ଉଦ୍‌ଘାଟନ ହେଲା କ୍ୟାପିଟାଲ ଥାନାର ଅଭ୍ୟର୍ଥନା ଗୃହ

ଭୁବନେଶ୍ୱର: ମହିଳା ଓ ଶିଶୁମାନଙ୍କ ସୁରକ୍ଷା ଓ ଅଭିଯୋଗ ପାଇଁ ଆଜି କ୍ୟାପିଟାଲ ଥାନା ପରିସରରେ ମହିଳା ଓ ଶିଶୁ ଡେସ୍କ ସେଲ୍‌, ଅଭ୍ୟର୍ଥନା ଗୃହ ଉଦ୍‌ଘାଟିତ ହୋଇଛି। ପୁଲିସ ଡିଜି ଆର୍‌ପି ଶର୍ମା ଏହାକୁ ଉଦ୍‌ଘାଟନ କରି କହିଲେ, ସଂପ୍ରତି ଥାନାମାନଙ୍କରେ ମହିଳା ଓ ଶିଶୁ ଡେସ୍କ୍‌ର ଆବଶ୍ୟକତା ରହିଛି। ସେହିଭଳି ସମସ୍ତ ପୁରୁଣା ଥାନାରେ ମଧ୍ୟ ଅଭ୍ୟର୍ଥନା ଗୃହ ନିର୍ମାଣର ଆବଶ୍ୟକତା ରହିଛି। ତେଣୁ ଉପଯୁକ୍ତ ଜାଗା ଚିହ୍ନଟ ପୂର୍ବକ ଏ ପ୍ରକାର ଗୃହଗୁଡ଼ିକ ନିର୍ମାଣ କରାଯିବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ଭୁବନେଶ୍ୱରରେ ଅନେକ ଥାନାଗୁଡ଼ିକରେ ଅଭ୍ୟର୍ଥନା ଗୃହ ଏବଂ ମହିଳା, ଶିଶୁ ଡେସ୍କ କାର୍ଯ୍ୟକାରୀ ହେଉଛି। ଭୁବନେଶ୍ୱରର ପ୍ରମୁଖ ଥାନା ବୋଲାଉଥିବା କ୍ୟାପିଟାଲ ଥାନାରେ ଏହି ଗୃହଟି ଖୋଲିବା ଫଳରେ ଅଭିଯୋଗ କରିବାକୁ ଆସୁଥିବା ଲୋକମାନେ ଏଥିରୁ ଉପକୃତ ହୋଇପାରିବେ। ପୁଲିସ ଡିଜି ଏହାକୁ ଉଦ୍‌ଘାଟନ କରିଥିବା ବେଳେ ପୁଲିସ କମିସନର ଓ୍ଵାଇବି ଖୁରାନିଆ, ଅତିରିକ୍ତ ପୁଲିସ କମିସନର ସଞ୍ଜୟ କୁମାର, ଡିସିପି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଡିଜି ଆସିବେ ବୋଲି…
ଉଠିଗଲା ଉଠା ଦୋକାନ
ଭୁବନେଶ୍ୱର: ଆଜି କ୍ୟାପିଟାଲ ଥାନାରେ ମହିଳା ଓ ଶିଶୁ ଡେସ୍କର ଉଦ୍‌ଘାଟନ ହେଲା। ଏଥିପାଇଁ ମୁଖ୍ୟ ଅତିଥି ଭାବେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗ ଦେଇଥିଲେ। ତେବେ ଡିଜି ଆସିବା ପୂର୍ବରୁ କ୍ୟାପିଟାଲ ଥାନା ସମ୍ମୁଖ ଓ ଥାନା ପାର୍ଶ୍ୱରେ ଥିବା ଶତାଧିକ ଉଠା ଦୋକାନ ହଠାତ୍‌ କେଉଁଆଡ଼େ ଗାଏବ ହୋଇ ଯାଇଥିଲା। ସତେ ଯେମତି ଲାଗୁଥିଲା, ଆଜି ସୋମବାର। ହାଟ ବନ୍ଦ। ତେବେ ବୁଝୁବୁଝ ଜଣାପଡ଼ିଥିଲା କି, ଡିଜି ଆସିବା ପୂର୍ବରୁ ପୁଲିସ ନିଜେ ଯାଇ ସବୁ ଦୋକାନୀଙ୍କୁ ତାଗିଦ୍‌ କରିଥିଲା। କହିଥିଲା ଦୋକାନ ବନ୍ଦ ରଖ ଆଜିକ ପାଇଁ ନ ହେଲେ ସବୁ ଦିନ ପାଇଁ ଦୋକାନ ବନ୍ଦ ହୋଇଯିବ। ଏଠାରେ ପ୍ରକାଶଥାଉକି, କ୍ୟାପିଟାଲ ଥାନା ଚାରିପଟେ ଉଠାଦୋକାନୀ ବେଆଇନ ଭାବେ ଦୋକାନ ଖୋଲି ବସିଛନ୍ତି। କିନ୍ତୁ ପୁଲିସ କିମ୍ବା ବିଏମ୍‌ସି ପକ୍ଷରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେବେ ଏ ସମ୍ପର୍କରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଗରିବ ଲୋକଙ୍କ ପେଟପାଟଣା କଥା।

ସମ୍ବନ୍ଧିତ ଖବର