୮ବର୍ଷର ପୁଅକୁ ରକ୍ତ କର୍କଟ : ବାପା କହିଲେ, ମତେ କିଏ କିଣି ନିଅ, ପୁଅକୁ ବଞ୍ଚେଇ ଦିଅ

ପୁଅର ଜୀବନ ବଞ୍ଚାଇବାକୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ପାଇଁ ନିବେଦନ

ଭୁବନେଶ୍ୱର: ଦୁଷ୍ମନ୍ତ ଘଣା। ବୟସ ୮ବର୍ଷ। ଏଯାଏଁ ଧୂଳି ଖେଳ ଛାଡ଼ିନି। ଅଥଚ ଦୁନିଆକୁ ଭଲକରି ଚିହ୍ନିବା ଆଗରୁ ସେ କର୍କଟ ଭଳି ମହାବ୍ୟାଧିର ଶିକାର ହୋଇଛି। ହସ୍ପିଟାଲ୍‌ ବେଡ୍‌ରେ ପଡ଼ିପଡ଼ି ତା’ର ସେଇ ଅଝଟ ପଣରେ ପଚାରୁଛି, ବୋଉ ମତେ ଏଠିକି କାହିଁକି ଆଣିଛୁ। ମୋ’ର କ’ଣ ହେଇଛି? ହେଲେ କାହା ପାଖେ ତା ପ୍ରଶ୍ନର ଉତ୍ତର ନାହିଁ। ବରଂ ପୁଅର ଏ ବିକଳ ପ୍ରଶ୍ନ ଶୁଣି ତା’ର ବାପା କହିଛନ୍ତି, ମତେ ପଛେ କେହି କିଣି ନିଅ, ହେଲେ ମୋ ପୁଅକୁ ବଞ୍ଚେଇ ଦିଅ। ଦୁଷ୍ମନ୍ତଙ୍କ ବାପା ମାଗୁ ଘଣାଙ୍କ ଘର କେନ୍ଦୁଝର ଜିଲ୍ଲା ଶିଙ୍ଘପୁରରେ। ଭଡ଼ାରେ ବୋଲେରୋ ଚଳାଇ ୪ହଜାର ୫୦୦ ଟଙ୍କା ବେତନରେ ନିଜ ପରିବାର ଚଳାନ୍ତି। ପୁଅକୁ ଯେବେଠୁ କ୍ୟାନ୍‌ସର ହୋଇଛି ସେବେଠୁ ତାଙ୍କ ପରିବାରରେ ଯେମିତି ସବୁ ସୁଖ ସରିଯାଇଛି।

୨୦୧୪ ମସିହାରୁ ଦୁଷ୍ମନ୍ତଙ୍କଠାରେ କର୍କଟ ଚିହ୍ନଟ ହୋଇଥିଲା। ପୁଅର ଏହି ଅବସ୍ଥା କଥା ଶୁଣି ମାଗୁଙ୍କ ଉପରେ ଯେମିତି ବଜ୍ର ପଡ଼ିଯାଇଥିଲା। ତଥାପି ଅଣ୍ଟା ଦମ୍ଭ କରି ସଞ୍ଚିତ ଅର୍ଥ ନେଇ ପୁଅର ଚିକିତ୍ସା କରାଇଲେ। କେହି ଜଣେ ଡାକ୍ତର କହିଥିଲେ, ତୁ ଆଉ ୟା ପଛରେ ଲାଗେନି। ଅନେକ ଟଙ୍କା ଖର୍ଚ ହେବ। ହେଲେ ଦୁଷ୍ମନ୍ତଙ୍କ ମା ସତ୍ୟବତୀ ଘଣା ଏଥିରେ ଭାଙ୍ଗି ନଯାଇ ଜମିବାଡ଼ି ବିକି ପୁଅକୁ ଭଲ କରିବାକୁ ନିଜ ସ୍ୱାମୀଙ୍କ ଆଗେ ଅଳି କରିଥିଲେ। ଶେଷରେ ମାଗୁ ବି ସେୟା କଲେ, ନିଜ ଭାଗରେ ଥିବା ଶେଷ ସମ୍ବଳ ୨ ଏକର ଜମି ବିକ୍ରି କରି ୨ଲକ୍ଷ ୮୦ ହଜାର ଟଙ୍କା ଖର୍ଚ କଲେ। ୨ ମାସ ୧୮ ଦିନ ଘରୋଇ ହସ୍ପିଟାଲ୍‌ରେ ପୁଅର ଚିକିତ୍ସା କରାଇବା ପରେ ଟଙ୍କା ସରିଯିବାରୁ ଘରକୁ ଫେରିଗଲେ। କିନ୍ତୁ ପରେ ନା ପୁଅ ପାଇଁ ମେଡିସିନ କିଣିପାରିଲେ ନା କେମୋ ଦେଇପାରିଲେ। ତେଣୁ ରୋଗ ଧୀରେଧୀରେ ମୁଣ୍ଡ ଆଡ଼କୁ ମାଡ଼ିଗଲା। ଏବେ ଅବସ୍ଥା ସଙ୍କଟାପନ୍ନ ହେବା ପରେ ପୁଣି ଦୁଷ୍ମନ୍ତକୁ ସମ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଉଛନ୍ତି। କିନ୍ତୁ ପାଖରେ ଆଉ ଟଙ୍କାଟିଏ ବି ନାହିଁ। ପୁଅକୁ ଭଲ କରିବା ପାଇଁ ପାଗଳ ପ୍ରାୟ ହୋଇଯାଇଥିବା ବେଳେ, କେବଳ ମୁହଁ ଲୁଚାଇ କାନ୍ଦୁଛନ୍ତି। କହୁଛନ୍ତି ମତେ ପଛେ କେହି କିଣି ନେଇଯାଅ, ହେଲେ ମୋ ପୁଅକୁ ବଞ୍ଚେଇ ଦିଅ। ଡାକ୍ତର ୭ରୁ ୮ଲକ୍ଷ ଟଙ୍କା ଖର୍ଚ ହେବ ବୋଲି କହୁଥିବା ବେଳେ ତାଙ୍କ ପାଖରେ ଏତେ ଟଙ୍କା ନାହିଁ। ଏକଦମ ନିଃସହାୟ ହୋଇପଡ଼ିଛନ୍ତି।

ପୁଅର ଜୀବନ ବଞ୍ଚାଇବାକୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ପାଇଁ ନେହୁରା ହୋଇଛନ୍ତି। ବଦାନ୍ୟ ବ୍ୟକ୍ତିମାନେ ସବିଶେଷ ଜାଣିବା ପାଇଁ ମାଗୁଙ୍କୁ ମୋବାଇଲ୍‌ ନଂ ୮୨୮୦୮୩୯୭୬୬ରେ ଯୋଗାଯୋଗ କରିପାରିବେ। ନଚେତ୍‌ ତାଙ୍କ ସିଣ୍ଡିକେଟ୍‌ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ (ନଂ-୮୦୪୭୨୨୦୦୦୧୯୬୫୮) ଆଇଏଫ୍‌ଏସ୍‌ସି କୋଡ୍‌ SYNB000804ରେ ସହଯୋଗ ରାଶି ପ୍ରଦାନ କରିପାରିବେ। ଆପଣଙ୍କ କିଞ୍ଚିତ ସାହାଯ୍ୟ ଆଶା ଛାଡ଼ିଦେଇଥିବା ଜଣେ ଗରିବ ବାପା ମୁହଁରେ ହସ ଫୁଟାଇପାରିବ।

ସମ୍ବନ୍ଧିତ ଖବର