ସପିଂ ମଲ୍‌, ତାରକା ହୋଟେଲ୍‌ କ’ଣ ନିୟମ ବାହାରେ?

କାହା ଚାପରେ ଅଗ୍ନିଶମ ବିଭାଗ, ଦୁଇ ବର୍ଷ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

0 245

ଭୁବନେଶ୍ବର: ବହୁତଳ କୋଠା, ସପିଂ ମଲ୍‌, ହସ୍ପିଟାଲ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ଯେପରି ଅଗ୍ନିକାଣ୍ଡ ହେବନି, ଯଦି କୌଣସ କାରଣରୁ ନିଆଁ ଲାଗିଲା, କିଛି ଅଘଟଣ ଘଟିବା ପୂର୍ବରୁ ନିଆଁକୁ ନିୟନ୍ତ୍ରଣ କରିହେବ, ସେନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଜାନୁଆରି ୨୦୧୭ରେ ଗାଇଡଲାଇନ୍ ଜାରି କରାଯାଇଥିଲା। ଏପରିକି କେତୋଟି ସପିଂ ମଲ୍‌, ଗହଣା ଦୋକାନର ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରି ବିଭାଗ ପକ୍ଷରୁ ନୋଟିସ୍ କରାଯାଇଥିଲା। କେଉଁଠି ବି ଆବଶ୍ୟକୀୟ ବ୍ୟବସ୍ଥା ନ ଥିବାରୁ ଦୁଇ ମାସ ମଧ୍ୟରେ ଆବଶ୍ୟକୀୟ ସରଞ୍ଜାମ ଲଗାଇବା ସହ ଫାୟାର ଅଡିଟ୍ କରିବାକୁ କୁହାଯାଇଥିଲା। ନହେଲେ ସଂସ୍ଥାକୁ ସିଲ୍‌ କରି ଦିଆଯିବ ବୋଲି ବି ଧମକ ଦିଆଯାଇଥିଲା। କିନ୍ତୁ କୌଣସି ସପିଂ ମଲ୍‌ କି ଉଚ୍ଚ ଅଟ୍ଟାଳିକା ଏହି ନିୟମ ମାନିଲେନି, ବରଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ଅଦୃଶ୍ୟ ଚାପରେ ଚାପି ହୋଇଗଲେ। ଏମିତି ପରିସ୍ଥିତି ହୋଇଛି ଯେ ଅଗ୍ନିଶମ ବିଭାଗ ଅଧିକାରୀମାନେ ନୋଟିସ୍‌ କରିଥିବା ସଂସ୍ଥାଗୁଡ଼ିକୁ ଆଖି ଉଠାଇ ଦେଖୁନାହାନ୍ତି। ଫଳରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ମଲ୍‌, ଗହଣା ଦୋକାନ, ଉଚ୍ଚ ଅଟ୍ଟାଳିକାକୁ ଦୈନିକ ହଜାର ହଜାର ଲୋକ ଜୀବନକୁ ବାଜି ଲଗାଇ ଯାଉଛନ୍ତି। ଜୟଦେବ ବିହାର ନିକଟରେ ଥିବା ଏକ ସ୍ପୋଟର୍ସ ସୋ’ରୁମ୍‌, ଜନପଥରେ ଥିବା ଏକ ସପି˚ ମଲ୍‌, ଖାରବେଳନଗର‌ରେ ଏକ ଡ୍ରେସ୍‌ ସୋ’ରୁମ ଓ କଟକ ରୋଡ୍‌ରେ ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ତ ଘଟିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କଡ଼ାକଡ଼ି ହୋଇଥିଲା। ରାଜଧାନୀରେ ଏଭଳି ଅଗ୍ନିକାଣ୍ତର ଯେପରି ପୁନରାବୃତ୍ତି ନ ହେବ, ସେଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ତାରକା ହୋଟେଲଠାରୁ ଆରମ୍ଭ କରି ସପି˚ ମଲ୍‌, ଗହଣା ଦୋକାନଗୁଡ଼ିକୁ ନୋଟିସ୍‌ କରି ପରାମର୍ଶ ଦିଆଗଲା। କିନ୍ତୁ ଏହାକୁ କେହି ମାନୁନାହାନ୍ତି। ଏବେ ବି ସେହି ସବୁ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହୁଗୁଳା। ଗ୍ରାହକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ତ ଦୂରର କଥା ସପି˚ ମଲ୍‌ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଅଗ୍ନିଶମ ବିଭାଗର ନିୟମକୁ ମୋଡ଼ି ମକଚି ଦେଇଛନ୍ତି। ନିୟମକୁ ନ ମାନି ବେଧଡ଼କ ବ୍ୟବସାୟ କରି ଚାଲିଛନ୍ତି। ଏହା ସତ୍ତ୍ବେ ଏସବୁ ଅନୁଷ୍ଠାନଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହାକି ଅଗ୍ନିଶମ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀମାନେ ମୋଟା ଅଙ୍କର ଚାନ୍ଦା ନେଇ ସବୁ ବେନିୟମକୁ ନିୟମ ସଙ୍ଗତ କରି ଦେଉଥିବା ଅଭିଯୋଗ ହେଉଛି। ଏସବୁ ସ୍ଥାନରେ ନିଆଁ ଲାଗି ସବୁ ପାଉଁଶ ହେଲା ପରେ ହିଁ ବିଭାଗୀୟ ଅଧିକାରୀ ତଦନ୍ତ କରିବାକୁ ଆସିବାକୁ ଅପେକ୍ଷା କରିଛନ୍ତି।

