ଭୁବନେଶ୍ବର : ୨୦୦୮ ନୂଆବର୍ଷ ଦିନ କାର୍ଯ୍ୟକ୍ଷମ ହୋଇଥିବା କମିସନରେଟ୍ ପୁଲିସକୁ ୧୧ବର୍ଷ ପୂରିଛି। ପ୍ରଥମ ପୁଲିସ କମିସନର୍ ବିନୟ ବେହେରାଙ୍କଠାରୁ ଆରମ୍ଭ କରି ବିଦାୟୀ କମିସନର୍ ସତ୍ୟଜିତ ମହାନ୍ତିଙ୍କ ପର୍ଯ୍ୟନ୍ତ; କମିସନରେଟ୍ ପୁଲିସ ନୂଆ ନୂଆ ସ୍ବାଦ ଚାଖିଛି। ଏବେ ସପ୍ତମ କମିସନର୍ ଭାବେ ସୁଧାଂଶୁ ଷଡ଼ଙ୍ଗୀ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ସହ ସହରବାସୀ କିଭଳି ସୁରକ୍ଷିତ ରହିପାରିବେ ତଥା ପୁଲିସକୁ ଭରସା କରିବେ, ତାହା ଉପରେ ଗୁରୁତ୍ବ ଦେବେ ବୋଲି ସେ କହିଛନ୍ତି। ତେବେ ପ୍ରତିଥର ନୂଆ କରି କାର୍ଯ୍ୟରେ ଯୋଗ ଦେଉଥିବା କମିସନର ନୂଆ ନୂଆ ଯୋଜନା କରିଛନ୍ତି। କିନ୍ତୁ କମିସନର ବଦଳିବା ପରେ ସେହି ସବୁ ଯୋଜନାଗୁଡ଼ିକୁ ଧ୍ୟାନ ଦିଆଯାଇ ନାହିଁ। ତେଣୁ ନୂଆ କମିସନର୍ ଶ୍ରୀ ଷଡ଼ଙ୍ଗୀ ପୁରୁଣା ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଇବେ ନା ସେଗୁଡ଼ିକ ଫାଇଲ୍ ତଳେ ଚାପି ହୋଇ ରହିଯିବ? ତଦନ୍ତରେ ଫେଲ ମାରିଥିବା ଅନେକ ବଡ଼ବଡ଼ ଅପରାଧରେ ପୁଲିସକୁ ସଫଳତା ମିଳିବ ତ? ଏଭଳି ଅନେକ ପ୍ରଶ୍ନ ଏବେ ତାଙ୍କ ଆଗରେ ଛିଡ଼ା ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆମ ଥାନା
କମିସନରେଟ୍ ପୁଲିସ କିଭଳି ଲୋକଙ୍କର ନିକଟତର ହୋଇପାରିବ, ସେନେଇ ପୂର୍ବ କମିସନର୍ ସତ୍ୟଜିତ ମହାନ୍ତି ଯୋଜନା କରିଥିଲେ। ଏଥିରେ ବିଭିନ୍ନ ସ୍କୁଲ୍ର ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଥାନାକୁ ନେଇ ପୁଲିସର କାର୍ଯ୍ୟଧାରା ବିଷୟରେ ଅବଗତ କରାଇବା ଓ ପୁଲିସ ପ୍ରତି ପିଲାଙ୍କ ମନରୁ ଭୟ ଦୂର କରାଇବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା। କିଛି ଦିନ ସ୍କୁଲ୍ ଛାତ୍ରଛାତ୍ରୀ ଥାନା ବୁଲିଥିଲେ। କ୍ୟାପିଟାଲ ଥାନା ଓ ନନ୍ଦନକାନନ ଥାନାକୁ କିଛି ଛାତ୍ରଛାତ୍ରୀଙ୍କୁ ନିଆଯାଇ ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା।
ଆପୋସ
ବସ୍ତିରେ ଅଜଣା ଲୋକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅପରାଧ ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ବସ୍ତିରୁ ପୁଲିସ ସୂଚନା ପାଉନାହିଁ। ବସ୍ତିବାସିନ୍ଦାଙ୍କ ନିକଟତର ହେବା ପାଇଁ ଏକ ଯୋଜନା ‘ଆପୋସ’ ନାମରେ କାର୍ଯ୍ୟକ୍ଷମ ହୋଇଥିଲା। କେତେକ କ୍ଲବକୁ ଖେଳ ସାମଗ୍ରୀ ଯୋଗାଇ ଦିଆଯିବା ସହ ଯୁବକମାନଙ୍କୁ ପୁଲିସର ନିକଟତର କରିବା ପାଇଁ ଯୋଜନା ହୋଇଥିଲା।
ନିର୍ଭୟା: ବିଭିନ୍ନ ସମୟରେ କମିସନରେଟ୍ ପୁଲିସର ଦକ୍ଷତା ବୃଦ୍ଧି କରାଯାଇଛି। ଅପରାଧ ନିୟନ୍ତ୍ରଣ ପାଇଁ ଆଧୁନିକ କୌଶଳ ସହ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି। ମହିଳାଙ୍କୁ ସୁରକ୍ଷାକୁ ଗୁରୁତ୍ବ ଦେଇ ପରିକଳ୍ପନା କରାଯାଇଥିବା ‘ନିର୍ଭୟା’ ଯୋଜନା ମଧ୍ୟ ଏଯାବତ୍ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏହି ଯୋଜନା ଅଧୀନରେ ମହାନଗରରେ ପାଖାପାଖି ୨ ହଜାର ସିସିଟିଭି କ୍ୟାମେରା ଲାଗିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବିଶେଷକରି ମହିଳା ଶିକ୍ଷାନୁଷ୍ଠାନ, ସପିଂ ମଲ୍, ବସ୍ଷ୍ଟପ୍ ଓ ଧାର୍ମିକ ଅନୁଷ୍ଠାନ ନିକଟରେ ଏହି ସିସିଟିଭି କ୍ୟାମେରା ଖଞ୍ଜାଯାଇ ବିଭିନ୍ନ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯିବ। ଏଥିପାଇଁ ଜାଗା ଚିହ୍ନଟ ମଧ୍ୟ ହୋଇଥିଲା। ହେଲେ ତାହା ସମ୍ଭବ ହୋଇ ପାରିନାହିଁ।
ଶକ୍ତି: ସେହିଭଳି ମହିଳାଙ୍କ ସୁରକ୍ଷା ପାଇଁ ଏକ ସମର୍ପିତ ପିସିଆର ଭ୍ୟାନ୍ ‘ଶକ୍ତି’ କାର୍ଯ୍ୟକ୍ଷମ ହେବାକୁ ଯୋଜନା ଥିଲା। ଏଥିରେ ୫୦ପ୍ରତିଶତ ମହିଳା ପୁଲିସ ରହିବାକୁ ବ୍ୟବସ୍ଥା ଥିଲା। ମହିଳାମାନେ କୌଣସି ବିପଦର ସମ୍ମୁଖୀନ ହେଲେ, ତୁରନ୍ତ ସହାୟତା ବା ସୁରକ୍ଷା ଯୋଗାଇ ଦେବା ପାଇଁ ଏହି ପିସିଆର ୨୪ ଘଣ୍ଟା ପ୍ରସ୍ତୁତ ରହିବାକୁ ଯୋଜନା କରାଯାଇଥିଲା। ହେଲେ ତାହା ସଫଳ ହୋଇ ପାରିନାହିଁ।
ସାଇବର ଥାନା: ମହିଳାଙ୍କ ପାଇଁ ସମର୍ପିତ ସାଇବର ଥାନା ମଧ୍ୟ ଯୋଜନା ଥିଲା। ମହିଳାମାନେ ଗୋଟିଏ ଛାତ ତଳେ ଯେଭଳି ବିଭିନ୍ନ ସମସ୍ୟାର ସମାଧାନ ପାଇବେ ସେ ନେଇ ଏକ ଯୋଜନାର ପରିକଳ୍ପନା କରାଯାଇଥିଲା। ଆହୁତ(ମାନବ ଚାଲାଣ ନିରୋଧ ୟୁନିଟ୍), ମହିଳା ଥାନା ଓ ମାଧ୍ୟମ କାଉନ୍ସେଲିଂ କେନ୍ଦ୍ର ଭଳି ମହିଳା ସମସ୍ୟା ସମ୍ବନ୍ଧୀୟ ୟୁନିଟକୁ ଏକାଠି କରି ଗୋଟିଏ ଛାତ ତଳେ ରଖିବା ପାଇଁ ମଧ୍ୟ ଯୋଜନା ଥିଲା। ତାହା ସମ୍ଭବ ହୋଇନାହିଁ।
