ଚାରିମାସ ହେଲା ଓଏଚ୍‌ଆରସି ଫାଙ୍କା

ପଡ଼ିରହିଛି ୧୫ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର: ସୋମବାର ପାଳିତ ହୋଇଛି ବିଶ୍ବ ମାନବାଧିକାର ଦିବସ। ମାନବାଧିକାର ଅକ୍ଷୁଣ୍ଣ ରହିବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯିବା ପାଇଁ ସଂକଳ୍ପ ନିଆଯାଇଛି। ରାଜ୍ୟ ମାନବାଧିକାର ଆୟୋଗ ପରିସରରେ ଏ ନେଇ ସଭା ହୋଇଥିବା ବେଳେ ମାନବାଧିକାର ପାଇଁ ଲଢ଼େଇ କରୁଥିବା କେତେକ ଅନୁଷ୍ଠାନ ମଧ୍ୟ ଏହାକୁ ପାଳନ କରିଛନ୍ତି। ମାନବାଧିକାର ଯେପରି କ୍ଷୁଣ୍ଣ ନହୁଏ ସେଥିପ୍ରତି ସରକାର ସଚେତନ ରହିବା ସହ ତତ୍ପର ଅଛନ୍ତି। ହେଲେ ସରକାର କେତେ ତତ୍ପର ତାହା ସ୍ପଷ୍ଟ ଅନୁମାନ କରିହେଉଛି। ଦୀର୍ଘ ୪ମାସ ହେଲା ରାଜ୍ୟ ମାନବାଧିକାର ଆୟୋଗ(ଓଏଚ୍ଆରସି)ର ଅଧ୍ୟକ୍ଷ ଓ ସଦସ୍ୟ ପଦ ଖାଲି ପଡ଼ିଛି। ଅଗଷ୍ଟ ମାସ ୧୫ ତାରିଖରୁ ଉଭୟଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ନୂଆ ସଦସ୍ୟ ଓ ଅଧ୍ୟକ୍ଷ ପଦ ପୂରଣ ହୋଇ ନାହିଁ। ଫଳରେ ୧୫ ହଜାରରୁ ଊର୍ଦ୍ଧ୍ବ ମାମଲା ପଡ଼ି ରହିଛି। ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ‌ ହେଉଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ସମୟରେ କମିସନ୍‌ଙ୍କ ଦ୍ବାରସ୍ଥ ହେଉଥିବା ପୀଡ଼ିତ ନ୍ୟାୟ ପାଇ ପାରୁନାହାନ୍ତି। ପ୍ରତିଦିନ ୫୦ରୁ ଊର୍ଦ୍ଧ୍ବ ଅଭିଯୋଗ ଆସୁଥିବାରୁ ମାମଲା ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି। ପୂର୍ବରୁ ଅଭିଯୋଗର ସ୍ଥିତାବସ୍ଥା ନେଇ ଇ-ମେଲ୍‌ ଜରିଆରେ ସୂଚନା ପ୍ରଦାନ କରାଯାଉଥିବା ବେଳେ ଏବେ ମେଲ୍‌ ମଧ୍ୟ ଯାଉନାହିଁ। ଦୀର୍ଘ ତିନିବର୍ଷ ଧରି ସଦସ୍ୟଙ୍କ ଅନୁପସ୍ଥିତିରେ କେବଳ ଜଣେ ଅଧ୍ୟକ୍ଷଙ୍କ ଦ୍ବାରା ଏହା ପରିଚାଳିତ ହେଉଥିଲା। ଏବେ ଅଧ୍ୟକ୍ଷ ପଦ ଖାଲି ହୋଇଛି। ବଡ଼ କଥା ହେଉଛି କେତେକ ଘଟଣାକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ସଂଗ୍ରହ କରି କମିସନ ସ୍ବତଃପ୍ରବୃତ୍ତ ଭାବାରେ ବିଚାର ପାଇଁ ପଞ୍ଜୀକୃତ କରୁଥିଲେ। କିନ୍ତୁ ପଦବି ଫାଙ୍କା ପଡ଼ିଥିବାରୁ ଏ କାର୍ଯ୍ୟ ମଧ୍ୟ ହୋଇ ପାରୁନାହିଁ।

ଅଧ୍ୟକ୍ଷ ପଦରେ ଥିବା ଜଷ୍ଟିସ୍‌ ବି.କେ. ମିଶ୍ରଙ୍କର କାର୍ଯ୍ୟକାଳ ପୂରିବା ପରେ ଏହା ଖାଲି ପଡ଼ିଥିବା ବେଳେ ସଦସ୍ୟ ପଦ ୩ ବର୍ଷ ହେଲା ଖାଲି ପଡ଼ିଛି। ୨୦୧୪ ମସିହା ଜୁଲାଇ ମାସରେ ସଦସ୍ୟ ଭାବେ ବିଜୟ ପଟ୍ଟନାୟକ ୨୦୧୫ ମସିହା ଏପ୍ରିଲ୍‌ ମାସରେ କାର୍ଯ୍ୟରୁ ଅବ୍ୟାହତି ନେଇଛନ୍ତି। ହାଜତ ମୃତ୍ୟୁ, କ୍ଷମତାର ଅପବ୍ୟବହାର, ଅତ୍ୟାଚାର, ପୁଲିସର ନିର୍ଯାତନା, ମାନବ ଚାଲାଣ, ପରିବେଶ ପ୍ରଦୂଷଣ ପ୍ରଭୃତି ମାମଲାରେ କ୍ଷୁଣ୍ଣ ହେଉଥିବା ମାନବାଧିକାରକୁ ନେଇ ଅଭିଯୋଗ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ବଡ଼ କଥା ହେଉଛି ମାଲକାନାଗିରିଠାରୁ ଆରମ୍ଭ କରି ମୟୂରଭଞ୍ଜ ଓ କେନ୍ଦୁଝର ଭଳି ଉପାନ୍ତ ଜିଲ୍ଲାରୁ ପ୍ରତିଦିନ ଅଭିଯୋଗକାରୀ ଆସୁଥିଲେ ମଧ୍ୟ ‌ହତାଶ ହୋଇ ଫେରୁଥିବା ଦେଖାଯାଉଛି। ଏପରିକି ବୟାନ ରେକର୍ଡ ପାଇଁ ଯେଉଁମାନଙ୍କୁ ସ୍ବତନ୍ତ୍ର ତାରିଖ ଧାର୍ଯ୍ୟ କରାଯାଇ ଡକା ଯାଇଛି ସେମାନେ ମଧ୍ୟ ଆସି ହତାଶ ହେଉଛନ୍ତି। ପଦବି ପୂରଣ ନେଇ ଅନିଶ୍ଚିତତା ଜାରି ରହିଥିବାରୁ ଅଭିଯୋଗକାରୀ ଚିନ୍ତାରେ ପଡ଼ିଥିବା ବେଳେ ମାନବାଧିକାର କର୍ମୀମାନେ ମଧ୍ୟ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ବିଶ୍ବ ମାନବାଧିକାର ଦିବସ ପାଳନ ଏକ ଉପହାସ ହୋଇଛି ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର