କାମରେ ଆସୁନି ଜଳଯୋଗାଣ ପ୍ରକଳ୍ପ

ପାଣି ପାଇଁ ହନ୍ତସନ୍ତ ଧବଳାହାର ଗ୍ରାମବାସୀ

ବାଲିଅନ୍ତା: ବାଲିଅନ୍ତା ବ୍ଲକର ଧବଳାହାର ଗ୍ରାମବାସୀଙ୍କୁ ପାଇପ୍‌ ଯୋଗେ ଜଳ ଯୋଗାଇବା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଏବେ ଲୋକଙ୍କ କାମରେ ଆସୁନାହିଁ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦୁଇଘଣ୍ଟା ଲେଖାଏଁ ୪ ଘଣ୍ଟା ଷ୍ଟାଣ୍ଡପୋଷ୍ଟ୍‌କୁ ପାଣି ଯୋଗାଇବା ପାଇଁ ସରକାରୀ ନିୟମ ଥିବା ବେଳେ ଅଧିକାଂଶ ସମୟରେ ପାଣି ଆସୁ ନାହିଁ। ଉଭୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଯୋଗୁ ଏଭଳି ଜନକଲ୍ୟାଣ ଯୋଜନା ପରିଚାଳନା ପ୍ରଭାବିତ ହେଉଥିବା କୁହାଯାଉଛି। ଏ ସଂପର୍କରେ ସ୍ଥାନୀୟ ଲୋକେ ବିଭାଗୀୟ କର୍ତୃପକ୍ଷଙ୍କଠାରୁ ଆରମ୍ଭ କରି ସରପଞ୍ଚଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଦାୟିତ୍ୱରେ ଥିବା ପଞ୍ଚାୟତ ଜନପ୍ରତିନିଧି ଓ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ଦୀର୍ଘ ଦୁଇମାସ ହେଲା ଏହି ଗ୍ରାମବାସୀ ଉତ୍କଟ ଜଳାଭାବର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁଯାୟୀ, ୨୦୧୫/୧୬ ଆର୍ଥିକ ବର୍ଷରେ ଏହି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ଗ୍ରାମର ସବୁ ସାହିକୁ ପାଇପ୍‌ ଲାଇନ୍‌ ବିଛାଯିବା ସହ ୨୫ରୁ ଅଧିକ କଂକ୍ରିଟ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଛି। ଖରାଦିନେ ବୋରେଓ୍ଵଲରୁ ଷ୍ଟାଣ୍ଡପୋଷ୍ଟକୁ ପାଣି ଯୋଗାଣରେ ଯେପରି ସମସ୍ୟା ଦେଖା ନଦିଏ, ସେନେଇ ଅତିରିକ୍ତ ଟଙ୍କା ଖର୍ଚ୍ଚ କରାଯାଇ ଓଭରହେଡ୍‌ ଟାଙ୍କି ମଧ୍ୟ ନିର୍ମିତ ହୋଇଛି। ଗତବର୍ଷ ଏହି ପ୍ରକଳ୍ପକୁ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଉଦ୍‌ଘାଟନ କରିଥିଲେ। କିନ୍ତୁ ସରପଞ୍ଚ ଓ ସମିତି ସଭ୍ୟଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଯୋଗୁ ଏହି ପ୍ରକଳ୍ପ ଏବେ ଗ୍ରୀଷ୍ମଦିନରେ ଲୋକଙ୍କ କାମରେ ଆସିପାରୁନାହିଁ। ଅଧିକାଂଶ ଦିନ ଜଳଯୋଗାଣ ବନ୍ଦ ରହୁଥିବାରୁ ଗ୍ରାମବାସୀ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏପରିକି ଜଣେ ପଞ୍ଚାୟତ ପ୍ରତିନିଧି ପ୍ରକଳ୍ପକୁ କବ୍‌ଜା କରି ନିଜ ବ୍ୟକ୍ତିଗତ କାମରେ ବ୍ୟବହାର କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟି ଦେଇ ଏହି ଜଳଯୋଗାଣ ପ୍ରକଳ୍ପକୁ ନିୟମିତ ଚାଲୁ କରାନଗଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର