ପଲିଟିକାଲ ବିଜିନେସ୍‌ ଡେଲି ସେଣ୍ଟର୍‌ ଫର୍‌ ଏସିଆନ୍‌ ଷ୍ଟଡିଜ୍‌ ପକ୍ଷରୁ ବକ୍ତୃତା

ଭୁବନେଶ୍ବର: ଇତିହାସ, ସାହିତ୍ୟ ଓ ସଂସ୍କୃତିକୁ ଜାଣିବା ପାଇଁ ସେ ସ୍ଥାନର ଜୀବନୀ ପଢ଼ିବା ଜରୁରୀ। ବ୍ୟକ୍ତିଗତ ସ୍ଥଳକୁ ଜାଣିବା ପାଇଁ ଇତିହାସ, ଭୂଗୋଳ, ସାହିତ୍ୟ, ଭାଷା, ଧର୍ମ, ଖାଦ୍ୟ, ପର୍ବପର୍ବାଣୀ, ପୋଷାକ, ଅନୁଷ୍ଠାନ ପ୍ରଭୃତିର ଉତ୍ପତ୍ତି ଓ ପ୍ରଗତି ସମ୍ବନ୍ଧରେ ଜାଣିବା ଆବଶ୍ୟକ। ଏଭଳି ତଥ୍ୟକୁ ଆଧାର କରି ବିଭିନ୍ନ ସମୟରେ ବିଭିନ୍ନ ସହରର ଜୀବନୀ ଲେଖାଯାଇଛି। ସରକାରୀ ନଥି, ରେଫରାଲ ପୁସ୍ତକ ଓ ଅନୁଭୂତିକୁ ନେଇ ଏହି ସବୁ ଜୀବନୀ ପ୍ରକାଶ ପାଇଛି। ମୁମ୍ବାଇ ସହରର ଏଭଳି ଅନେକ କାହାଣୀ ବିଭିନ୍ନ ଭାଷାରେ ରହିଛି। ନାନା ଭାଷା, ସାହିତ୍ୟ ଓ ସମ୍ପ୍ରଦାୟର ମିଳନରେ କିଭଳି ନୂତନ ଭାଷା, ଲିପି ଓ ସଂସ୍କୃତି ଗଢ଼ା ହୁଏ, ତାହା ଏହି ଜୀବନୀ ହିଁ ପାଠ କଲେ ବୁଝି ହୁଏ ବୋଲି କହିଛନ୍ତି ବିଶିଷ୍ଟ ନଗର-ଐତିହାସିକ ମୁରଲୀ ରଙ୍ଗନାଥନ୍‌। ପଲିଟିକାଲ ବିଜିନେସ୍‌ ଡେଲି ସେଣ୍ଟର୍‌ ଫର୍‌ ଏସିଆନ୍‌ ଷ୍ଟଡିଜ୍‌ ମିଳିତ ସହଯୋଗରେ ପ୍ରେସ୍‌ କ୍ଲବରେ ଆୟୋଜିତ ବାର୍ଷିକ ବକ୍ତୃତା-୨୦୧୮ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ବମ୍ବେ ନଗରର ଜୀବନ କାହାଣୀ’ ଉପରେ ଚର୍ଚ୍ଚା କଲା ବେଳେ ସେ ଏହା ପ୍ରକାଶ କରିଛନ୍ତି। ପ୍ରଫେସର୍‌ ଯତୀନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସେଣ୍ଟର ଫର ଏସିଆନ୍‌ ଷ୍ଟଡିଜ୍‌ର ନିର୍ଦ୍ଦେଶକ ଡ. ସଂଗ୍ରାମ ଜେନା ଓ ପଲିଟିକାଲ ବିଜିନେସ୍‌ ଡେଲିର ଓଡ଼ିଶା ସମ୍ପାଦକ ବିଜୟ କେତନ ମିଶ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ପ୍ରଶାସକ, ସାମ୍ବାଦିକମାନେ ଯୋଗ‌ ଦେଇଥିଲେ।

ସମ୍ବନ୍ଧିତ ଖବର