ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜି ସଂଧ୍ୟାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଉଦ୍ଘାଟିତ ହୋଇଛି। ପ୍ରଥମ ସଂଧ୍ୟାରେ ପରିବେଷିତ ଶାସ୍ତ୍ରୀୟ ସଙ୍ଗୀତର ମୂର୍ଚ୍ଛନାରେ ମୁଖରିତ ହୋଇଥିଲା ରାଜାରାଣୀ ମନ୍ଦିର ପ୍ରାଙ୍ଗଣ। ସନ୍ଧ୍ୟାର ପ୍ରଥମ ଶିଳ୍ପୀ ଥିଲେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଡ. ଏସ. ସୌମ୍ୟା। ପ୍ରଥମ ଅର୍ଘ୍ୟରେ ସେ ରାଗ ହଂସଧ୍ୱନୀ ବାତାପି ଗଣପତି ଏବଂ ରାଗ ପୂର୍ବୀ କଲ୍ୟାଣୀ ମିଶ୍ର ଚମ୍ପୁ ତାଳ ସହିତ ବିଭିନ୍ନ ରାଗ ଓ ତାଳରେ ସଙ୍ଗୀତ ପରିବେଷଣ କରିଥିଲେ। ତାଙ୍କୁ ବେହେଲାରେ ପଣ୍ଡିତ ଅମ୍ବର ଏସ କାନନ, ମୃଦଙ୍ଗରେ ପଣ୍ଡିତ ପି. ସୁବ୍ରମଣ୍ୟମ ଏବଂ ଜଞ୍ଜିରାରେ ପଣ୍ଡିତ କେ. ଗୋପାଲକ୍ରିଷ୍ଣନ ସହଯୋଗ କରିଥିଲେ। ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା କୈଳାସ ପାତ୍ରଙ୍କ ଦ୍ୱାରା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଉପରେ ବେହେଲା ବାଦନ। ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ବେହେଲା ବାଦନ ବେଶ୍ ହୃଦୟସ୍ପର୍ଶୀ ଥିଲା। ତାଙ୍କୁ ତାନପୁରାରେ କଳ୍ପନା ଓ ତବଲାରେ ପଣ୍ଡିତ ରାମଦାସ ପଲସୁଲେ ସହଯୋଗ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସନ୍ଧ୍ୟାର ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ଶାସନ ସଚିବ ଜି. ମାଥିଭାଥନାନ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଡ. ସଙ୍ଗୀତା ଗୋସାଇଁ ଏବଂ ଅନୁଜା ତାରିଣୀ ମିଶ୍ର।