ଓଡ଼ିଶା ଅଭିଭାବକ ମହାସଂଘର ଶିକ୍ଷା କର୍ମଶାଳା, ଅର୍ଥ ରୋଜଗାର ପାଇଁ ଶିଶୁ ନିର୍ଯାତିତ ହେଉଛି

ଖଣ୍ଡଗିରି: ଘରୋଇ ଶିକ୍ଷାନୁଷ୍ଠାନ ଅର୍ଥ ରୋଜଗାର କରୁଛି, କିନ୍ତୁ ସେଥିପାଇଁ ଆମ ଶିଶୁ ନିର୍ଯାତନାର ଶିକାର ହେଉଛି। ସୂର୍ଯ୍ୟ ଉଦୟ ନ ହେବା ପୂର୍ବରୁ ଅଧା ନିଦରୁ ପିଲାକୁ ଉଠାଇ ଆମେ ଅର୍ଥଲିପ୍‌ସୁ ପ୍ଲେ-ସ୍କୁଲ, ନର୍ସରି ବା ପ୍ରି-ସ୍କୁଲକୁ ଛାଡ଼ି ଦେଉଛେ। ୮/୯ଟା ସୁଦ୍ଧା ଉକ୍ତ ସ୍କୁଲ ବନ୍ଦ ହୋଇଯାଏ ଓ କୋଠାଟି ଅନ୍ୟ ବେପାରର‌େ ବ୍ୟବହାର ହୁଏ। ପିଲା ପ୍ଲେ’ ସ୍କୁଲ ଯାଉ ମନା ନାହିଁ, କିନ୍ତୁ ସକାଳୁ ଭଲ କରି ନିଦରୁ ଉଠିବା ପରେ ୭/୮ଟାରେ ସେଭଳି ସ୍କୁଲ ଆରମ୍ଭ ହେଉ। ଫଳରେ ଶିଶୁ ସୁସ୍ଥ ରହିବ। ମାତ୍ର ଆମେ ଅଭିଭାବକମ‌ାନେ ବି ପ୍ରତିଯୋଗିତାମୂଳକ ମନୋଭାବ ଯୋଗୁଁ ତରବରରେ ପିଲାକୁ ସ୍କୁଲକୁ ଛାଡ଼ି ଦେଇ ଏକ ବଡ଼ ଜଞ୍ଜାଳରୁ ମୁକ୍ତି ପାଇବା ପାଇଁ ବ୍ୟାକୁଳ ହୋଇପଡ଼ୁ। ତେଣୁ ଆମ ପାଇଁ ଆମ ଶିଶୁଟି ନିର୍ଯାତନାର ଶିକାର ହୋଇଚାଲିଛି। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଓୟୁଏଟି ଇମେଜ୍ ପରିସରରେ ଆୟୋଜିତ ‘ଗୁଣାତ୍ମକ ଶିକ୍ଷା ଓ ଶିଶୁ ସ୍ବାସ୍ଥ୍ୟ’ ସମ୍ପର୍କିତ କର୍ମଶାଳାରେ ଏଭଳି ମତ ରଖିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ରେଖାପାତ କରିଥିଲେ। ଓଡ଼ିଶାର ଶିକ୍ଷା ବଜେଟ୍‌ ବେଶ୍ ସୁସ୍ଥ(୧୬ ହଜାର କୋଟି ଟଙ୍କା) ଓ ୨୨:୧ ଅନୁପାତରେ ଶିକ୍ଷକ ନିଯୁକ୍ତି ହୋଇଥିଲେ ବି ପ୍ରତି ଶ୍ରେଣୀକୁ ଶ୍ରେଣୀ ଶିକ୍ଷକ ଯୋଗାଇ ହୋଇନାହିଁ। ସମଗ୍ର ଦେଶରେ ଏହା ଏକ ବଡ଼ ସମସ୍ୟା ବୋଲି ସେ କହିଥିଲେ। ଏହି ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ଶିଶୁର ନିଦକୁ ହ୍ରାସ କରି ପାଠ ପଢ଼ାଇବା ଫଳର‌‌େ ପିଲାଟି ଭବିଷ୍ୟତରେ ମାନସିକ ବିକଳାଙ୍ଗ ହେବାର ଆଶଙ୍କା ରହିଛି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ବହୁ ବିଶିଷ୍ଟ ଶିକ୍ଷାବିତ୍ ଯୋଗ ଦେଇଥିଲେ। ଓପିସିପିସିଆର୍ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ପ୍ରଧାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ କୁମାର ସାହୁ, ଶିକ୍ଷାବିତ୍ ପ୍ରଫେସର ୟୁଏନ୍‌ ଦାଶ, ସତ୍ୟବ୍ରତ ମୀନକେତନ, ବଦ୍ରିନାଥ ପଟନାୟକ, ଭୁବନେଶ୍ବର ବିଇଓ ସସ୍ମିତା ମାଳି ପ୍ରମୁଖ ଉପସ୍ଥିତ ରହି କର୍ମଶାଳା‌‌ରେ ଆଲୋକପାତ କରିଥିଲେ। ସେହିଭଳି ବିଶିଷ୍ଟ ମାନସିକ ବିଭାଗ ଡାକ୍ତର ନୀଳମାଧବ ରଥ ମଧ୍ୟ ଅସଂପୂର୍ଣ୍ଣ ନିଦ୍ରାଜନିତ ଶିଶୁ ସ୍ବାସ୍ଥ୍ୟ ସମସ୍ୟା ଉପରେ ରେଖାପାତ କରିଥିଲେ। ମହାସଂଘ ପରବର୍ତ୍ତୀ କାଳରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ତଥା ବ୍ଲକ ସ୍ତରରେ ପହଞ୍ଚାଇ ସରକାରୀ ବିଦ୍ୟାଳୟର ଅଭିଭାବକ ସଂଘମାନଙ୍କୁ ଏହି ଆନ୍ଦୋଳନରେ ସାମିଲ୍ କରିବ ବୋଲି ସ୍ଥିର କରାଯାଇଥିଲା।

ଭୁବନେଶ୍ବର ଆଦର୍ଶ ବିଦ୍ୟାଳୟରେ ୫ ହଜାର ମେଧାବୀ ଛାତ୍ର ପଢ଼ିବେ: ସମୀର ଦାସ
ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଭୁବନେଶ୍ବର ବ୍ଲକ ଆଦର୍ଶ ବିଦ୍ୟାଳୟ ସମ୍ପର୍କ‌ରେ ସୂଚନା ଦେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଏହି ବିଦ୍ୟାଳୟରେ ଏକ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ବ୍ୟବସ୍ଥା ରହିବ। ପରେ ଆବଶ୍ୟକତା ଅନୁସାରେ ଏଠାରେ ଉପସ୍ଥାନ ୫ ହଜାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ସାରା ରାଜ୍ୟର ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ଏଠାରେ ପଢ଼ିବାର ସୁଯୋଗ ପାଇବେ। ବଡ଼ କଥା ହେଉଛି, ରାଜଧାନୀର ଦାମୀ ଘରୋଇ ବିଦ୍ୟାଳୟମାନଙ୍କଠାରୁ ଏହା କୌଣସି ଗୁଣରେ କମ୍ ହେବ ନାହିଁ ବୋଲି ସେ କହିଥିଲେ। ଏଥିପାଇଁ ପ୍ରସ୍ତୁତି ଚାଲିଛି ଓ ଖୁବ୍‌ଶୀଘ୍ର ଏହି ବିଦ୍ୟାଳୟ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର