ରାଜଧାନୀରେ ଅଭିନବ ଠକେଇ, ମ୍ୟାଜିକ ପେନ୍‌ରେ ଲୁଟ୍‌

ଭୁବନେଶ୍ବର: ଆପଣ କାହାକୁ ଚେକ୍ ଦେଉଛନ୍ତି କି ? ଯଦି ହଁ, ତେବେ ଚେକ୍‌କୁ ସଂପୂର୍ଣ୍ଣ ଭାବେ ନିଜ ପେନ୍‌ରେ ହିଁ ପୂରଣ କରନ୍ତୁ। ନଚେତ ଆପଣ ଠକେଇର ଶିକାର ହୋଇଯିବେ। ଏପରିକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଶୂନ ହୋଇଯାଇପାରେ। ଏଭଳି ଅଭିନବ ଉପାୟରେ ଠକେଇ କରୁଥିବା ଏକ ଗ୍ୟାଙ୍ଗ୍ ଏବେ ରାଜଧାନୀରେ ସକ୍ରିୟ। ଗତ ଦୁଇ ସପ୍ତାହ ମଧ୍ୟରେ ରାଜଧାନୀରେ ଏଭଳି ଅଭିଯୋଗ ବଢ଼ିବା ପରେ କମିସନ‌ରେଟ୍‌ ପୁଲିସ ଚିନ୍ତାରେ ପଡ଼ିଛି। ଆଜି ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ଜଗନ୍ନାଥ ଗ୍ରାଫିକ୍ସ ମାଲିକ ରଂଜନ କୁମାର ମଲ୍ଲ ଏଭଳି ଠକେଇର ଶିକାର ହୋଇଛନ୍ତି। ଠକଜଣକ ତାଙ୍କ ଆକାଉଣ୍ଟରୁ ୧.୫ ଲକ୍ଷ ଟଙ୍କା ଉଠାଇ ନେଇଛି। ଏନେଇ ରଂଜନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଓ ସ୍ପେସାଲ ସ୍କ୍ବାଡ୍ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌କୁ ଆଧାର କରି ଛାନଭିନ ଆରମ୍ଭ କରିଛି। ରଂଜନଙ୍କ ଫୋନ୍ କରିଥିବା ଉକ୍ତ ଠକର ମୋବାଇଲକୁ ପୁଲିସ ଟ୍ରାକ୍‌ କରିବା ଆରମ୍ଭ କରିଛି। ରଂଜନଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଜଣେ ଓଡ଼ିଆ ଯୁବକ ଫୋନ୍‌ କରି ନିଜକୁ ଏକ ନିର୍ଦିଷ୍ଟ ବ୍ୟାଙ୍କର ମ୍ୟାନେଜର୍‌ ବୋଲି ପରିଚୟ ଦେଇଥିଲା। କହିଥିଲା, ଆମର ମ୍ୟାନେଜର ଆପଣଙ୍କ ସହିତ ବ୍ୟାଙ୍କ ଋଣ ସମ୍ପର୍କ‌‌‌ରେ କଥାବାର୍ତ୍ତା ହେବେ। ବୁଧବାର ଅପରାହ୍‌ଣରେ ଜଣେ ଅଣଓଡ଼ିଆ ଯୁବକ ତାଙ୍କୁ ଫୋନ୍ କରି ରଂଜନଙ୍କ ବମିଖାଲ କାର୍ଯ୍ୟାଳୟକୁ ଆସିଥିଲେ। ସୁଟବୁଟ କୋର୍ଟ ପିନ୍ଧି ଆସିଥିବା ଏହି ଯୁବକଜଣଙ୍କ ନିଜକୁ ବ୍ୟାଙ୍କ ମ୍ୟାନେଜର୍‌ ବୋଲି ପରିଚୟ ଦେଇ ରଂଜନଙ୍କୁ କହିଥିଲା, ଆପଣଙ୍କର ଭଲ ବ୍ୟବସାୟ ଚାଲିଛି। ବ୍ୟାଙ୍କ ପକ୍ଷରୁ ଆପଣଙ୍କୁ ୧୦ ଲକ୍ଷ ଟଙ୍କାର ସିସି ଋଣ ପ୍ରଦାନ କରାଯିବ। ଏଥିପାଇଁ ସେ ରଂଜନଙ୍କ ଆଧାରକାର୍ଡ, ପ୍ୟାନ୍‌କାର୍ଡ, ଫଟୋ, ବିଦ୍ୟୁତ୍‌ ବିଲର ଜେରକ୍ସ କପି ନେଇଥିଲା। କହିଥିଲା, ୧୦ ଲକ୍ଷ ଟଙ୍କା ଋଣ ନେବାକୁ ହେଲେ ଅତି କମ୍‌ରେ ୧.୫ ଲକ୍ଷ ଟଙ୍କାର ବାଲାନ୍ସ ଥିବା ବ୍ୟାଙ୍କ ଆକାଉଣ୍ଟର ଏକ କ୍ୟାନସେଲ ଚେକ୍ ଦେବାକୁ ପଡ଼ିବ। ରଂଜନ ଏହା ପରେ ବମିଖାଲ ଛକରେ ଥିବା ଆଇଡିବିଆଇ ବ୍ୟାଙ୍କର ଏକ ଚେକ୍‌ ଧରାଇଥିଲେ। ଏହାକୁ କ୍ୟାନସେଲ କରିବା ବେଳେ ଠକଜଣଙ୍କ ନିଜ ପକେଟରୁ ପେନ୍ ବାହାର କରି ରଂଜନଙ୍କ ହାତକୁ ବଢ଼ାଇ ଦେଇଥିଲା। ରଂଜନ ସେହି ପେନ୍‌ରେ ଦସ୍ତଖତ କରିବା ସହ ଚେକ୍‌ କ୍ୟାନସେଲ କରି ବଢ଼ାଇ ଦେଇଥିଲେ। ଆଜି ସକାଳୁ ପୁଣି ଥରେ ସେହି ଠକ ରଂଜନଙ୍କୁ ଫୋନ୍ କଲ କରି କହିଥିଲା, ଆପଣଙ୍କ ଆକାଉଣ୍ଟ ଏବେ ଲଗ୍‌-ଇନ ହେବ। ଆପଣ ଫୋନ୍ ଲାଇନରେ କିଛି ସମୟ ରୁହନ୍ତୁ। ଏହି ସମୟରେ ଠକଜଣକ ରଂଜନଙ୍କ ସହିତ ମୋବାଇଲରେ ଗପିବା ଆରମ୍ଭ କରିଥିଲା। କିଛି ସମୟ ପରେ ରଂଜନଙ୍କ ଫୋନ ମନକୁ କଟି ଯାଇଥିଲା। ଏହା ପରେ ରଂଜନଙ୍କ ମୋବାଇଲକୁ ଏସ୍‌ଏମ୍‌ଏସ୍‌ ଆସିଥିଲା ଯେ ତାଙ୍କ ଆକାଉଣ୍ଟରୁ ୧.୫ଲକ୍ଷ ଟଙ୍କା ଉଠାଯାଇଛି। ରଂଜନ ତୁରନ୍ତ ବ୍ୟାଙ୍କକୁ ଯାଇ ପଚରାଉଚରା କରିବା ବେଳେ ଜାଣିବାକୁ ପାଇଥିଲେ ସେହି ଠକଜଣକ ଚେକ୍‌ ମାଧ୍ୟମରେ ରଂଜନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଛି। ବ୍ୟାଙ୍କରେ ନିଜକୁ ପ୍ରଦୀପ୍ତ ବାନାର୍ଜି ବୋଲି ପରିଚୟ ଦେବା ସହ ପ୍ୟାନ୍‌କାର୍ଡ ଜେରକ୍ସ ପ୍ରଦାନ କରିଛି। ଏହା ପରେ ରଂଜନ ଲକ୍ଷ୍ମୀସାଗର ଥାନାକୁ ଯାଇ ଏତଲା ଦେଇଛନ୍ତି। କେବଳ ରଂଜନ କାହିଁକି, ଗତ କିଛି ଦିନ ମଧ୍ୟରେ ରାଜଧାନୀ ସମେତ ରାଜ୍ୟର ଅନ୍ୟ କେତେକ ସହରରେ ମଧ୍ୟ ଲୋକେ ଏଭଳି ଠକେଇର ଶିକାର ହୋଇଛନ୍ତି।

ଜଗନ୍ନାଥ ଗ୍ରାଫିକ୍ସ ମାଲିକଙ୍କଠାରୁ ଲୁଟି ନେଲେ ୧.୫ ଲକ୍ଷ ଟଙ୍କା, ଥାନାରେ ଏତଲା
ସ୍ପେସାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ଥାନା ପୁଲିସର ତଦନ୍ତ ଆରମ୍ଭ

କେମିତି ଠକୁଛନ୍ତି?
ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ଠକେଇ ଘଟଣା ବଢ଼ୁଥିଲେ ମଧ୍ୟ କମିସନ‌ରେଟ୍‌ ପୁଲିସ ପାଇଁ ଏହା ନୂଆ। ଠକଜଣକ ଏହି ପେନ୍‌ ପାଖରେ ରଖିଥା‌ଏ। ଯେତେବେଳେ କୌଣସି ବ୍ୟକ୍ତିଙ୍କ ଚେକ୍‌ କ୍ୟାନସେଲ କରିବାକୁ ଦେଇଥାନ୍ତି, ଏହି ସମୟରେ ଚାଲାକ କରି ଠକଜଣକ ନିଜ ପକେଟରେ ଥିବା ମ୍ୟାଜିକ ପେନ୍ ବଢ଼ାଇ ଦେଇଥାଏ। ତେବେ ଏହି ମ୍ୟାଜିକ ପେନ୍‌ରେ ଲେଖା ଯାଇଥିବା ସଂପୂର୍ଣ୍ଣ ତଥ୍ୟ ପରେ ଲିଭ‌ା ଯାଇ ପାରିବ। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏହି ମ୍ୟାଜିକ୍‌ ପେନ୍‌ରେ ଆପଣ ଲେଖିବା ପରେ ଏହା ତଳ ଭାଗରେ ଲାଇଟର୍‌ ଜଳାଇଲେ, ତାହା ସଂପୂର୍ଣ୍ଣ ଲିଭି ଯାଇଥାଏ। ଏହାର ଫାଇଦା ଉଠାଇ ଠକଜଣଙ୍କ ଆପଣଙ୍କ ଦସ୍ତଖତକୁ ଛାଡ଼ି ଦେଇ ଚେକ୍‌ରୁ ସବୁ ଲେଖା ଲିଭାଇ ମନଇଚ୍ଛା ଟଙ୍କା ଭରିଥା‌ଏ। ଏହା ପରେ ସିଧା ବ୍ୟାଙ୍କକୁ ଯାଇ ବ୍ୟାଙ୍କରୁ ନଗଦ ଟଙ୍କା ଉଠାଇ ନେଇଥାଏ। ଯାହା ଆଜି ରଂଜନ ମଲ୍ଲଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।

ଖୁବ ଶୀଘ୍ର ହେବ ରହସ୍ୟ ଉନ୍ମୋଚନ
ଏହି ମ୍ୟାଜିକ ପେନ ମାଧ୍ୟମରେ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଥିବା ଏକ ଗ୍ୟାଙ୍ଗକୁ କିଛି ଦିନ ତଳେ ମୁମ୍ବାଇ ପୁଲିସ ଗିରଫ କରିଥିଲା। ଏମାନେ ମୁମ୍ବାଇର ଏକାଧିକ ବ୍ୟବସାୟୀଙ୍କୁ ଏଭଳି ମ୍ୟାଜିକ ପେନ ମାଧ୍ୟମରେ ଚୂନ ଲଗାଇ ଲକ୍ଷାଧିକ ଟଙ୍କା ଉଠାଇ ନେଇଥିଲେ। ସେହି ଗ୍ୟାଙ୍ଗ ଜାମିନରେ ଆସି ଭୁବନେଶ୍ବରରେ ଏଭଳି ଠକେଇ କରୁଛନ୍ତି। ତେବେ ଖୁବ୍‌ଶୀଘ୍ର ଏହି ରୢାକେଟ୍‌ର ରହସ୍ୟ ଉନ୍ମୋଚନ ହେବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର