ପ୍ରଦ୍ୟୁମ୍ନ ବଳଙ୍କ ୮୬ତମ ଜୟନ୍ତୀ, ‘‌ସେ ମୂଲ୍ୟବୋଧଭିତ୍ତିକ ରାଜନୀତି ଓ ସାମ୍ବାଦିକତା କରୁଥିଲେ’

ଭୁବନେଶ୍ବର: ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳ ମୂଲ୍ୟବୋଧଭିତ୍ତିକ ରାଜନୀତି ଓ ସାମ୍ବାଦିକତା କରୁଥିଲେ। ଓଡ଼ିଶାରେ ସାମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ‘କିଟ୍‌’ କନ୍‌ଭେନ୍‌ସନ ସେଣ୍ଟର ପରିସରରେ ‘ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍‌ ଟ୍ରଷ୍ଟ’ ଆନୁକୂଲ୍ୟରେ ପ୍ରଦ୍ୟୁମ୍ନ ବଳଙ୍କ ୮୬ତମ ଜୟନ୍ତୀ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ପ୍ରଦ୍ୟୁମ୍ନ ବଳ ଓଡ଼ିଶାରେ ‘ପ୍ରଗତିବାଦୀ’ ଓ ‘କିଟ୍‌’ ଭଳି ଦୁଇଟି ବୃହତ୍‌ ଅନୁଷ୍ଠାନ ଗଢ଼ିଥିଲେ। ଗୋଟିଏ ଓଡ଼ିଆଙ୍କ ସ୍ୱର ଓ ଅନ୍ୟଟି ଶିକ୍ଷାର ଆଲୋକବର୍ତ୍ତିକା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ।ଓଡ଼ିଶା ଏବେ ବିଭିନ୍ନ କ୍ଷେତ୍ରରେ ବିକାଶ କରୁଛି। ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। କୃଷି ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ବିକାଶ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ କେନ୍ଦୁଝରର ‘ଜଳ ମଣିଷ’ ଦୈତାରୀ ନାଏକଙ୍କୁ ‘ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମାନ ସ୍ବରୂପ ତାଙ୍କୁ ଉପାୟନ, ମାନପତ୍ର ଓ ୧ ଲକ୍ଷ ଟଙ୍କାର ଚେକ୍‌ ଦିଆଯାଇଥିଲା। ସୂଚନାଯୋଗ୍ୟ, ଦୈତାରୀ ପାହାଡ଼ କାଟି ନିଜ ଗାଁ କ୍ଷେତକୁ ପାଣି ଆଣିବାରେ ସମର୍ଥ ହୋଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଅର୍ଥନୀତି ବିଶେଷଜ୍ଞ ପ୍ରଫେସର ଓଁକାର ଗୋସ୍ବାମୀ ଯୋଗଦେଇ ଭାରତର ଅଭିବୃଦ୍ଧି କ୍ଷେତ୍ରରେ କନ୍ୟା ଭ୍ରୂଣ ହତ୍ୟା, ନିରକ୍ଷରତା ବିଶେଷକରି ନାରୀ ଶିକ୍ଷାରେ ପ୍ରତିବନ୍ଧକ ଓ ଦାରିଦ୍ର୍ୟ ଦେଶର ବିକାଶରେ ପ୍ରତିବନ୍ଧକ ସାଜିଛି ବୋଲି କହିଥିଲେ। ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର୍‌ ଓଁକାରନାଥ ମହାନ୍ତି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିବା ବେଳେ ବ୍ରତତୀ ବଳ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ‘କିଟ୍‌’ ଓ ‘କିସ୍‌’ର ସଭାପତି ଶାଶ୍ବତୀ ବଳ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ବିତ ବଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର