ନନ୍ଦନକାନନରେ ନୀଳଗାଈ ମୃତ, ଧୂସର ଗଧିଆ ଅସୁସ୍ଥ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ ନମ୍ବର ଖୁଆଡ଼ ମଧ୍ୟରେ ଏକ ମାଈ ନୀଳଗାଈର ବାର୍ଧକ୍ୟ କାରଣରୁ ମୃତ୍ୟୁ ହୋଇଛି। ତା’ର ବୟସ ୧୨ ବର୍ଷ ହୋଇଥିଲା। ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ୪ଟି ପୁରୁଷ,୧୩ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୨ଟି ଛୁଆଙ୍କୁ ମିଶାଇ ମୋଟ ୧୯ଟି ନୀଳଗାଈ ରହିଛନ୍ତି। ଅପରପକ୍ଷରେ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ରହିଥିବା ଏକ ମାତ୍ର ୬ ବର୍ଷର ମାଈ ଧୂସର ଗଧିଆ ଅସୁସ୍ଥ ହୋଇ ପଡ଼ିଛି। ସେ ହାଲିଆ ହୋଇ ଗୋଟିଏ ଜାଗାରେ ଶୋଇ ରହୁଛି। ତାକୁ ଆଜି ନନ୍ଦନକାନନର ଚିକିତ୍ସକମାନେ ଚିକିତ୍ସା କରିବାରୁ ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ତେବେ ଗତ କିଛି ମାସ ହେବ ସେ ଏପରି ଅସୁସ୍ଥ ହେଉଥିବାରୁ ଚିକିତ୍ସକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ସେ କେଉଁ ରୋଗରେ ଆକ୍ରାନ୍ତ ହେଉଛି ଜଣା ପଡୁନାହିଁ। କାରଣ ଜାଣିବା ପାଇଁ ଅବଶକ୍ୟ ପଦକ୍ଷେପ ନେବାକୁ ଯୋଜନା ଚାଲିଛି। ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ୨୯ ତାରିଖରେ ନନ୍ଦନକାନନ କର୍ତୃପକ୍ଷ ଏକ ହଳ ଧୂସର ଗଧିଆଙ୍କୁ ଜୀବଜନ୍ତୁ ପ୍ରତିବଦଳରେ ମହୀଶୂର ଚିଡ଼ିଆଖାନରୁ ଆଣିଥିଲେ। ସେ ମଧ୍ୟରୁ ପୁରୁଷଟିର ଗତ ଜୁନ୍ ୩୦ ତାରିଖରେ ଅଚାନକ ମୃତ୍ୟୁ ହୋଇ ଯାଇଥିଲା। ଗତ ୧ ତାରିଖରେ ମାଈ ଗଧିଆ ପାଇଁ ପୁରୁଷ ସାଥୀ ଆଣିବାକୁ ନନ୍ଦନକାନନ କର୍ମଚାରୀ ମହୀଶୂର ଗସ୍ତ କରିଛନ୍ତି। ଏତିକି ବେଳେ ମାଈଟିର ଅସୁସ୍ଥତା ଚିନ୍ତାରେ ପକେଇଛି। ସେଥିଲାଗି କେବଳ ପୁରୁଷଟିଏ ନ ଆଣି ତା’ ସହିତ ଆଉ ଏକ ମାଈ ମଧ୍ୟ ଆଣିବାକୁ କର୍ତୃପକ୍ଷ ମହୀଶୂର ଚିଡ଼ିଆଖାନା କର୍ତୃପକ୍ଷଙ୍କ ସହ ଆଲୋଚନା କରି ମନାଇବାକୁ ପ୍ରୟାସ ଚଳାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର