ହୁସିଆର! ବଢ଼ୁଛି ଅନଲାଇନ୍‌ ଠକେଇ

ପ୍ରତି ମାସରେ ୫ରୁ ୭ ଅଭିଯୋଗ, ସପ୍ତାହକ ମଧ୍ୟରେ ୬ ଜଣ ହେଲେଣି ଠକେଇର ଶିକାର

ଭୁବନେଶ୍ବର : ହୁସିଆର! କମିସନରେଟ୍‌ ପୁଲିସ ଅଞ୍ଚଳରେ ବଢ଼ୁଛି ଅନଲାଇନ୍‌ ଠକେଇ। ପ୍ରତି ମାସରେ ୫ରୁ ୭ଟି ଅଭିଯୋଗ ବିଭିନ୍ନ ଥାନାକୁ ଆସୁଛି। ଅଭିଯୋଗକାରୀମାନେ ଲକ୍ଷାଧିକ ଟଙ୍କା ହରାଉଛନ୍ତି। ସେମାନେ ଅଭିଯୋଗ କରିବାକୁ ଥାନାକୁ ଗଲେ ପୁଲିସ ସେମାନଙ୍କ ଅଭିଯୋଗକୁ ଗୁରୁତ୍ବ ଦେଉନାହିଁ। ଓଲଟି ସାଇବର ଥାନାରେ ଅଭିଯୋଗ କରିବାକୁ କୁହାଯାଉଛି। ଗତ ଏକ ସପ୍ତାହ ମଧ୍ୟରେ ଏଭଳି ୬ଟି ଅଭିଯୋଗ ଆସିଛି। ଗତକାଲି କେବଳ ଗୋଟିଏ ଦିନରେ ଏଭଳି ତିନି ତିନିଟି ଘଟଣା ପଦାକୁ ଆସିଥିଲା। ମଞ୍ଚେଶ୍ବର ଓ ଏୟାରପୋର୍ଟ ଥାନା ଅଧୀନରେ ୩ଜଣ ଅଭିଯୋଗକାରୀଙ୍କ ୩ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା। ବଡ଼ କଥା ହେଉଛି, ପୁଲିସ କିଛି ମାମଲା ରୁଜୁ କରୁଥିବା ବେଳେ ଆଉ କିଛି ଅଭିଯୋଗକାରୀଙ୍କୁ କଟକସ୍ଥିତ ସାଇବର ଥାନାକୁ ପଠାଇ ଦେଉଛି। ତେବେ ଏଭଳି ଅଭିଯୋଗ ବଢ଼ିବା ପରେ ଡିସିପି ଅନୁପ ସାହୁ ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ଏ ନେଇ ସମସ୍ତ ଥାନାକୁ ଏକ ସର୍କୁଲାର ଜାରି କରିଛନ୍ତି। ସର୍କୁଲାରରେ କୁହାଯାଇଛି, ଏ ନେଇ ପ୍ରତ୍ୟେକ ଥାନା ପକ୍ଷରୁ ସାଧାରଣରେ ସଚେତନତା ସୃଷ୍ଟି କରାଯିବ।

ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି ଯେ ସାମାନ୍ୟ ସଚେତନତା ଅଭାବରୁ ଅନେକ ଏଭଳି ଅନଲାଇନ୍‌ ଠକେଇର ଶିକାର ହେଉଛନ୍ତି। ଠକମାନେ ରାଜ୍ୟ ବାହାରେ ବସି ବିଭିନ୍ନ ଆକାଉଣ୍ଟଧାରୀଙ୍କ ମୋବାଇଲ୍‌ ଫୋନ୍‌କୁ କଲ୍‌ କରି ବ୍ୟାଙ୍କ ଅଧିକାରୀ ପରିଚୟ ଦେଉଛନ୍ତି। ଏଟିଏମ୍‌ କାର୍ଡ ଉପରେ ଲେଖାଥିବା ୧୬ ଡିଜିଟ୍‌ ନମ୍ବର, ପାସଵାର୍ଡ, ଆକାଉଣ୍ଟ୍‌ ନମ୍ବର, ଓଟିପି ଆଦି କୌଶଳ କରି ମାଗି ନେଉଛନ୍ତି। ଏହାର କିଛି ସମୟ ପରେ ଆକାଉଣ୍ଟ୍‌ରୁ ଟଙ୍କା ଗାଏବ ହୋଇଯାଉଛି। ତେଣୁ ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ସ୍ଥିର ହୋଇଛି। ଡିସିପି ଶ୍ରୀ ସାହୁ କହିଛନ୍ତି, ଯଦି କେହି ନିଜକୁ ବ୍ୟାଙ୍କ ଅଧିକାରୀ ଭାବେ ପରିଚୟ ଦେଇ ଏଟିଏମ୍‌ କାର୍ଡ କ୍ରମିକ ନମ୍ବର, ପାସଵାର୍ଡ, ଆକାଉଣ୍ଟ୍‌ ନମ୍ବର, ଓଟିପି ନମ୍ବର ଆଦି ମାଗନ୍ତି ଆଦୌ ପ୍ରଦାନ କରନ୍ତୁ ନାହିଁ। ଯଦି କେହି ବାରମ୍ବାର ଏଭଳି କରନ୍ତି ତୁରନ୍ତ ସ୍ଥାନୀୟ ଥାନା ଓ ବ୍ୟାଙ୍କରେ ଜଣାଇବାକୁ ଡିସିପି ପରାମର୍ଶ ଦେଇଛନ୍ତି।

ସେହିପରି ଆଉ କିଛି ଅନଲାଇନ୍‌ ସପିଙ୍ଗ ଓ ଇ-ପେମେଣ୍ଟ ମାଧ୍ୟମରେ ମଧ୍ୟ ଠକେଇ ବଢ଼ିବାରେ ଲାଗିଛି। ତେବେ କମିସନରେଟ୍‌ ଏଭଳି ଅନ୍‌ଲାଇନ ଠକେଇ ରୢାକେଟ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି। ବିଶେଷକରି ଝାଡ଼ଖଣ୍ତ ଓ ବିହାରର କେତେକ ଉଚ୍ଚ ଶିକ୍ଷିତ ଯୁବକ ଏଭଳି ଠକେଇରେ ସ˚ପୃକ୍ତ ରହିଛନ୍ତି। ସ୍ପେସାଲ ସ୍କ୍ବାଡ୍‌ ଟିମ୍‌ ଏଭଳି ଠକେଇ ରୢାକେଟର ଚେର ଖୋଜିବାକୁ ବିଭିନ୍ନ ସମୟରେ ଝାଡ଼ଖଣ୍ତ ଓ ବିହାର ଯାଇଛନ୍ତି। କିନ୍ତୁ ଠକମାନେ ବିନା ଡକ୍ୟୁମେଣ୍ଟ୍‌ ସିମ ବ୍ୟବହାର କରିଥିବାରୁ ସେମାନଙ୍କ ନିକଟରେ ପହଞ୍ଚିବା କଷ୍ଟକର ହେଉଛି। ତଥାପି ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ଅନଲାଇନ୍‌ ଠକେଇ ରୢାକେଟ୍‌ ଧରାପଡ଼ିବ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି।

ପ୍ରକାଶ ଥାଉକି ଗତକାଲି ମଞ୍ଚେଶ୍ବର ଥାନା ଅଧୀନ ପଳାସୁଣୀ ପ୍ରଶାନ୍ତ ଦାସ ଗୁଗୁଲ ପେ’ ଜରିଆରେ ଦେଢ଼ଲକ୍ଷ ଟଙ୍କାର ଠକେଇ ଶିକାର ହୋଇଛନ୍ତି। ସେହିପରି ଜୟପ୍ରକାଶ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଠା‌କେଇ ଓ ଏୟାରପୋର୍ଟ ଥାନା ଅଧୀନ ନିବାସ ନାୟକ ନାମକ ଜଣେ ଯୁବକଙ୍କର ୨ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଖଣ୍ଡଗିରି, ଖାରବେଳନଗର ଓ ନୂଆପଲ୍ଲୀ ଥାନା ଅଧୀନରେ ମଧ୍ୟ ଏଭଳି ଠକେଇ ଅଭିଯୋଗ ପୂର୍ବରୁ ହୋଇସାରିଛି।

ସମ୍ବନ୍ଧିତ ଖବର