ରଜ ବଦଳରେ ରଜୋ, ଉଠୁଛି ପ୍ରତିବାଦର ସ୍ୱର

‘ରଜୋ’ ଲେଖାକୁ ଭାଷାବିତ୍‌, ଇଂରାଜୀ ଗବେଷକଙ୍କ ନାପସନ୍ଦ, ସୋସିଆଲ୍‌ ମିଡିଆରେ ଜୋର୍‌ଦାର୍‌ ପ୍ରତିବାଦ

ଭୁବନେଶ୍ୱର: ରଜ ପର୍ବକୁ ଖାଣ୍ଟି ଓଡ଼ିଆ ପର୍ବ ଭାବେ ବିବେଚନା କରାଯାଏ। ଏହି ପର୍ବ ଓଡ଼ିଆ ଅସ୍ମିତାର ଏକ ପ୍ରତୀକ। କିନ୍ତୁ ଇଂରାଜୀରେ ‘ରଜ’କୁ ଏପରି ଭାବେ ଲେଖାଯାଉଛି ଯେ ତାହାକୁ ନେଇ ବିବାଦର ସୂତ୍ରପାତ ହୋଇଛି। ଇଂରାଜୀରେ ଏହାକୁ ‘ରଜୋ’ (RAJO) ଲେଖାଯାଉଛି। ବିଶେଷ କରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ନିଜ ନିଜ ବିଜ୍ଞାପନରେ ଏପରି ବିକୃତ ଲେଖା ଅଧିକ ମାତ୍ରାରେ ଲକ୍ଷ୍ୟ କରାଯାଉଛି। ଏହା ଦ୍ୱାରା ଗୋଟିଏ ପର୍ବର ନାମ ବଦଳିଯାଉଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ସୋସିଆଲ୍‌ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଏହାକୁ ନେଇ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି।

ଅଭିଯୋଗକାରୀଙ୍କ ଯୁକ୍ତି, ଓଡ଼ିଆରେ ‘ରଜ’ ଲେଖା ଯାଉଥିବାରୁ ଇଂରାଜୀରେ ତାହା ‘RAJA’ ହେବା କଥା। କିନ୍ତୁ ବର୍ଷ ବର୍ଷ ଧରି ଇଂରାଜୀରେ ତାହାକୁ ‘RAJO’ ଲେଖାଯାଇ ଆସୁଛି। ଗୋଟିଏ ଓଡ଼ିଆ ଶବ୍ଦକୁ କାହିଁକି ଏପରି ଅପଭ୍ରଂଶ କରାଯାଉଛି, ତାହା ସମସ୍ତଙ୍କୁ ବ୍ୟଥିତ କରିଛି। ଏହି ଭୁଲ୍‌କୁ ସୁଧାରିବା ପାଇଁ ସେପରି ଜୋର୍‌ଦାର୍‌ ଉଦ୍ୟମ ହୋଇ ନାହିଁ। କେବେ କେମିତି କାଁ ଭାଁ କିଏ ବ୍ୟକ୍ତିଗତ ଭାବେ ପ୍ରତିବାଦ କରିଛନ୍ତି ସତ। କିନ୍ତୁ ସେହି ପ୍ରତିବାଦର ସ୍ୱର ତୀବ୍ର ହୋଇନି। ଫଳରେ ତ୍ରୁଟି ସୁଧୁରିବା ଦୂରର କଥା, ବରଂ ତାହା ଆହୁରି ବ୍ୟାପକ ହୋଇଛି। ଚଳିତ ବର୍ଷ ସୋସିଆଲ୍‌ ମିଡିଆରେ ଏହାକୁ ନେଇ ଜୋର୍‌ଦାର୍‌ ବିତର୍କର ସୂତ୍ରପାତ ହୋଇଛି। କୌଣସି କାରଣ ନ ଥାଇ ଗୋଟିଏ ଖାଣ୍ଟି ଓଡ଼ିଆ ପର୍ବର ନାମକୁ ଭୁଲ୍‌ ଭାବେ ଉପସ୍ଥାପନ କରାଯାଉଛି ବୋଲି ମତପ୍ରକାଶ ପାଇଛି। ସମସ୍ତେ ଏହାକୁ ସମସ୍ୱରରେ ନିନ୍ଦା କରୁଥିବା ଦେଖାଯାଉଛି। କେବଳ ଭାଷାପ୍ରେମୀ, ବୁଦ୍ଧିଜୀବୀ ନୁହନ୍ତି, ଯୁବିପିଢ଼ି ମଧ୍ୟ ଏପରି ଭୁଲ୍‌ ଇଂରାଜୀ ଲେଖାକୁ ବିରୋଧ କରିଛନ୍ତି। ‘ରଜୋ’ ବଦଳରେ ‘ରଜ’ ଲେଖିବା ପାଇଁ ଏକ ଅଭିଯାନ ବି ଆରମ୍ଭ ହୋଇଛି। ପୁଣି ସିଧାସଳଖ ଭାବେ କିଛି ଆଗ୍ରହୀ ଯୁବକ ରାଜଧାନୀରେ ବିଭିନ୍ନ ପ୍ରତିଷ୍ଠିତ ସୋ’ରୁମ୍‌ ମାଲିକମାନଙ୍କ ସହ କଥା ହୋଇ ‘ରଜ’ ଲେଖିବାକୁ ଅନୁରୋଧ କରିଛନ୍ତି। ସୋସିଆଲ ମିଡ଼ିଆରେ ଏହି ଅଭିଯାନ ଆରମ୍ଭ ହେବା ପରେ ରାଜଧାନୀର କିଛି ବ୍ୟବସାୟିକ ପ୍ରତିଷ୍ଠାନ ତାଙ୍କ ବିଜ୍ଞାପନରେ ଇଂରାଜୀରେ ‘ରଜୋ’ ପରିବର୍ତ୍ତେ ‘ରଜ’ ଲେଖୁଥିବା ଦେଖାଯାଇଛି। ତଥାପି ଅଧିକାଂଶ ପ୍ରତିଷ୍ଠାନ ଚେତି ନାହାନ୍ତି। ସେମାନେ ନିଜ ନିଜ ବିଜ୍ଞାପନ ହୋର୍ଡିଂ, ପୋଷ୍ଟର୍‌ରେ ରଜୋ ଉତ୍ସବ ବୋଲି ଲେଖୁଛନ୍ତି। ସୋସିଆଲ ମିଡିଆରେ ଏହି ପ୍ରଚାର ଆରମ୍ଭ କରିଥିବା ରୁଦ୍ର ପ୍ରସାଦ ରଥ କହନ୍ତି, ଗତ କିଛି ବର୍ଷ ହେବ କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଜବରଦସ୍ତ ରଜ ଶବ୍ଦକୁ ଅପଭ୍ରଂଶ କରି ରଜୋ ଲେଖୁଛନ୍ତି। ଏହି ଶବ୍ଦ ଭୁଲ୍‌ ହୋଇଥିବାରୁ ଗତ ମେ’ ୧୦ରୁ ଏହା ବିରୋଧରେ ଅଭିଯାନ ଆରମ୍ଭ କରାଯାଇଥିଲା। ସୋସିଆଲ ମିଡିଆରେ ଏହି ଅଭିଯାନକୁ ବହୁ ସମର୍ଥନ ମିଳିଥିଲା ଓ ବହୁ ଲୋକ ସ୍ୱେଚ୍ଛାକୃତ ଭାବେ ଏଥିରେ ସାମିଲ୍‌ ହୋଇଥିଲେ। ପ୍ରଥମେ ପ୍ରଥମେ ଲୋକଙ୍କୁ ବୁଝାଇବାରେ କଷ୍ଟ ହେଉଥିଲା। କିନ୍ତୁ ପରେ ସ୍ୱତଃପ୍ରବୃତ୍ତ ଭାବେ ସମାଜର ବିଭିନ୍ନ ବର୍ଗର ଲୋକେ ଏଥିରେ ସାମିଲ୍‌ ହେଲେ। ରଜ ଶବ୍ଦର ପ୍ରକୃତ ଅର୍ଥ ବିଷୟରେ ସଚେତନ କରିବା ପାଇଁ ସୋସିଆଲ ମିଡିଆରେ କିଛି କିଛି ଭିଡିଓ ପୋଷ୍ଟ କରାଯାଉଛି। ବର୍ତ୍ତମାନ ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚିଲାଣି। ‘କଳାମନ୍ଦିର’ ପରି କିଛି ପ୍ରତିଷ୍ଠିତ ସୋ’ରୁମ୍‌ ଏହି ଶବ୍ଦକୁ ଠିକ୍‌ କରି ଲେଖିବା ଆରମ୍ଭ କରିଛନ୍ତି। ତେବେ ଏଥିପାଇଁ ସୋରୁମ୍‌ କି କୌଣସି ବ୍ୟକ୍ତିଙ୍କୁ ସିଧାସଳଖ ଭାବେ ବିରୋଧ କରାଯାଉ ନାହିଁ। କେବଳ ଅନୁରୋଧ କରାଯାଉଛି ଯେ ତ୍ରୁଟିପୂର୍ଣ୍ଣ ବିଜ୍ଞାପନକୁ ବନ୍ଦ କରିବା ପାଇଁ। ଏହି ଅଭିଯାନକୁ ଶାନ୍ତିଭିତ୍ତିକ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ଭାଷାବିତ୍‌ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ରଜ ଶବ୍ଦର ଠିକ୍‌ ଉପସ୍ଥାପନ ସପକ୍ଷରେ ଯୁକ୍ତି ରଖି କୁହନ୍ତି, କିଛି ମୂର୍ଖ ଲୋକ ଏମିତି ଭୁଲ୍‌ ଶବ୍ଦର ବ୍ୟବହାର କରୁଛନ୍ତି। ଓଡ଼ିଆରେ ‘ରଜ’କୁ ଯଦି ଇଂରାଜୀରେ ‘ରଜୋ’ କରି ଦିଆଯାଏ, ତେବେ ତାହା ସଂପୂର୍ଣ୍ଣ ଭୁଲ୍‌। ଓଡ଼ିଆରେ ‘ରଜ’ ଲେଖା ଯାଉଥିଲେ ଇଂରାଜୀରେ ତାହାକୁ ‘ରଜୋ’ ଲେଖାଯିବାର କୌଣସି ଯଥାର୍ଥତା ନାହିଁ। ସେହିପରି ଶିକ୍ଷାବିତ୍‌ ତଥା ଇଂରାଜୀ ପ୍ରଫେସର ଯତୀନ୍ଦ୍ର ନାୟକ କହନ୍ତି, ରଜୋ ଲେଖାଯିବା ଠିକ୍‌ ନୁହେଁ। ଧୀରେ ଧୀରେ ଏମିତି ଅନେକ ଶବ୍ଦ ଭୁଲ୍‌ ଲେଖାଯାଉଛି, ଯାହା କି ଉଚିତ୍‌ ନୁହେଁ। ଏଥିପାଇଁ ଗଣମାଧ୍ୟମର ବି ଦାୟିତ୍ୱ ରହିବା ଦରକାର। ଏହି ଶବ୍ଦର ପ୍ରକୃତ ଅର୍ଥ ଲୋକଙ୍କ ନିକଟରେ ପହଞ୍ଚିଲେ, ସେମାନେ ସଚେତନ ହେବେ ଓ ଏପରି ତ୍ରୁଟି କରିବେ ନାହିଁ।

ସମ୍ବନ୍ଧିତ ଖବର