ନଭେମ୍ବର ୬ରୁ ଆରମ୍ଭ ହେବ, ‘ମୋ ବସ୍’ ସେବା

ଡିସେମ୍ବର ୧୦ ସୁଦ୍ଧା ତିନିଟି ପର୍ଯ୍ୟାୟରେ ବସ୍ ଗଡ଼ିବ, ଦୁଇ ପର୍ଯ୍ୟାୟରେ ୧୬ଟି ରୁଟ୍‌ରେ ୨୦୦ ନୂଆ ବସ୍ ଚାଲିବ

ଭୁବନେଶ୍ବର: ହକି ବିଶ୍ବକପ୍ ପୂର୍ବରୁ ରାଜଧାନୀ ଏବଂ ଏହା ଆଖପାଖ ଅଞ୍ଚଳରେ ୨୦୦ଟି ନୂଆ ସିଟି ବସ୍ ଗଡ଼ିବ। କ୍ୟାପିଟାଲ ରିଜିଅନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଅଧୀନରେ ଏହି ବସ୍ ସେବା ଆରମ୍ଭ ହେବାକୁ ଯାଉଛି। ଲୋକଙ୍କ ଦ୍ବାରା ସିଟି ବସ୍‌ଗୁଡ଼ିକୁ ଅଧିକ ଆଦୃତ କରିବା ପାଇଁ ଏହାର ନାମ ‘ମୋ ବସ୍’ ରଖାଯାଇଛି। ଆସନ୍ତା ମଙ୍ଗଳବାର ଅର୍ଥାତ୍ ନଭେମ୍ବର ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ‘ମୋ ବସ୍‌’ ସେବାର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କ୍ରୁଟ୍‌ର ସୂଚନା ଅନୁଯାୟୀ, ମୋ ବସ୍‌ର ପ୍ରଥମ ଫେଜ୍‌‌େର ୮ଟି ରୁଟ୍‌ରେ ବସ୍ ସେବା ଆରମ୍ଭ ହେବାକୁ ଥିବା ବେଳେ ଦ୍ବିତୀୟ ଫେଜ୍ ବସ୍ ଚଳାଚଳ ନଭେମ୍ବର ୧୫ରୁ ୮ଟି ରୁଟ୍‌ରେ ହେବ। ଏହି ଦୁଇଟି ପର୍ଯ୍ୟାୟରେ ୧୦୦ଟି ଲେଖାଏଁ ବସ୍ ଚାଲିବ। ତୃତୀୟ ଫେଜ୍‌ରେ ଏବେ ଚାଲୁଥିବା ୮୯ଟି ପୁରୁଣା ସିଟି ବସ୍‌ ଚାଲିବ। ଏହି ପର୍ଯ୍ୟାୟ ଡିସେମ୍ବର ୧୦ରୁ ଆରମ୍ଭ ହେବ। କ୍ରୁଟ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯା‌ୟୀ, ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଥିବା ମୋ ବସ୍‌ ସେବା ୮ଟି ରୁଟ୍‌ରେ ଆରମ୍ଭ ହେବ। ଏହା ରୁଟ୍ ୨୦ରୁ ୨୮ ପର୍ଯ୍ୟନ୍ତ ରହିବ। ରୁଟ୍‌ ୨୦ରେ ମାଷ୍ଟର କ୍ୟାଣ୍ଟିନ୍ ଟର୍ମିନାଲରୁ ଭାୟା ବାଣୀବିହାର ହୋଇ ଖୋର୍ଦ୍ଧାର ନୂଆ ବସ୍‌ଷ୍ଟାଣ୍ଡ, ରୁଟ୍‌ ୨୧ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ଓୟୁଏଟି, ରୁଟ୍‌ ୨୨‌େର ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ଜଟଣୀ ହୋଇ ବସ୍ ଚାଲିବ। ସେହିପରି ରୁଟ୍‌ ୨୩ରେ ମାଷ୍ଟରକ୍ୟାଣ୍ଟିନରୁ ସମ୍‌ ହସ୍ପିଟାଲ, ରୁଟ୍‌ ୨୪ରେ କଳିଙ୍ଗ ବିହାରରୁ ଟଙ୍କପାଣି ସାଇ ମନ୍ଦିର, ରୁଟ୍‌ ୨୫ରେ ଡୁମଡୁମାରୁ ମଞ୍ଚେଶ୍ବର, ରୁଟ୍‌ ୨୬ରେ ଡୁମଡୁମାରୁ ଚକେଇସିଆଣି, ରୁଟ୍‌ ୨୭ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏମ୍‌ସ, ରୁଟ୍ ୨୮ରେ ମାଷ୍ଟରକ୍ୟାଣ୍ଟିନରୁ କଳିଙ୍ଗନଗର ବସ୍ ସେବା ଆରମ୍ଭ ହେବ। ମୋ ବସ୍‌ର ଫେଜ୍‌ ୨ରେ ରୁଟ୍‌ ୧୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଭାୟା ନନ୍ଦନକାନନ ହୋଇ କଟକର ବାଦାମବାଡ଼ି ଛକ, ରୁଟ୍‌ ୧୧ରେ ମାଷ୍ଟରକ୍ୟାଣ୍ଟିନରୁ କଟକର ବିଜୁ ପଟ୍ଟନାୟକ ପାର୍କ, ରୁଟ୍‌ ୧୨ରେ ଶିଖରଚଣ୍ଡୀରୁ ଲିଙ୍ଗରାଜ ମନ୍ଦିର, ରୁଟ୍‌ ୧୩ରେ ମାଷ୍ଟରକ୍ୟାଣ୍ଟିନରୁ ପଟିଆ, ରୁଟ୍‌ ୧୪‌େର ବାଣୀବିହାରରୁ ଉତ୍ତରା ଛକ, ରୁଟ୍‌ ୧୫ରେ ଶିଖରଚଣ୍ଡୀରୁ ସମ୍‌ ହସ୍ପିଟାଲ, ରୁଟ୍‌ ୧୬ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସମ୍ ହସ୍ପିଟାଲ, ରୁଟ୍ ୧୭ରେ ବାଲିଅନ୍ତାରୁ ଲିଙ୍ଗରାଜ ମନ୍ଦିର, ରୁଟ୍ ୧୮ରେ ଲିଙ୍ଗରାଜ ମନ୍ଦିରରୁ ପୋଖରୀପୁଟର ମଧୁସୂଦନ ପାର୍କ ପର୍ଯ୍ୟନ୍ତ ହପ୍ ଅନ୍ ହପ୍ ଅଫ୍ ସେବାରେ ବସ୍‌ ଚାଲିବ।

ଖୁବ୍ ଶୀଘ୍ର ଆସିବ ‘ଆପ୍‌’
ଆରମ୍ଭ ହେବାକୁ ଥିବା ‘ମୋ ବସ୍‌’ ସେବାରେ ୨୦୦ଟି ନୂଆ ସିଟି ବସ୍‌ ସମେତ ୮୯ଟି ପୁରୁଣା ସିଟି ବସ୍ ଚାଲିବାକୁ ଥିବାବେଳେ ଲୋକମାନେ କିପରି ସୁବିଧାରେ ସିଟି ବସ୍‌ରେ ଯାତାୟାତ କରିବେ, ସେମାନେ ଅପେକ୍ଷା କରିଥିବା ବସ୍ କେଉଁ ସ୍ଥାନରେ ଅଛି, କେତେବେଳେ ପହଞ୍ଚିବ, କେଉଁ ରୁଟ୍‌ରେ କେଉଁ ବସ୍ ଆସିବ ସେନେଇ ସବିଶେଷ ତଥ୍ୟ ଯୋଗାଇ ଦେବା ପାଇଁ କ୍ରୁଟ୍‌ ପକ୍ଷରୁ ଖୁବ୍‌ ଶୀଘ୍ର ‘ମୋ ବସ୍’ ଆପ୍ ଆସିବ। ଏହି ଆପ୍ ସ୍ମାର୍ଟଫୋନ୍‌ରେ ଅପଲୋଡ୍ କଲେ ସମସ୍ତ ତଥ୍ୟ ମିଳିଯିବ।

ସମ୍ବନ୍ଧିତ ଖବର