କାଳବୈଶାଖୀ ପବନ ସହ କୁଆପଥର ବର୍ଷା

ସାଧାରଣ ଜୀବନଯାତ୍ରା ପ୍ରଭାବିତ,ଅନ୍ଧାର ରାଜଧାନୀ; ଜଳିଗଲା ନଡ଼ିଆ ଗଛ

ଭୁବନେଶ୍ୱର: ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀରେ କାଳବୈଶାଖୀ ଯୋଗୁଁ କୁଆପଥର ବର୍ଷା ହୋଇଛି। ବର୍ଷା ସହ ପ୍ରବଳ ବେଗରେ ପବନ ରାଜଧାନୀର ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ବିଭିନ୍ନ ସ୍ଥାନରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଥିବା ବେଳେ ପବନରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ବିଜୁଳି ସହ ଘଡ଼ଘଡ଼ି ମାରିବାରୁ ୟୁନିଟ-୧ ପତିତପାବନ ଯୁବ ସଂଗଠନ କାର୍ଯ୍ୟାଳୟ ନିକଟରେ ଥିବା ଏକ ନଡ଼ିଆ ଗଛ ଜଳି ଯାଇଛି। ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ପ୍ରାୟ ଏକ ଘଣ୍ଟା ପରିଶ୍ରମ ପରେ ଏହି ନିଆଁକୁ ଆୟତ୍ତ କରାଯାଇ ଥିଲା। କ୍ୟାପିଟାଲ ହସ୍‌ପିଟାଲ ପରିସରରେ ଏକ ବିରାଟ ଗଛ ଭାଙ୍ଗି ପଡ଼ିବା ଫଳରେ ଭିତରକୁ ଯିବା ରାସ୍ତା ବନ୍ଦ ହୋଇଯାଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ରାସ୍ତା ଅବରୋଧ ରହିବା ପରେ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନେ ଅବରୋଧ ହଟାଇଥିଲେ। ହସ୍‌ପିଟାଲ ପରିସରରେ ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଛି। ବାରଙ୍ଗ ଅଞ୍ଚଳରେ ଏକ ଘଣ୍ଟା ଧରି କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛିି। ରାତି ସାଢ଼େ ୧୦ଟାରୁ ଏହି ତାଣ୍ଡବ ସହରରେ ଏକ ବିଚିତ୍ର ପରିବେଶ ସୃଷ୍ଟି କରିଛି। ବିଦ୍ୟୁତ୍‌ ସରବରାହ ବନ୍ଦ ହେବା ସାଂଗକୁ କେତେକ ଜାଗାରେ ମୋବାଇଲ ନେଟ୍‌ଓ୍ଵର୍କ ମଧ୍ୟ ଫେଲ୍‌ ମାରିଛି। ସାଢ଼େ ୧୦ଟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ତାଣ୍ଡବଲୀଳା ଜାରି ରହିଥିଲା। କୁଆପଥର ମାଡ଼ରେ ଭୁବନେଶ୍ୱର-କଟକ ରାଜପଥ ସମେତ ସହର ଭିତରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ସମ୍ବନ୍ଧିତ ଖବର