ନାଟକ ‘ଝରକା’, କହିବା ପୂର୍ବରୁ ବୁଝିବା ଦରକାର

ଭୁବନେଶ୍ବର: ଅନ୍ୟର ପରିସ୍ଥିତିକୁ ନବୁଝି ତା ଉପରେ ଏଣୁତେଣୁ ନକରାତ୍ମକ ଟିପ୍ପଣୀ ଦେଉଥିବା ଲୋକଙ୍କ ସଂଖ୍ୟା ଏ ଦୁନିଆରେ କମ୍‌ ନାହିଁ। ଅନ୍ୟକୁ ଆକ୍ଷେପ କରି କହିବା ବେଳେ ସେ ଯେ ମାନସିକ ସ୍ତରରେ କେତେ ଯନ୍ତ୍ରଣା ଭୋଗେ ତାହା ସମ୍ପୃକ୍ତ ବ୍ୟକ୍ତି ବୁଝିବାକୁ ଚେଷ୍ଟା ବି କରେନାହିଁ। ବିଚାର ନକରି ଦି ପଦ ଶୁଣେଇଦେଲେ ଯେମିତି ଆତ୍ମତୃପ୍ତିରେ ତା ମନ ପୂରିଯାଏ। ଯେବେ ସତକଥା ଜାଣେ, ସେ ଅନୁତାପ କରେ। ମାତ୍ର ସେତେବେଳେ ନେଡ଼ି ଗୁଡ଼ କହୁଣିକୁ ବୋହି ସାରିଥାଏ। ଅନୁତାପ ସ୍ବରୂପ ଭୁଲ ସିନା ମାଗେ, କିନ୍ତୁ ସେତେବେଳକୁ ବିଚାରା ବ୍ୟକ୍ତିଜଣଙ୍କ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥାଏ ? ସମସାମୟିକ ଦୁନିଆରେ ଏହିଭଳି ଏକ ବିକୃତ ମାନସିକତାର ପରିଣତି ବିଷୟ‌ରେ ସଚେତନ କରିଥିଲା ନାଟକ ‘ଝରକା’। ନାଟ୍ୟାନୁଷ୍ଠାନ ଏକ୍ସପ୍ରେସନ୍‌ସ ପକ୍ଷରୁ ଭଂଜ କଳାମଣ୍ଡପରେ ଚାଲିଥିବା ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବରେ ଭବାନୀପାଟଣାର ‘କାରୁଣ୍ଡ୍‌ କଳାମଞ୍ଚ’ର କଳାକାରମାନେ ଭେଟି ଦେଇଥିଲେ ଏହି ନାଟକ। ନାଟକର ରଚନା ସହ ନିର୍ଦେଶନା ଦେଇଥିଲେ ପ୍ରଦୀପ ଡି ମାଝି। ଏହି ଅବସରରେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ନାଟ୍ୟ ନିର୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକ, ଏନ୍‌ଏମ୍‌ ଗ୍ରୁପ୍‌ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ସର ଅଧ୍ୟକ୍ଷ ରମେଶଚନ୍ଦ୍ର ପରିଡ଼ା, କମ୍ପ୍ୟୁଟର ଲାବ୍‌ର ସିଇଓ ସନ୍ତୋଷ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସୋନି ଉଦ୍‌ଘାଟନୀ ସଭାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର