ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୧୪ରୁ, ଓଡ଼ିଶା ପାଭିଲିୟନ୍ ପାଇଁ ୧୭୦ ବର୍ଗମିଟର ଜାଗା

ନୂଆଦିଲ୍ଲୀ: ଚଳିତମାସ ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଗତି ମଇଦାନରେ ଭାରତୀୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ୩୮ତମ ସଂସ୍କରଣ ଆୟୋଜନ ହେବ। ମେଳାରେ ସ୍ଥାୟୀ ଭାବେ ନିର୍ମିତ ହୋଇଥିବା ଓଡ଼ିଶା ପାଭିଲିୟନ୍‌କୁ ଦେଖିବାକୁ ମିଳିବ ନାହିଁ। ବାଣିଜ୍ୟ ମେଳା ଆୟୋଜନ ପାଇଁ ସ୍ଥାୟୀ କନ୍‌ଭେନସନ ‌େସଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଅସ୍ଥାୟୀ ପାଭିଲିୟନ୍‌ ନିର୍ମାଣ ଲାଗି ବିକଳ୍ପ ବ୍ୟବସ୍ଥା କରାଯାଇଛି। ପ୍ରଗତି ମଇଦାନର ହଲ୍‌ ନମ୍ବର ୧୨ରେ ପ୍ରଦର୍ଶନୀ ହ୍ୟାଙ୍ଗର କରାଯାଇ ସ୍ଥାନ ଆବଣ୍ଟନ କରାଯାଇଛି। ଅସ୍ଥାୟୀ ପାଭିଲିୟନ୍‌ ପାଇଁ ଓଡ଼ିଶାକୁ ୧୭୦ ବର୍ଗମିଟର ଜାଗା ମିଳିଛି। ଇଣ୍ଡିଆ ଟ୍ରେଡ୍‌ ପ୍ରମୋସନ୍‌ ଅର୍ଗାନାଇଜେସନ୍‌ (ଆଇଟିପିଓ) ପକ୍ଷରୁ ଏହି ସୂଚନା‌ ଦିଆଯାଇଛି। ଆବଣ୍ଟିତ ହୋଇଥିବା ସ୍ଥାନରେ ଓଡ଼ିଶା ଦ୍ବାରା ଦୁଇଟି ପାଭିଲିୟନ୍‌ ନିର୍ମାଣ କରାଯିବ। ଓଡ଼ିଶା ମଣ୍ଡପରେ ରାଜ୍ୟର ଶିଶୁ କଲ୍ୟାଣମୂଳକ ଯୋଜନା, ଦକ୍ଷତା ବିକାଶ ତାଲିମ ଏବଂ କାର୍ଯ୍ୟକ୍ରମ, ବୈଷୟିକ ଶିକ୍ଷା, ପର୍ଯ୍ୟଟନ ଓ ସୂଚନା ପ୍ରଯୁକ୍ତି ଷ୍ଟଲ୍‌ ସମେତ ହସ୍ତତନ୍ତ ଓ ବୟନ ଶିଳ୍ପ ଓ କୁଟୀର ଶିଳ୍ପ ବିଭାଗ ପକ୍ଷରୁ ବିକ୍ରୟ କେନ୍ଦ୍ର ଖୋଲାଯିବ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଓଡ଼ିଶା ଦିବସ ପାଳନ କରାଯିବ। ନଭେମ୍ବର ୨୧ରେ ଓଡ଼ିଶା ରାଜ୍ୟ ଦିବସ ପାଳନ ଅବସରରେ ରାଜ୍ୟ ସମ୍ପର୍କିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।

ସମ୍ବନ୍ଧିତ ଖବର