ପିଙ୍କ୍ ଅଟୋ: ଯିବା ଆସିବା ସମୟରେ ନିର୍ଯାତନାର ଶିକାର ହେବାରୁ ମହିଳାମାନଙ୍କୁ ସୁରକ୍ଷିତ ପରିବହନ ପାଇଁ ଯୋଜନା ହୋଇଥିଲା। କେବଳ ମହିଳାମାନଙ୍କୁ ପରିବହନ କରିବା ପାଇଁ ପିଙ୍କ୍ ଅଟୋ ବ୍ୟବସ୍ଥା ହୋଇଥିଲା। କିଛି ଦିନ ପରେ ପିଙ୍କ୍ ଅଟୋରେ ବି ପୁରୁଷ ଓ ମହିଳା ଯାତ୍ରୀ ଏବଂ କେବଳ ପୁରୁଷ ଯାତ୍ରୀ ଯାତାୟାତ କରୁଥିବା ଦେଖିବାକୁ ମିଳିଲା।
ଆଇ କ୍ଲିକ୍: ଥାନାକୁ ନ ଆସି ଏତଲା ଦେବା ପାଇଁ ଏକ ସୁନ୍ଦର ଯୋଜନା ହୋଇଥିଲା। ଅନ୍ଲାଇନ୍ରେ ଅଭିଯୋଗ ପତ୍ର ପଠାଇବା ପାଇଁ ଆଇ କ୍ଲିକ୍ ବ୍ୟବସ୍ଥା ହୋଇଥିଲା। ଏକ ସ୍ବତନ୍ତ୍ର କିଓସ୍କରେ ଏହି ଏତଲା ଦେବା ପାଇଁ ବ୍ୟବସ୍ଥା ହୋଇଥିଲା। ସହିଦ ନଗରରେ ଏକ ଏଟିଏମ୍ରେ ଏହି ମେସିନ୍ ଲାଗିଥିଲା। ହେଲେ ସେଚତନତା ଅଭାବରୁ ଏହା ସଫଳ ହୋଇପାରିଲାନି।
କମିସନରେଟ୍ କୋଠା ନିର୍ମାଣର ଥିଲେ ମୁଖ୍ୟ ବିନ୍ଧାଣୀ
ଭୁବନେଶ୍ବରରେ ନିର୍ମାଣ ହୋଇଥିବା ବହୁ ସରକାରୀ କୋଠା ମଧ୍ୟରୁ ଅନ୍ୟତମ ଆକର୍ଷଣୀୟ କୋଠା ହେଲା କମିସନରେଟ୍ ପୁଲିସ୍ର ମୁଖ୍ୟାଳୟ। ଚାରି ମହଲା ବିଶିଷ୍ଟ ଏହି କୋଠାର ନିର୍ମାଣ ମାତ୍ର ୧୮ ମାସରେ ଶେଷ ହୋଇଥିଲା, ଯାହା କି ଏକ ରେକର୍ଡ। ୨୦୧୧ ମସିହା ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥିଲେ। ଏହି କୋଠା ନିର୍ମାଣ ଦାୟିତ୍ବ ନେଇଥିଲା ଓଡ଼ିଶା ପୁଲିସ୍ ହାଉସିଂ ବୋର୍ଡ। ଏହାର ଆରମ୍ଭରୁ େଶଷ ପର୍ଯ୍ୟନ୍ତ ଟିକିନିଖି ତଦାରଖ କରୁଥିଲେ ବୋର୍ଡର ତତ୍କାଳୀନ ସିଏମ୍ଡି ସୁଧାଂଶୁ ଶେଖର ଷଡ଼ଙ୍ଗୀ। ରେକର୍ଡ ସମୟ ମଧ୍ୟରେ ଏମିତି ଏକ ନିଖୁଣ ନିର୍ମାଣର ସମସ୍ତ ଶ୍ରେୟ ଦିଆଯାଇଥିଲା ଶ୍ରୀ ଷଡ଼ଙ୍ଗୀଙ୍କୁ। ଯେଉଁ କୋଠାକୁ ନିର୍ମାଣ କରି ସେ ଖ୍ୟାତି ସାଉଁଟିଥିଲେ, ଏବେ ସେହି କୋଠାରେ ନିଜେ ମୁଖିଆ ହୋଇ ବସିଲେ। ଏପରି ଏକ ବିରଳ ସଂଯୋଗ ଆଜି ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। କେବଳ ସେତିକି ନୁହେଁ, ରାଜ୍ୟରେ କମିସନରେଟ୍ ପୁଲିସ୍ ବ୍ୟବସ୍ଥା ଲାଗୁ କରିବାରେ ମଧ୍ୟ ଶ୍ରୀ ଷଡ଼ଙ୍ଗୀଙ୍କ ଭୂମିକା ଥିଲା ବୋଲି କୁହାଯାଏ। ଏହି ବ୍ୟବସ୍ଥା ଲାଗୁ ପାଇଁ ଥିବା ବିଭିନ୍ନ ଅମଲାତନ୍ତ୍ରିକ ବାଧାକୁ ହଟାଇବାରେ ସେ ଅନବରତ ଉଦ୍ୟମ କରିଥିଲେ। ପ୍ରଶାସନିକ ମହଲରେ ଏ ନେଇ ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ।