୨ ନୂଆ ଭାଷା ଆବିଷ୍କାର କଲେ ଓଡ଼ିଆ ପ୍ରଫେସର

ଭୁବନେଶ୍ୱର : ଧୀରେ ଧୀରେ ଅନେକ ଭାଷା ବିଲୁପ୍ତ ହୋଇଯାଉଥିବା ବେଳେ ୟୁନିଭର୍ସିଟି ଅଫ୍‌ ହାଇଦ୍ରାବାଦ(ୟୁଓଏଚ୍‌)ର ଜଣେ ଓଡ଼ିଆ ପ୍ରଫେସର ୨ଟି ନୂଆ ଭାଷା ଆବିଷ୍କାର କରିଛନ୍ତି। ୟୁଓଏଚ୍‌ର ସ୍କୁଲ୍‌ ଅଫ୍‌ ହ୍ୟୁମାନିଟିଜ୍‌ର ପ୍ରାକ୍ତନ ଡିନ୍‌ ପ୍ରଫେସର ପଞ୍ଚାନନ ମହାନ୍ତି ଲୁପ୍ତପ୍ରାୟ ଭାଷା ଓ ମାତୃଭାଷା ପାଠ୍ୟକ୍ରମ ସମ୍ପର୍କିତ ଗବେଷଣା ବେଳେ ‘ଓ୍ଵାଲ୍ମିକି’ ଓ ‘ମହ୍ଲାର’ ଭାଷା ଆବିଷ୍କାର କରିଛନ୍ତି। ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳର ମାତ୍ର କିଛି ଲୋକଙ୍କ ମଧ୍ୟରେ ଏହି ଭାଷାର ବ୍ୟବହାର ସୀମିତ ଅଛି।

‘ଓ୍ଵାଲ୍ମିକି’ ଓଡ଼ିଶାର କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର ସମୀନ୍ତ ଜିଲ୍ଲାର କିଛି ଲୋକଙ୍କ ଦ୍ୱାରା ବ୍ୟବହୃତ ହେଉଛି। ପ୍ରଫେସର ମହାନ୍ତିଙ୍କ ପ୍ରାଥମିକ ବିଶ୍ଳେଷଣ ଓ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ୟୁକେରେ ଅନୁଷ୍ଠିତ ବିଲୁପ୍ତପ୍ରାୟ ଭାଷା ପ୍ରତିଷ୍ଠାନର ସମ୍ମିଳନୀରେ ସେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ଭାଷାଭାଷୀ ଲୋକେ ନିଜକୁ ରାମାୟଣର ସ୍ରଷ୍ଟା ବିଶିଷ୍ଟ କବି ବାଲ୍ମିକୀଙ୍କ ବଂଶଧର ବୋଲି ସ୍ୱୀକାର କରିଛନ୍ତି।

ସେହିଭଳି ‘ମହ୍ଲାର’ ଭାଷା ବର୍ତମାନ ସମୟରେ ମାତ୍ର ୭୫ ଜଣ ବ୍ୟବହାର କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ବିନା ଦ୍ୱିଧାରେ ଏହି ଭାଷାରେ କଥାବାର୍ତା ହୋଇପାରୁଥିବା ବେଳେ କିଛି ପିଲା ମଧ୍ୟ ଏହି ଭାଷାରେ କଥାବାର୍ତା କରୁଛନ୍ତି। ଦିନ ମଜୁରିଆ ଓ ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚୁଥିବା ବ୍ୟକ୍ତି ତଥା ଓଡ଼ିଆ ଭାଷୀଙ୍କଠାରୁ ବିଚ୍ଛିନ୍ନ ହୋଇ ରହୁଥିବା ବ୍ୟକ୍ତିବିଶେଷ ଏହି ଭାଷାକୁ ଦୈନଦିନ ଜୀବନରେ ପ୍ରୟୋଗ କରୁଛନ୍ତି। ପ୍ରଫେସର ମହାନ୍ତିଙ୍କ ଅଧୀନରେ ଏକ ଗବେଷଣା ଦଳ ମହ୍ଲାର ଭାଷା କହୁଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ଅନେ୍ଵଷଣ କରୁଛନ୍ତି।

ପ୍ରଫେସର ମହାନ୍ତି କହିଛନ୍ତି ଯେ ବିଶ୍ୱର ଅନେକ ବିଦ୍ୱାନ ଭାରତକୁ ଭାଷାର ସ୍ୱର୍ଗ ବୋଲି ବିଭିନ୍ନ ସମୟରେ କହିଛନ୍ତି। ଯଦିଓ କେନ୍ଦ୍ର ସରକାର ଲୁପ୍ତପ୍ରାୟ ଆଦିବାସୀ ଓ ମାମୁଲି ଭାଷାଗୁଡ଼ିକୁ ଡକ୍ୟୁମେଣ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି, ତଥାପି ଆହୁରି ଅନେକ ଅଜଣା ଭାଷା ଆବିଷ୍କାର ସହ ଡକ୍ୟୁମେଣ୍ଟ୍‌ ହେବା ଅପେକ୍ଷାରେ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର