ଯାଁଳାରେ ଡାକସେବା ଠପ୍‌

ଖଣ୍ଡଗିରି: ସପ୍ତମ ବେତନ କମିସନ ହାରରେ ଦରମା ଦାବିରେ ୨୨ ତାରିଖରୁ ଗ୍ରାମୀଣ ଡାକସେବକମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଫଳରେ ଯାଁଳା ଅଞ୍ଚଳରେ ୨ ଦିନ ହେଲା ଡାକସେବା ଠପ୍‌ ହୋଇଯାଇଛି। ଯାଁଳା ଉପଡାକଘର ଅଧୀନରେ ଥିବା ଜଟଣୀ ଓ ଭୁବନେଶ୍ୱର ବ୍ଲକର ୧୨ଟି ଶାଖା ଡାକଘରେ ତାଲା ପଡ଼ିଯାଇଛି। ଡାକସେବା ବିନା ଶହ ଶହ ଡାକ ଉପଭୋକ୍ତାମାନେ ସମସ୍ୟାରେ ପଡ଼ି ଯାଇଥିବା ଅଭିଯୋଗ ହେଉଛି।

ସୂଚନାନୁସାରେ, ଡାକ କର୍ମଚାରୀମାନଙ୍କ ତିନି ତିନିଟି ସଂଘ ମିଳିତ ଭାବେ ଏହି ଧର୍ମଘଟ ଆରମ୍ଭ କରିଛନ୍ତି। ସଂଘର ଡାକରାରେ ଯାଁଳା ଅଧୀନରେ ଥିବା ୨୫ ଜଣ ଗ୍ରାମୀଣ ଡାକ ସେବକ କାମ ବନ୍ଦ କରି ଯାଁଳା ଉପ ଡାକଘର ସମ୍ମୁଖରେ ଧାରଣା ଦେଇଛନ୍ତି। ଫଳରେ ଯାଁଳା ଉପଡାକଘରକୁ କିଛି ବି ଚିଠିପତ୍ର ଆସିପାରୁନଥିବା ବେଳେ ଉପଭୋକ୍ତାଙ୍କ ନିକଟକୁ ସେମାନଙ୍କ ଚିଠିପତ୍ର ଯାଇ ପାରୁନାହିଁ। ଏବେ କଲେଜରେ ନାମ ଲେଖା ସମୟ ଚାଲିଥିବାରୁ ଡାକ କର୍ମଚାରୀମାନଙ୍କ ଧର୍ମଘଟ କିଛି ଛାତ୍ରଛାତ୍ରୀଙ୍କୁ ମଧ୍ୟ ଚିନ୍ତାରେ ପକାଇଥିବା ଜଣାପଡ଼ିଛି। ଭୁବନେଶ୍ୱର ବ୍ଲକର କଣ୍ଟାବାଡ଼, ପାଇକରାପୁର, ମେଣ୍ଢାଶାଳ, ରେତଙ୍ଗ, ମହୁରା ଓ ଜଟଣୀ ବ୍ଲକର ଛତାବର, ପଳାସପୁର, ଅଙ୍ଗାରପଡ଼ା, ଯାଁଳା, ମଦନପୁର, କାଇମାଟିଆ ଆଦି ଶାଖା ଡାକଘରର ଉପଭୋକ୍ତାମାନେ ହଇରାଣ ହେଉଥିବା ଜଣାପଡ଼ିଛି। ଏଣେ କର୍ମଚାରୀମାନଙ୍କ ଅଭିଯୋଗ ଯେ କେନ୍ଦ୍ର ସରକାର କମଳେଶ ଚନ୍ଦ୍ରା କମିଟି ସୁପାରିସ ଅନୁସାରେ ଗ୍ରାମୀଣ ଡାକ ସେବକମାନଙ୍କୁ ସପ୍ତମ ବେତନ କମିସନ ହାରରେ ଦରମା ଦେବା କଥା। ମାତ୍ର କେନ୍ଦ୍ର ସରକାର ଏଥିରେ ଟାଳଟୁଳ ନୀତି ଆପଣେଇଛନ୍ତି।  ଡାକ ସେବା କ୍ଷେତ୍ରରେ ଡାକ ସେବକମାନେ ସିଧାସଳଖ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଥିଲେ ବି ସେମାନଙ୍କୁ ସ୍ୱଳ୍ପ ଦରମାରେ ଗୋତି ଶ୍ରମିକ ଭଳି ଖଟିବାକୁ ପଡ଼ୁଛି। ସାଇକେଲରେ ଯାତାୟତ ହେଉଥିବା ଦୂରତାକୁ ମାପି କିଲୋ ମିଟର ପିଛା ହାରରେ ମଜୁରି ଦିଆଯାଉଛି। ସରକାର ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖୁଥିବାବେଳେ ଏହି ସେବାର ମୂଳାଧାର ଗ୍ରାମୀଣ ଡାକ ସେବକମାନଙ୍କୁ ଗୋତି ଶ୍ରମିକଭଳି ଖଟାଇବା ଦ୍ୱାରା ସରକାରଙ୍କ ଯୋଜନା ଫଳବତୀ ହେବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର