ବିଇଡି ଟ୍ରେନିଂ ବାହାନାରେ ଠକେଇ: ୩୦ ଆଶାୟୀଙ୍କ ୭ ଲକ୍ଷ ଟଙ୍କା ଚଳୁ

ଖଣ୍ଡଗିରି: ଘରୋଇ ବିଶ୍ୱବିଦ୍ୟାଳୟରେ ବିଇଡି ପରୀକ୍ଷା ଦିଆଇବା ସହ ପ୍ରମାଣପତ୍ର ଯୋଗାଇଦେବା ବାହାନାରେ ଏକ ସଂସ୍ଥା ୩୦ଜଣ ଆଶାୟୀଙ୍କଠାରୁ ପ୍ରାୟ ୭ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛି। ଆଡମିସନ୍‌ ଫି, ଡ୍ରେସ୍‌ ଫି, ଟ୍ରେନ୍‌ ଟିକେଟ୍‌ ଫି ଆଦି ବାହାନାରେ ଜଣଙ୍କ ପିଛା ୨୫ରୁ ୩୦ହଜାର ଟଙ୍କା ଲେଖାଏଁ ନେଇଥିଲେ ବି ପରୀକ୍ଷାର ନାଁ ଗନ୍ଧ ନାହିଁ। ଦିନ ପରେ ଦିନ ଗଡ଼ାଇ ଚାଲିବା ପରେ ଆଶାୟୀମାନେ ଅଭିଯୋଗ କରିବାରୁ ସଂସ୍ଥା ପରିଚାଳକମାନେ ପାଲଟା ଧମକଚମକ ଦେଇଥିଲେ। ତେବେ ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ଉକ୍ତ ସଂସ୍ଥା ଟଙ୍କା ଫେରାଇବ ବୋଲି ଚୁକ୍ତି କରି ମାମଲାକୁ ରଫାଦଫା କରିଥିବା ସୂଚନା ମିଳିଛି। ତଥାପି ହାତକୁ ଟଙ୍କା ନ ଆସିବା ପର୍ଯ୍ୟନ୍ତ ଠକାମିର ଶିକାର ଆଶାୟୀ ଶିକ୍ଷକମାନେ ଚିନ୍ତାରେ ଥିବା ପ୍ରକାଶ କରିଛନ୍ତି।

ସରକାରୀ ନିୟମାନୁସାରେ ୨୦୧୯ ସୁଦ୍ଧା ଘରୋଇ ବିଦ୍ୟାଳୟରେ କାମ କରୁଥିବା ସମସ୍ତ ଶିକ୍ଷକ ତାଲିମଧାରୀ ହେବା ଜରୁରି। ତେଣୁ ଅଣତାଲିମପ୍ରାପ୍ତ ଶିକ୍ଷକମାନେ ବିଇଡି ବା ସିଟି ତାଲିମ୍‌ ପ୍ରମାଣପତ୍ର ହାସଲ କରିବା ପାଇଁ ବିଭିନ୍ନ ଘରୋଇ ବିଶ୍ୱବିଦ୍ୟାଳୟର ସାହାରା ନେଉଛନ୍ତି। ଏହି ମଉକାରେ ଖଣ୍ଡଗିରି କୋଳଥିଆସ୍ଥିତ ଏକ ସଂସ୍ଥା ଆନ୍ଧ୍ରପ୍ରଦେଶର ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ବିଇଡି ପରୀକ୍ଷା ଦିଆଇବା ସହ ପ୍ରମାଣପତ୍ର ଦେବ ବୋଲି ବିଭିନ୍ନ ବିଦ୍ୟାଳୟ ବୁଲିବୁଲି ପ୍ରଚାର କରିଥିଲା। ପଟିଆ, ଖଣ୍ଡଗିରି, ଜଟଣୀ, ଖୋର୍ଧା, ପୁରୁଣାଭୁବନେଶ୍ୱର ଲକ୍ଷ୍ମୀସାଗର ଆଦି ଅଞ୍ଚଳରେ ଥିବା ଶିଶୁମନ୍ଦିରମାନଙ୍କରେ କାମ କରୁଥିବା ଅଣତାଲିମପ୍ରାପ୍ତ ଶିକ୍ଷକମାନଙ୍କ ସହ ଯୋଗାଯୋଗ କରିଥିଲା। ପରୀକ୍ଷା ଓ ପ୍ରମାଣପତ୍ର ବାବଦରେ ଜଣ ପିଛା ୫୫ ହଜାର ଟଙ୍କା ଫି ଛଡ଼ା ଡ୍ରେସ୍‌ ଓ ଟ୍ରେନ୍‌ ଟିକେଟ୍‌ ଫି(୩ ହଜାର ଟଙ୍କା) ଅଲଗା ବୋଲି ଧାର୍ଯ୍ୟ କରାଯାଇଥିଲା। ୨୦୧୭ ଏପ୍ରିଲ୍‌ରେ ତାଲିମ ଆଶାୟୀ ଶିକ୍ଷକମାନେ ପରୀକ୍ଷା ଦେବାର ଥିଲା। କିନ୍ତୁ କିଛି ସମସ୍ୟା ବାହାନାରେ ପରୀକ୍ଷାକୁ ୨୦୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଗଡ଼ାଇ ନିଆଯାଇଥିଲା। ଦ୍ୱିତୀୟ କଣ୍ଟ ବି ଗଡ଼ିଗଲା। ଫଳରେ ଆଶାୟୀମାନେ ଟଙ୍କା ଫେରସ୍ତ ଦେବାକୁ ଦାବି କଲେ। ମାତ୍ର ସଂସ୍ଥାର ପରିଚାଳକ ଟଙ୍କା ଫେରାଇବା ନାଁ ଧରିଲେ ନାହିଁ। ତେଣୁ ବାଧ୍ୟ ହୋଇ ସେମାନେ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଡାକରା ପାଇବା ପରେ ସଂସ୍ଥା ପକ୍ଷରୁ ଜଣେ ମହିଳା ଅଧିକାରୀ ଥାନାକୁ ଆସି ଅଭିଯୋଗକାରୀମାନଙ୍କୁ ମାମଲା ପ୍ରତ୍ୟାହାର ପାଇଁ ନିବେଦନ କରିବା ସହ ଆପୋଷ ସମାଧାନ କରିବା ପାଇଁ ରାଜି ହୋଇଥିଲେ। ୩ ମାସ ମଧ୍ୟରେ ଟଙ୍କା ଫେରସ୍ତ ଦେବା ପାଇଁ ରାଜି ହୋଇଥିଲେ। ତେବେ କୌତୁହଳର କଥା ହେଉଛି, ଏହି ସଂସ୍ଥାଟି ଅନ୍ୟ ଏକ ମଧ୍ୟସ୍ଥ ସଂସ୍ଥା ଓ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ସହ ଏହାର ସିଧାସଳଖ ଅନୁବନ୍ଧନ ନାହିଁ। ଅନ୍ୟ ଏକ ଅନୁବନ୍ଧିତ ସଂସ୍ଥା ଏହି ସଂସ୍ଥାକୁ ଠକିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର