ଜାତୀୟ ସଡ଼କ ସୁରକ୍ଷା ସପ୍ତାହ : ସଚେତନ ହେଲେ କମିବ ଦୁର୍ଘଟଣା, ‘୫ ଗୋଟି ସ୍ୱର୍ଣ୍ଣିମ ନିୟମ’ ଅଭିଯାନ ଶୁଭାରମ୍ଭ

ଭୁବନେଶ୍ୱର : ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ଦୁର୍ଘଟଣାର ହାର ଉଦ୍‌ବେଗଜନକ। ପ୍ରତିବର୍ଷ ଏହି ହାର ବୃଦ୍ଧି ଘଟିବା ସହ ବ୍ୟାପକ ଧନଜୀବନ ହାନି ହେଉଛି। ଏହା ଏକ ଚିନ୍ତାର କାରଣ। ଏଥିପାଇଁ ସମସ୍ତେ ସଚେତନ ହେବାର ସମୟ ଆସିଛି। ଯଦି ସାଧାରଣଲୋକେ ସଚେତନ ନ ହେବେ, ପ୍ରଶାସନ କିମ୍ବା ପୁଲିସ ଯେତେ ଚେଷ୍ଟା କଲେ ବି ଦୁର୍ଘଟଣାକୁ ଏଡ଼ା ଯାଇପାରିବ ନାହିଁ। ଆଜି କମିସନ୍‌ରେଟ୍‌ ପୁଲିସ ପକ୍ଷରୁ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଡ଼କ ସୁରକ୍ଷାର ‘୫ଗୋଟି ସ୍ୱର୍ଣ୍ଣିମ ନିୟମ’ ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏପରି ମତବ୍ୟକ୍ତ କରିଛନ୍ତି।

ଶ୍ରୀ ତ୍ରିପାଠୀ ଆହୁରି କହିଲେ ଯେ କେତେକ ସ୍ଥାନରେ ରାସ୍ତାନ ନିର୍ମାଣରେ ବୈଷୟିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟୁଛି। ଆସନ୍ତା ୨-୩ ବର୍ଷ ମଧ୍ୟରେ ଏହାର ସମାଧାନ କରାଯିବ। କିନ୍ତୁ ସବୁଠାରୁ ବଡ଼ କଥା ହେଲା, ଅଧିକାଂଶ ଲୋକଙ୍କୁ ଟ୍ରାଫିକ୍‌ ନିୟମ ଜଣାନାହିଁ। ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ କି ସିଟ୍‌ବେଲ୍ଟ ବ୍ୟବହାର କରୁନାହାନ୍ତି। ସେହିପରି ଲୋକମାନେ ଗାଈଗୋରୁଙ୍କୁ ଅବାଧରେ ରାସ୍ତା ଉପରକୁ ଛାଡ଼ି ଦେଉଛନ୍ତି। ଏହା ଦୁର୍ଘଟଣା ଘଟିବାର ଆଉ ଏକ ପ୍ରମୁଖ କାରଣ। ଏଥିପ୍ରତି ଲୋକମାନେ ସଚେତନ ହେଲେ ଦୁର୍ଘଟଣା ୧୫ ପ୍ରତିଶତ କମିଯିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ଜି. ଶ୍ରୀନିବାସ, ପୂର୍ତ୍ତ ବିଭାଗର ଶାସନ ସଚିବ ନଳିନୀକାନ୍ତ ପ୍ରଧାନ ଓ ପରିବହନ କମିସନର ମଧୁସୂଦନ ପାଢ଼ୀ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ସେହିପରି ପୁଲିସ କମିସନର ଓ୍ଵାଇ.ବି ଖୁରାନିଆ ସଡ଼କ ସୁରକ୍ଷାର ‘୫ ଗୋଟି ସ୍ୱର୍ଣ୍ଣିମ ନିୟମ’ ଯଥା ଗାଡ଼ି ଚଲାଇବା ବେଳେ ହେଲ୍‌ମେଟ୍‌ ପିନ୍ଧିବା, ସିଟ୍‌ବେଲ୍ଟ ବାନ୍ଧିବା, ମଦ ନପିଇବା, ମୋବାଇଲ୍‌ ବ୍ୟବହାର ନ କରିବା ଓ ଦ୍ରୁତ ଗତିରେ ଗାଡ଼ି ନ ଚଲାଇବା ଉପରେ ଉଦ୍‌ବୋଧନ ଦେଇଥିଲେ। ଏହି ନିୟମଗୁଡ଼ିକ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯିବ। ସ୍କୁଲଠାରୁ ଆରମ୍ଭ କରି ବିଭିନ୍ନ କର୍ପୋରେଟ୍‌ ସଂସ୍ଥାମାନଙ୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଭଳି ସଚେତନତା ଦୁର୍ଘଟଣା ରୋକିବାରେ ସହାୟକ ହେବ ବୋଲି ପୁଲିସ କିମିସନର୍‌ ଶ୍ରୀ ଖୁରାନିଆ କହିଥିଲେ। ଯେଉଁମାନେ ନିୟମ ଉଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି।

ଏହି ଅବସରରେ କମିସନରେଟ୍‌ ପୁଲିସ ପକ୍ଷରୁ ମୁଖ୍ୟ ଅତିଥି ଓ ବିଶିଷ୍ଟ ଅତିଥିମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେହିପରି କମିସନରେଟ୍‌ ପୁଲିସ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଟ୍ରାଫିକ୍‌ ଡିସିପି କୃଷ୍ଣଚନ୍ଦ୍ର ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତିରିକ୍ତ ପୁଲିସ କମିସନର ସଞ୍ଜୟସିଂ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଟ୍ରାଫିକ୍‌ ଏସିପି ଯତୀନ ପଣ୍ଡା, ଆଇଆଇସି ସୁରେନ୍ଦ୍ର ବଳ, ପ୍ରମୋଦ ପଟ୍ଟନାୟକ, ବହୁ ପୁଲିସ ଅଧିକାରୀଙ୍କ ସମେତ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର