ଖଣ୍ଡଗିରି: ରାମ ମନ୍ଦିର ନିର୍ମାଣ ପାଇଁ ରକ୍ତରଞ୍ଜିତ ମାର୍ଗ ଠିକ୍ ନୁହେଁ। ବୁଝାମଣାରେ ଏହା ହୋଇପାରିବ। ସତ୍ୟାଗ୍ରହର ଶକ୍ତିରେ କ’ଣ ନ ହୋଇପାରିବ! ଏଥିପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଭାରତର ସମସ୍ତ ରାଜନୈତିକ ଦଳ କେବଳ ନିର୍ବାଚନ ସମୟରେ ହିଁ ରାମ ମନ୍ଦିର ନିର୍ମାଣ କଥା ମନେ ପକାନ୍ତି। ରବିବାର ଶ୍ୟାମପୁରସ୍ଥିତ ଗ୍ରାଣ୍ଡ ମାର୍କ ଆପାର୍ଟମେଣ୍ଟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ପୁରୀ ଗୋବର୍ଧନ ମଠାଧୀଶ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଏଭଳି ମତ ରଖିଛନ୍ତି। ରାଜ୍ୟ କ୍ଷତ୍ରୀୟ ଆଦିତ୍ୟ ବାହିନୀର ସମ୍ପାଦକ ଶୁଭେନ୍ଦୁ ଦାସ ଓ ଆପାର୍ଟମେଣ୍ଟବାସୀଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜଗତ୍ଗୁରୁଙ୍କୁ ଲୋକେ ବିଭିନ୍ନ ପ୍ରଶ୍ନ କରିଥିଲେ। ରାମ ମନ୍ଦିର ନିର୍ମାଣକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ, ରାମ ମନ୍ଦିର ନିର୍ମାଣ ହେବା ଉଚିତ୍। ତେବେ ଅଧ୍ୟାଦେଶ ବଡ଼ କଠିନ ବ୍ୟାପାର। ରାମମନ୍ଦିର ନିର୍ମାଣ ପାଇଁ ରକ୍ତପାତ ମାର୍ଗ ନୁହେଁ। ସେହିଭଳି ପୁରୀ ଶ୍ରୀମନ୍ଦିର ଓ କେରଳ ସାବରିମାଳା ଆୟାପ୍ପା ମନ୍ଦିର କ୍ଷେତ୍ରରେ ନ୍ୟାୟାଳୟର ହସ୍ତକ୍ଷେପକୁ ସେ ନାପସନ୍ଦ କରିଥିଲେ। ଧାର୍ମିକ ଓ ଆଧ୍ୟାତ୍ମିକ ସଂସ୍ଥା ବିରୋଧରେ ଏହା ଷଡ଼ଯନ୍ତ୍ର ବୋଲି ସେ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଦ୍ୟାନ୍ତ ଯୁକ୍ତ ଦୁଇ ବିଜ୍ଞାନ କଲେଜର ପ୍ରତିଷ୍ଠା ଦିବସ
ଗଙ୍ଗପଡ଼ା-ଭାତଖୁରୀସ୍ଥିତ ଆଦ୍ୟାନ୍ତ ଯୁକ୍ତ ଦୁଇ ବିଜ୍ଞାନ କଲେଜର ପ୍ରତିଷ୍ଠା ଦିବସରେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଅତିଥି ଭାବେ ଯୋଗଦେଇ କହିଲେ, ଏବେ ଶିକ୍ଷା ବ୍ୟବସ୍ଥା ବଜାର ସଉଦା ପାଲଟି ଯାଇଛି। ଏହା କ୍ଷୋଭର ବିଷୟ ବୋଲି ସେ କହିଥିଲେ। ପ୍ରାରମ୍ଭରେ ସ୍ବାଗତ ଭାଷଣ ଛଳରେ କଲେଜର ନିର୍ଦେଶକ ଅଜୟ ବାହାଦୁର ସିଂହ ନିଜ କଲେଜର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କଲେଜର ଅଧ୍ୟକ୍ଷ ଅଶୋକ କୁମାର କର ପାଦୁକା ପୂଜା କରିଥିବା ବେଳେ କିଛି ଛାତ୍ରଛାତ୍ରୀ କଲେଜରେ ଚାଲିଥିବା ଉନ୍ନତ ଶିକ୍ଷାଦାନ ଓ କଲେଜର ଶୈକ୍ଷିକ ପରିବେଶ ଉପରେ ମତ ରଖିଥିଲେ।