଥ ଭଳି ଡିଜାଇନ୍ କରାଯାଇଥିବା ବେଳେ ପାର୍ଶ୍ୱରେ ଥିବା କମଳା ଗଛ, ଷ୍ଟ୍ରିଟ୍ ଲାଇଟ୍ର ରଙ୍ଗିନ ଆଲୋକମାଳା, ଘାସ ଗାଲିଚା, ଗିଟାର ଷ୍ଟାଇଲ୍ର ଫ୍ଲୋରିଂ ଓ ଷଢ଼େଇରେ ନିର୍ମିତ କାନ୍ଥ ଯୁବପିଢ଼ି ଓ ସଂଭ୍ରାନ୍ତଶ୍ରେଣୀୟ ଲୋକଙ୍କୁ ଆକୃଷ୍ଟ କରୁଛି। ଛାତ୍ରଛାତ୍ରୀମାନେ ଜନ୍ମଦିନ ମନାଇବା ସହ ନାଚିବାକୁ ଅନୁକୂଳ ପରିବେଶ ରହିଛି ବୋଲି ରୋସ୍ତୋରାଁ ଇନ୍ଚାର୍ଜ ସୌମ୍ୟରଞ୍ଜନ ସ୍ୱାଇଁ କହିଛନ୍ତି।