ପୁରୁଣା ଓଡ଼ିଆ ଗୀତରେ ବିଭୋର ହେଲେ ଶ୍ରୋତା

ଓଡ଼ିଶା ସାଂସ୍କୃତିକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା

ଭୁବନେଶ୍ୱର: ‘ତୁ ଥିଲେ ମୋ ଡର କାହାକୁ’, ‘ଚାନ୍ଦ ନା ତୁମେ ତାରା’, ‘ଏମିତି ରାତି ସେ ତ ଅଭୁଲା ସ୍ମୃତି’ ପରି ପୁରୁଣା ମନଛୁଆଁ ଗୀତ ଆଜି ବାନ୍ଧି ରଖିଥିଲା ଉପସ୍ଥିତ ଶ୍ରୋତାଙ୍କୁ। ଓଡ଼ିଶାର ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ଓଡ଼ିଶା କଲ୍‌ଚରାଲ ଫାଉଣ୍ଡେସନ୍‌ ଟ୍ରଷ୍ଟ’ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରିୟମ୍ବଦା ମହାନ୍ତି ହେଜମାଦି, ଓଡ଼ିଶା କଲ୍‌ଚରାଲ ଫାଉଣ୍ଡେସନ୍‌ ଟ୍ରଷ୍ଟ ମୁଖ୍ୟ ଉପଦେଷ୍ଟା ଡ ଏସ୍‌.କେ. ଟାମୋଟିଆ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, ପ୍ରଯୋଜକ ପ୍ରଶାନ୍ତ ମହାପାତ୍ର, ଆଇପିଏସ୍‌ ଅଧିକାରୀ ସତ୍ୟଜିତ ନାୟକ ଓ ସୁରେନ୍ଦ୍ର ନାଥ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗୁରୁ ରାମହରି ଦାସଙ୍କୁ ‘ସଙ୍ଗୀତ ପ୍ରବୀଣା ରାଧାମଣି ମହାପାତ୍ର ସମ୍ମାନ’ ପ୍ରଦାନ କରାଯିବା ସହିତ ୨୧ହଜାର ଟଙ୍କା ଓ ଟ୍ରଫି ଦିଆଯାଇଥିଲା। ଗୁରୁ ଶୈଳେନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ଟ୍ରଷ୍ଟି ସସ୍ମିତା ହୋତା ଓ ସଂଜୟ ହୋତା ସଭାରେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର