ବିଧାୟକଙ୍କ ବିରୋଧୀ ରାଲିରେ ଠେଲାପେଲା

କୁଶ ପୁତ୍ତଳିକା ପୋଡ଼ିଲେ, ପ୍ରଚ୍ଛଦପଟ୍ଟରେ ପୂର୍ବତନ କର୍ପୋରେଟର୍‌! 

ଖଣ୍ଡଗିରି: ଶୁକ୍ରବାର ଭରତପୁରରେ ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ହାତାହାତି ଓ ଠେଲାପେଲା ଘଟିଛି। ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିବା ଓ ତାଙ୍କୁ ବିଜେଡିରୁ ହଟାଇବାକୁ ଦାବି କରି ଶୋଭାଯାତ୍ରା ବାହାର କରିବା କାରଣରୁ ଏହି ଗଣ୍ଡଗୋଳ ଘଟିଛି। ମାମଲା ପୁଲିସ ନିକଟକୁ ଯାଇନଥିଲେ ମଧ୍ୟ ବିଜେଡିର ଗୋଷ୍ଠୀକନ୍ଦଳକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ପୂର୍ବତନ କର୍ପୋରେଟର ହରେକୃଷ୍ଣ ନାୟକଙ୍କ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝାରୁ ଏଭଳି ଗଣ୍ଡଗୋଳ ଘଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି। କିନ୍ତୁ ବାସ୍ତବରେ ହରେକୃଷ୍ଣଙ୍କ ପଛରେ ଆଉ ଏକ ବିଧାୟକଙ୍କ ବିରୋଧୀ ଶକ୍ତିଶାଳୀ ଗୋଷ୍ଠୀ ରହିଥିବା କୁହାଯାଉଛି। ଆଜିର ମାମଲା ପରେ ଭରତପୁରରେ ଉତ୍ତେଜନା ଲାଗି ରହିଛି ଓ ଆଗକୁ ବିଜେଡିର ଗୋଷ୍ଠୀକନ୍ଦଳ ତୀବ୍ର ହେବ ବୋଲି ଅନୁମାନ କରାଯାଉଛି।

ସୂଚନାନୁସାରେ, ଆଜି ସକାଳ ପ୍ରାୟ ୯ଟା ବେଳେ ଭରତପୁରରେ ଶତାଧିକ ମହିଳା ଓ ପୁରୁଷ ହାତରେ ବିଜେଡି ପତାକା ଓ ବିଧାୟକ ଶ୍ରୀ ମିଶ୍ରଙ୍କ ନାଲିଛକି ପଡ଼ିଥିବା କଟ୍‌ ଆଉଟ୍ ଧରି ଏକ ଶୋଭାଯାତ୍ରାରେ କଳିଙ୍ଗ ଷ୍ଟୁଡିଓ ଛକ ପର୍ଯ୍ୟନ୍ତ ଆସିଥିଲେ। ବିଧାୟକଙ୍କୁ ବିଜେଡିରୁ ହଟାଇବାକୁ ଦାବି କରି ନାନା ପ୍ରକାର ସ୍ଳୋଗାନ ଦେଇଥିଲେ ଓ ଶେଷରେ ଏକ କୁଶପୁତ୍ତଳିକା ଦାହ କରିଥି‌ଲେ। ଏତିକିବେଳେ ପ୍ରାୟ ୩୦/୩୫ଜଣ ବିଜେଡି କର୍ମୀ ସେଠାରେ ପହଞ୍ଚି ବିକ୍ଷୋଭକାରୀମାନଙ୍କ ହାତରୁ ପତାକା, ବ୍ୟାନର ଓ କଟ୍‌ ଆଉଟ୍‌ ସବୁ ଛଡ଼ାଇ ନେଇଥିଲେ। ଫଳରେ କିଛି ସମୟ ପାଇଁ କଳିଙ୍ଗ ଷ୍ଟୁଡିଓ ଛକ ଏକପ୍ରକାର ରଣକ୍ଷେତ୍ର ପାଲଟି ଯାଇଥିଲା। ମାତ୍ର ସେଠାରେ ଉପସ୍ଥିତ ଅନ୍ୟ କର୍ମୀମାନେ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଆୟତ୍ତ କରିଥିଲେ। ବିକ୍ଷୋଭକାରୀମାନଙ୍କ ଅଭିଯୋଗ ହେଲା, ବିଧାୟକ ୫ବର୍ଷ ଭିତରେ ତାଙ୍କ ୨୨ନମ୍ବର ୱାର୍ଡକୁ ଅଣଦେଖା କରିଛନ୍ତି। ବିଧାୟକ ପାଣ୍ଠିରୁ କିଛି ବି ଅନୁଦାନ ଦେଇନାହାନ୍ତି। ତେଣୁ ତାଙ୍କୁ ପୁଣି ଏଠାରେ ବିଧାୟକ ଭାବେ ପ୍ରାର୍ଥୀ କରାଗଲେ, ବିଜେଡି ପାଇଁ କ୍ଷତିକାରକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଭରତପୁରର ନାରୀ ଓ ଯୁବକମାନେ ଏହି ରାଲିର ଆୟୋଜନ କରିଥିଲେ। କିନ୍ତୁ ବିଧାୟକଙ୍କ ସପକ୍ଷବାଦୀମାନେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ କର୍ପୋରେଟରଙ୍କ ଗୋଷ୍ଠୀ ବିରୋଧରେ କହିଛନ୍ତି। ହରେକୃଷ୍ଣ ‌ଲୋକଙ୍କୁ ମିଛ କଥାରେ ମତାଇ ଏଭଳି ଦଳ ବିରୋଧୀ କାର୍ଯ୍ୟ ଚଳାଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହା ପଛରେ ବିଜେଡି ବିରୋଧୀ ଶକ୍ତି ରହିଛି ଓ ହରେକୃଷ୍ଣ ଉକ୍ତ ବିରୋଧୀ ଶିବିରରେ ଯୋଗଦେଇଥିବା ସେମାନେ କହିଛନ୍ତି। ମାତ୍ର ଏ ନେଇ ହରେକୃଷ୍ଣଙ୍କ ସହ ଯୋଗାଯୋଗ କରିବାରୁ ସେ ଉକ୍ତ ରାଲିର ଆୟୋଜକ ନୁହନ୍ତି ବୋଲି ରୋକଠୋକ୍‌ କହିଥିଲେ। ଗଣ୍ଡଗୋଳ ବେଳେ ସେ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର