ଲଣ୍ଡନରେ ପହଞ୍ଚିବ ପଟ୍ଟଚିତ୍ର ଫେସନ୍‌

ଭୁବନେଶ୍ୱର: ଦରିଆ ସେପାରିରେ ଶୋଭା ପାଇବ ପଟ୍ଟଚିତ୍ର। ଅନ୍ତର୍ଜାତୀୟ ବଜାରରେ ନୂଆ ରୂପରେ ଉଭା ହେବ ଓଡ଼ିଶାର ସମୃଦ୍ଧ କଳା ପଟ୍ଟଚିତ୍ର। ଲଣ୍ଡନରେ ଆୟୋଜିତ ହେବାକୁ ଯାଉଥିବା ‘ଇଣ୍ଡିଆ ଫେସନ୍‌ ଓ୍ଵିକ୍‌’ରେ ଶୋଭା ବର୍ଧନ କରିବ ପଟ୍ଟଚିତ୍ରର ଇଣ୍ଡୋ-େଓ୍ଵଷ୍ଟର୍ଣ୍ଣ ପୋଷାକ। ଡଲିଜ୍‌ କାସ୍‌ବାର ଡିଜାଇନର ଶ୍ୱେତା ପାରେଖ୍‌ଏହି ଫେସନ୍‌ ଓ୍ଵିକ୍‌ରେ ନଭେମ୍ବର ୧୨ରେ ଓଡ଼ିଶାର ସଂସ୍କୃତି ତଥା ପାରମ୍ପରିକ କଳାକୁ ଉପସ୍ଥାପନ କରିବେ। ପୂର୍ବରୁ ସେ ଭୁବନେଶ୍ୱର ଷ୍ଟାଇଲ୍‌ ଓ୍ଵିକ୍‌ରେ ନିଜ କଲେକ୍ସନ୍‌ରେ କୃଷ୍ଣଲୀଳା ପଟ୍ଟଚିତ୍ର କରି ଚର୍ଚିତ ହୋଇଥିବା ବେଳେ ତାଙ୍କର ଏମିତି ଏକ ପଦକ୍ଷେପ ପଟ୍ଟଚିତ୍ରର ସୌନ୍ଦର୍ଯ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ଦେବାରେ ସହଯୋଗ କରିବ।

ଶ୍ୱେତା ପାରେଖ୍‌ ତାଙ୍କର ଏହି ଆହ୍ଵାନମୂଳକ ପଦକ୍ଷେପକୁ ନେଇ ବେଶ୍‌ ଆଶାବାଦୀ ଥିବା ବେଳେ ବଲିଉଡ୍‌ ନାୟିକା ପ୍ରାଚୀ ଦେଶାଇ ଏହି ଅବସରରେ ତାଙ୍କର ସୋ-ଷ୍ଟପର୍‌ ରହିଛନ୍ତି। ଏହି ପଟ୍ଟଚିତ୍ର ଡିଜାଇନ୍‌ ମଧ୍ୟରେ ତାଙ୍କର ମୁଖ୍ୟ ବିଷୟ ରହିଛି ‘ମୟୂର ପଙ୍ଖ୍‌’। ମଟ୍‌କା ସିଲ୍‌କ ଫେବ୍ରିକ୍‌ ଉପରେ ମୟୂରର ଚିତ୍ରକୁ ସେ ରୂପ ଦେଇ ୧୦ରୁ ଅଧିକ କିସମର ପୋଷାକ ପ୍ରସ୍ତୁତ କରିଛନ୍ତି। ଏହା ବ୍ୟତୀତ ପଟ୍ଟଚିତ୍ରର ବିଭିନ୍ନ ପୌରାଣିକ ଓ ସାମାଜିକ କଥାକୁ ବିଷୟ ରୂପେ ନେଇ ସେ େଓ୍ଵଷ୍ଟର୍ଣ୍ଣ ଗାଉନ୍‌, ଶାଢ଼ି, କୁର୍ତି, ଘାଗରା, ଚୋଲି ଏବଂ ପୁରୁଷ ବର୍ଗ ପାଇଁ ସାର୍ଟ ଓ ସେର୍‌ଓ୍ଵାନି ଆଦି ପ୍ରସ୍ତୁତ କରିଛନ୍ତି। ଏଗୁଡ଼ିକର ଦର ୧୫ହଜାର ଟଙ୍କାରୁ ଆରମ୍ଭ ହେଉଛି।

ପଟ୍ଟଚିତ୍ରର ଏହି ଡିଜାଇନ୍‌ ପ୍ରସ୍ତୁତି ପାଇଁ ସେ ଶିଳ୍ପୀଗ୍ରାମ ରଘୁରାଜପୁରରୁ ୬ ଜଣ ଶିଳ୍ପୀଙ୍କୁ ଏହି ଡିଜାଇନ୍‌ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ତେଣୁ ପଟ୍ଟଚିତ୍ର ଏବେ କେବଳ କପଡ଼ା କିମ୍ବା ତାଳପତ୍ରରେ ସୀମିତ ନରହି ନୂଆ ରୂପରେ ଦୃଷ୍ଟି ଆକର୍ଷଣ କରିବ। ଏହା ଖାଲି କଳାର ଗାରିମାକୁ ବୃଦ୍ଧି କରିବ ନାହିଁ ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରା କେତେ ସମୃଦ୍ଧ ତାହା ସର୍ବବ୍ୟାପୀ ହେବ ବୋଲି କହିଛନ୍ତି ଶ୍ୱେତା ପାରେଖ୍‌। ଏହି ଅବସରରେ ସେ ନୂଆ ମୂଳ କଳାକୁ ନିଜ ଡିଜାଇନ୍‌ରେ ରୂପ ଦେବା ପରି ନିଜ ଲେବଲ୍‌କୁ ଡଲି ପାରେଖ୍‌ରୁ ଶ୍ୱେତା ପାରେଖ୍‌କୁ ପରିବର୍ତନ କରିଛନ୍ତି। ଲଣ୍ଡନରେ ନଭେମ୍ବର ୧୧ରୁ ୧୪ ପର୍ଯ୍ୟନ୍ତ ଫେସନ୍‌ ଓ୍ଵିକ୍‌ ଚାଲିବାକୁ ଥିବା ବେଳେ ଶ୍ୱେତା ଏଥିରେ ନଭେମ୍ବର ୧୨ ତାରିଖରେ ଅଂଶଗ୍ରହଣ କରିବେ। ଆଜି ସାମାଜିକ କର୍ମୀ ନମ୍ରତା ଚଢ଼ା, ମୀରା କିନ୍ନର, ନୃତ୍ୟ ସଂଯୋଜକ ଲୋକେଶ ଓ ସ୍ୱାଗତଙ୍କ ଉପସ୍ଥିତିରେ ଏହି ଉଲ୍ଲେଖନୀୟ ଯୋଗଦାନ ବାବଦରେ ମତ ରଖିଥିଲେ।

ସମ୍ବନ୍ଧିତ ଖବର