‘ଯୋଗାଥନ’ରେ କଣ୍ଟା ଖଚିତ ପଟା ଉପରେ ଯୋଗ ଓ ଯୋଗ ନୃତ୍ୟ, ଯୋଗପ୍ରେମୀଙ୍କ ମନମୋହିଲା

ଭୁବନେଶ୍ବର : ଯୋଗରେ ଆତ୍ମସ୍ଥ ହୋଇଥିଲା ତନ ଆଉ ମନ। ଅଡିଓର ଏକ-ଦୁଇ ରିଦିମ୍ ସହ ତାଳ ଦେଇ ଯୋଗରେ ନିମଗ୍ନ ହୋଇଯାଇଥିଲେ ଆବାଳବୃଦ୍ଧ ବନିତା। କିଏ ବେତାଳିଆ ହେଉହେଉ ନିଜକୁ ସଜାଡ଼ି ଦେଉଥିଲା ତ କିଏ ଏ ବିଶାଳ ଆଡ଼ମ୍ବର ମଧ୍ୟରେ ନିଜର ଯୋଗମୁଦ୍ରାକୁ ସେଲ୍ଫିରେ କଏଦ କରିବାରେ ମଜିଯାଇଥିଲା। ଅବସର ଥିଲା, ‘ସମ୍ବାଦ’ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ‘ଯୋଗାଥନ’। ଓଡ଼ିଶାରେ ପ୍ରଥମଥର ଯୋଗକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ଦିବସରେ ଏଭଳି ନିଆରା ଚିନ୍ତା କରିଥିଲା ‘ସମ୍ବାଦ’ ଓ ‘ଓଡ଼ିଶା ଯୋଗ ସଂଘ’।

ଯୋଗ ପିନ୍ ଡୁଏଟ୍ ଅର୍ଥାତ ଲୁହା କଣ୍ଟା ଉପରେ ଯୋଗ ଦେଖିବାର ଅବକାଶ ଜୁଟିଥିଲା ଯୋଗାଥନ୍‌ରେ। କଣ୍ଟା ଖଚିତ ପଟା ଉପରେ ବିଭିନ୍ନ ଆସନ କରିବା, ହାତ ପାପୁଲିର ଭାର ଦେଇ ଆସନ କରିବା ଯୋଗମନସ୍କ ବ୍ୟକ୍ତିମାନଙ୍କୁ ଆକର୍ଷିତ କରିଥିଲା। ଓଡ଼ିଶା ଯୋଗ ସଂଘର ଦୀପକ କୁମାର ଗିରିଙ୍କ ପ୍ରଶିକ୍ଷଣରେ ଭବାନୀ, ନୃସିଂହ, ଦିବ୍ୟ, ଜ୍ୟୋତି, ପ୍ରକାଶ ଯୋଗର ଏହି ଦୁଃସାହସିକ କଳା ଉପସ୍ଥାପନ କରିଥିଲେ। ଦୀର୍ଘ ବର୍ଷର ଯୋଗ ସାଧନାରେ ଏପରି କଳାକୁ ଆୟତ୍ତ କରିବା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ଗିରି କହିଛନ୍ତି।

ହା ହା ହା ହା…

ନା ମଜାଳିଆ କଥାରେ ନା ଅଙ୍ଗଭଙ୍ଗୀରେ କେହି ହସାଇଥିଲେ। ତଥାପି ସମସ୍ତେ ଠୋ ଠୋ.. ହୋଇ ହସିଥିଲେ। ହସ.. ବୋଲି କହିବା ମାତ୍ରେ ସଭିଏଁ ନିଜ ନିଜ ଢଙ୍ଗରେ ହସିବା ବେଳେ ପରସ୍ପରକୁ ଚାହିଁ ଆହୁରି ହସିଥିଲେ। ପ୍ରଥମେ ବିନା ଶବ୍ଦରେ ଏବଂ ପରେ ଶବ୍ଦ କରି ବାହା ପ୍ରସାରି ହସିବା ଦେଖି ଦେଖେଣାହାରୀ ସାଜିଥିବା ଲୋକ ବି ଖୁବ୍ ହସୁଥିଲେ। ହସର ଯୋଗ ଗୁରୁ ରବୀନ୍ଦ୍ରନାଥ ଜେନା ଏହି ହସ ବ୍ୟାୟାମକୁ ପରିଚାଳନା କରିଥିଲେ। ଥରେ ହସିଦେଲେ ଆପେଆପେ ମନ ପ୍ରଫୁଲ୍ଲ ହୋଇଯାଏ ବୋଲି ସେ କହିଥିଲେ।

ଯୋଗ ନୃତ୍ୟ

ଯୋଗାଥନ୍‌ରେ ଅନ୍ୟତମ ଆକର୍ଷଣ ପାଲଟିଥିଲା ‘ଯୋଗ ନୃତ୍ୟ’। କୁନି ଝିଅ ପଦ୍ମଶ୍ରୀ ମହାନ୍ତି ‘ବନ୍ଦେ ମାତରଂ..ଗୀତରେ ଯୋଗମୁଦ୍ରାକୁ ନେଇ ନୃତ୍ୟ ପ୍ରଦର୍ଶନ କରିଥିଲେ। ୧୦ମ ଶ୍ରେଣୀରେ ଅଧ୍ୟୟନରତ ପଦ୍ମଶ୍ରୀଙ୍କ କହିବା ମୁତାବକ, ପିଲାବେଳୁ ସେ ଯୋଗ ଆରମ୍ଭ କରିଥିଲେ। ଯୋଗ କିଭଳି ଅନ୍ୟମାନଙ୍କୁ ଆହୁରି ଆକର୍ଷିତ କରିପାରିବ, ସେନେଇ ସେ ଯୋଗାସନକୁ ନେଇ ନୃତ୍ୟ କରିବାକୁ ଚିନ୍ତା କରିଥିଲେ। ଏହିଭଳି ଏକ ପଦକ୍ଷେପ ସମସ୍ତଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲା। ସେ କହିଛନ୍ତି, ଯିଏ ଯୋଗକୁ ଆପଣାଇଛି ସେ ହିଁ ତା’ର ପ୍ରକୃତ ଲାଭ ଉପଲବ୍ଧି କରିଛି। ମୋ ମତରେ ସମସ୍ତେ ଯୋଗକୁ ଜୀବନରେ ଆପଣେଇବା ଉଚିତ୍।

୧୦୮ ସୂର୍ଯ୍ୟ ନମସ୍କାର

ବହୁ ଯୋଗର ମିଶ୍ରଣ ‘ସୂର୍ଯ୍ୟ ନମସ୍କାର’ ହୋଇଥିବାରୁ ଯୋଗାଥନରେ ସୂର୍ଯ୍ୟ ନମସ୍କାରକୁ ଗୁରୁତ୍ବ ଦିଆଯାଇ ୧୦୮ ଥର କରାଯାଇଥିଲା। ବିଭୂଦତ୍ତ ରାଉତ ଏହାର ଉପକାରିତା ସମ୍ପର୍କରେ ବୁଝାଇବା ସହ ଯୋଗ କରାଇଥିଲେ। ଉପସ୍ଥିତ ସମସ୍ତ ଯୋଗପ୍ରାଣ ଉତ୍ସୁକ ବ୍ୟକ୍ତି ଉତ୍ସାହର ସହ ଏହାକୁ କରିଥିଲେ। ଏଥିସହ ଭ୍ରାମରି ପ୍ରାଣାୟମ ପରେ ଶାନ୍ତିପାଠ ସହ ଶେଷ ହୋଇଥିଲା। ବ୍ୟସ୍ତବହୁଳ ଜୀବନରେ କେବଳ ସୂର୍ଯ୍ୟ ନମସ୍କାରକୁ ଆପଣେଇବା ଦ୍ବାରା ଅନେକ ଲାଭ ମିଳିଥାଏ ବୋଲି ଶ୍ରୀ ରାଉତ କହିଥିଲେ।

ସମ୍ବନ୍ଧିତ ଖବର