ଆର୍‌ଟିଓ ଅଡ଼ୁଆ : ସରିଆସୁଛି ସମୟ, ଭିଡ଼ ଅସମ୍ଭାଳ

ଭୁବନେଶ୍ୱର : ଭିତ୍ତିଭୂମି ନ ସଜାଡ଼ି ନୂଆ ମୋଟର ଯାନ ଆଇନ ଲାଗୁ କରିବାରୁ ସରକାର ପ୍ରବଳ ବିରୋଧର ସମ୍ମୁଖୀନ ହେଲେ। ଏହାକୁ ନେଇ ଚାରିଆଡ଼େ ଅସନ୍ତୋଷର ନିଅାଁ କୁହୁଳିବା ସହ ରାଜଧାନୀର ରାଜମହଲ ଛକ ରଣକ୍ଷେତ୍ର ପାଲଟିଥିଲା। ଫଳରେ ଗାଡ଼ି ମାଲିକଙ୍କୁ କାଗଜପତ୍ର ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ୩ମାସର ମହଲତ ଦେଇଥିଲେ। ଏହି ମହଲତ ପୂରିବାକୁ ଆଉ ୩ଦିନ ବାକି ଅଛି। ଅର୍ଥାତ୍‌ ନିୟମ ଖିଲାପ କଲେ ଆସନ୍ତା ଡିସେମ୍ବର ପହିଲାରୁ ପୁଣି ଥରେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଏହି କୋହଳ ଅବଧି କୌଣସି ପରିସ୍ଥିତିରେ ବୃଦ୍ଧି ହେବ ନାହିଁ ବୋଲି ଆଜି ମନ୍ତ୍ରୀ ବିଧାନସଭାରେ ସ୍ପଷ୍ଟ କରିବା ପରେ ଲୋକେ ଆହୁରି ଛାନିଆ ହୋଇଛନ୍ତି। ସମୟ ସରି ଆସୁଥିବା ବେଳେ ଏବେ ଆର୍‌ଟିଓରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି।

ଆଜି ଆର୍‌ଟିଓ-୧ ପରିସରରେ ଏତେ ସଂଖ୍ୟାର ଲୋକ ପହଞ୍ଚିଥିଲେ ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଭୋର୍‌ ସମୟରୁ ଲୋକମାନେ ଧାଡ଼ି ବାନ୍ଧି ଅଫିସ୍‌ ଖୋଲିବା ଯାଏ ଛିଡ଼ା ହୋଇ ରହିବାରୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଅଫିସ ଖୋଲିବା ମାତ୍ରେ ଉପସ୍ଥିତ ହଜାର ହଜାର ଲୋକ ଏକକ‌ାଳୀନ ପଶିବାକୁ ଉଦ୍ୟମ କରିବାରୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଶେଷରେ ମୁଖ୍ୟ ଫାଟକରେ ତାଲା ପକାଯାଇ ପୁଲିସକୁ ଖବର ଦିଆ ଯାଇଥିଲା। ସହିଦନଗର ଥାନା ଇନ୍‌ସ୍‌ପେକ୍ଟର ବିରଞ୍ଚି ପତି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ କମିସନରେଟ୍‌ ପୁଲିସ ପକ୍ଷରୁ ଦେଢ଼ ପ୍ଲାଟୁନ୍‌ ଫୋର୍ସ ମୁତୟନ କରା ଯାଇଥିଲା।

ବାହାରେ ସନ୍ଧ୍ୟା ପର୍ଯ୍ୟନ୍ତ ଛିଡ଼ା ହେଲେ, କିଛି ଫେରିଗଲେ
ପୁଲିସ ଶୃଙ୍ଖଳିତ ଭାବେ ସ୍ଥିତି ସମ୍ଭାଳିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଭିନ୍ନ ସମସ୍ୟା ଦେଖା ଦେଇଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ବାହାରେ ଅପେକ୍ଷା କରିଥିବା ଲୋକମାନଙ୍କୁ ଭିତରକୁ ଛଡ଼ା ଯାଇ ନ ଥିଲା। ମୁଖ୍ୟ ଫାଟକ ତାଲା ପକାଯାଇ ବାହାରେ ଲୋକମାନଙ୍କୁ ଧାଡ଼ି ବାନ୍ଧିବା ପାଇଁ କୁହାଯାଇଥିଲା। ବାହାରେ ଲୋକମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଛିଡ଼ା ହୋଇ ରହିଥିଲେ। ଦଫା ଦଫାରେ ସେମାନଙ୍କୁ ଭିତରକୁ ଛଡ଼ା ଯାଉଥିଲା। ସକାଳୁ ଧାଡ଼ି ବାନ୍ଧିଥିବା କିଛି ଲୋକଙ୍କ ପାଳି ସନ୍ଧ୍ୟାରେ ପଡ଼ିଥିଲା। ଆଉ ନିରାଶ ହୋଇ ଫେରି ଯାଇଥିଲେ। ଅଫିସର ଓ କର୍ମଚାରୀମାନେ ପଛପଟ ଦେଇ ଅଫିସ୍‌ ଭିତରକୁ ଯାଇଥିଲେ। ଅନ୍ୟକାମ ଆସିଥିବା ଲୋକମାନେ ଭିତରେ ପଶି ପାରି ନ ଥିଲେ। ଯିଏ ପଶିଥିଲା ସେ ଘଣ୍ଟା ଘଣ୍ଟା ଧରି ବାହାରି ପାରି ନ ଥିଲା।

ଅଧିକାଂଶ ଫେଲ୍‌
ଲର୍ଣ୍ଣର୍ସ ଲାଇସେନ୍ସ ପାଇଁ ଚ‌ାଳକକୁ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ପଡ଼ୁଛି। ଏଥିରେ ଗାଡ଼ିଚାଳନା ବେଳେ ରାସ୍ତା କଡ଼ରେ ଥିବା ବିଭିନ୍ନ ଚିହ୍ନ ଉପରେ ଥିବା ଜ୍ଞାନର ପରୀକ୍ଷା କରାଯାଉଛି। ଅନେକ ଗାଡ଼ି ଚଳାଉଥିଲେ ମଧ୍ୟ ଏହି ଚିହ୍ନ ବାବଦରେ ଜାଣି ନାହାନ୍ତି। ଫଳରେ ପରୀକ୍ଷା ଦେଉଥିବା ଆବେଦନକାରୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଫେଲ ହେଉଛନ୍ତି। ପରେ ସେମାନେ ପୁଣି ଥରେ ଆବେଦନ କରୁଛନ୍ତି। ସେମାନଙ୍କର ପାଳି ୩ରୁ ୪ ଦିନ ଭିତରେ ପଡ଼ୁଛି। ଏଭଳି ବିଳମ୍ବ ହେବା ସହ ଆବେଦନକାରୀଙ୍କ ଧାଡ଼ି ଲମ୍ବା ହେଉଥିବା ଦେଖାଯାଇଛି।

୧୫ ବର୍ଷର ଗାଡ଼ି ମାଲିକଙ୍କ ଭିଡ଼
୧୫ ବର୍ଷର ଅଣପରିବହନ ଗାଡ଼ି ପଞ୍ଜୀକୃତ ହେବା ପରେ ପୁଣି ଥରେ ଚାଲିପାରିବ ବୋଲି ଏସ୍‌ଟିଏ ସ୍ପଷ୍ଟ କରିଛି। ଏହି ଦ୍ବନ୍ଦ୍ବ ସ୍ପଷ୍ଟ ହେବା ପରେ ପୁନଃ ପଞ୍ଜୀକରଣ ପାଇଁ ଏହି ଗାଡ଼ିମାଲିକମାନେ ଧାଡ଼ି ବାନ୍ଧୁଥିବା ଦେଖାଯାଇଛି। ଏଥିପାଇଁ ଆଜି ଅଧିକ ଭିଡ଼ ପରିଲକ୍ଷିତ ହୋଇଥିଲ‌ା। ୧୫ ବର୍ଷରୁ ଅଧିକ ପୁରୁଣା ୨୨ ଲକ୍ଷ ୯ ହଜାର ୫୭୩ଟି ଗାଡ଼ି ରାଜ୍ୟରେ ରହିଥିବା ବେଳେ ସେଥିରୁ ୧୧ ଲକ୍ଷ ୪୩ ହଜାର ୨୬ଟି ଗାଡ଼ି ଚଳପ୍ରଚଳ କରୁଛି। ଭୁବନେଶ୍ବରରେ ପାଖାପାଖି ୧ ଲକ୍ଷରୁ ଊର୍ଦ୍ଧ୍ବ ଗାଡ଼ି ରହିଛି। ଅଦ୍ୟାବଧି ଆରଟିଓ-୧ରେ ୪୩୧୦ ଓ ଆରଟିଓ-୨ରେ ମାତ୍ର ୧୨୯ଟି ଗାଡ଼ି ପୁନଃ ପଞ୍ଜୀକୃତ ହୋଇଛି।

ବାହନ ବନ୍ଦ
ବାହନ ୱେବ୍‌ସାଇଟ୍‌ ଜରିଆରେ ସମସ୍ତ କାମ ହେଉଛି। ସକାଳ ୧୦ରୁ ରାତି ପର୍ଯ୍ୟନ୍ତ ଆରଟିଓ ଓ ଅନ୍ୟ କ୍ୟାମ୍ପ ଅଫିସ୍‌ରେ କାମ ଚାଲିଛି। କେବଳ ଭୁବନେଶ୍ବର ନୁହେଁ, ସମଗ୍ର ରାଜ୍ୟରେ ଚାଲିଛି। ଏଣୁ ଏହି ୱେବ୍‌ସାଇଟ୍‌ ବେ‌ଳେ ବେଳେ କ୍ରାସ୍‌ କରୁଛି। ତେବେ କ୍ରାସ୍‌ ହେବା ପୂର୍ବରୁ ବାହନ ଆପ୍‌କୁ କିଛି ସମୟ ପାଇଁ ବନ୍ଦ ରଖାଯାଉଛି। ଶହ ଶହ ଲୋକଙ୍କର ଧାଡ଼ି ଲାଗିଥିଲେ ମଧ୍ୟ ଏହି ବନ୍ଦ ସମୟରେ କୌଣସି କାମ କରିହେଉ ନାହିଁ। ଫଳରେ ବିଳମ୍ବ ହେଉଛି।

ଜନସେବା କେନ୍ଦ୍ରରେ ମିଳିବ ସେବା
ଆରଟିଓରେ ଆଉ ଭିଡ଼ ହେବ ନାହିଁ। ଏଥର ଜନସେବା କେନ୍ଦ୍ର ଗୁଡ଼ିକରେ ମିଳିବ ଏହି ସବୁ ସେବା। ଲର୍ଣ୍ଣର୍ସ ଲାଇସେନ୍ସ ଆବେଦନ ହେଉ ବା ମାଲିକାନା ପରିବର୍ତ୍ତନ କିମ୍ବା ପୁନଃ ପଞ୍ଜୀକରଣ ସମସ୍ତ ପ୍ରକାରର ଅନ୍‌ଲାଇନ୍‌ ସେବା ଏହି ସବୁ କେନ୍ଦ୍ର ମାନଙ୍କରେ ଉପଲବ୍ଧ ହେବ। ଏଥିପାଇଁ ଜନସେବାକେନ୍ଦ୍ରର କର୍ମଚାରୀମାନଙ୍କୁ ଆଜି ଆରଟିଓ-୨ କନ୍‌ଫରେନ୍ସ ହଲ୍‌ରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଆରଟିଓ-୨ ସଞ୍ଜୟ ବେହେରା ଭୁବନେଶ୍ବର ଓ ଜଟଣୀର ୧୧୦ଟି କେନ୍ଦ୍ରର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଆସନ୍ତାକାଲି ଠାରୁ ସେମାନେ ଏହି ସେବା ଯୋଗାଇଦେ‌ବେ। ଏଥିପାଇଁ ସେମାନେ ସରକାରୀ ଦେୟ ଛଡ଼ା ଅଧିକ ଅର୍ଥ ଦାବି କରିବେ ନାହିଁ।

ସମ୍ବନ୍ଧିତ ଖବର