ଜାନୁଆରି ୯, ୨୦୧୭ରେ ଅଗ୍ନିଶମ ବିଭାଗ ପକ୍ଷରୁ ରାଜଧାନୀର ପାଖାପାଖି ୧୦ଟି ସପି˚ ମଲ ,୨୬ଟି ତାରକା ହୋଟେଲ ଓ ଗହଣା ଦୋକାନ ଉପରେ ଚଢ଼ଉ ହୋଇଥିଲା। ସପି˚ମଲ, ତାରକା ହୋଟେଲ୍‌, ବଡ଼ବଡ଼ ଗହଣା ଦୋକାନଗୁଡ଼ିକରେ ଅଗ୍ନି ନିର୍ବାପକ ସୁରକ୍ଷା ବ୍ୟବସ୍ଥା ନ ଥିବା ରିପୋର୍ଟ ଅଗ୍ନିଶମ ବିଭାଗ ଦେଲା। ଏପରିକି ଏଠାରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ କୌଣସି ପ୍ରକାରର ନିରାପତ୍ତା ବ୍ୟବସ୍ଥା ନଥିବା କୁହାଗଲା। କେଉଁଠି ଆଲାରାମ ନାହିଁ ତ କେଉଁଠି ଆଲାରାମ ବାଜୁନି। କେତେକ ସ୍ଥାନରେ ସ୍ପ୍ରିଙ୍କଲର୍‌ ଥାଇ ମଧ୍ୟ ଅଚଳ ହୋଇପଡ଼ିଛି। ଏହି ସବୁ ସ୍ଥାନରେ ଯେଉଁ ସବୁ ଅଗ୍ନି ନିରାପତ୍ତା ଯନ୍ତ୍ରଗୁଡ଼ିକୁ ବ୍ୟବହାର କରାଯାଉଛି ତାହା ପୁଣି ଅତି ନିମ୍ନମାନର। ଖାଲି ଏତିକି ନୁହେଁ, ତାରକା ହୋଟେଲ, ମଲ୍‌, ଗହଣା ଦୋକାନଗୁଡ଼ିକରେ ଜରୁରୀକାଳୀନ ପରସ୍ଥିତି ପାଇଁ ଉଦ୍ଦିଷ୍ଟ ଶିଡ଼ିଗୁଡ଼ିକ ଅଚଳ ହୋଇପଡ଼ିଛି। କେତେକ ସ୍ଥାନରେ ଜରୁରୀକାଳୀନ ଦ୍ବାର ସମ୍ମୁଖକୁ ଷ୍ଟୋର୍‌ ଭାବେ ବ୍ୟବହାର କରାଯାଇଛି। ସେହିପରି କିଛି ସ୍ଥାନରେ ଜରୁରୀକାଳୀନ ଦ୍ବାର ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

ଏସବୁ ସ୍ଥାନଗୁଡ଼ିକରେ ନିରପତ୍ତା ପାଇଁ ୨୦ ହଜାର ଲିଟର ପାଣି ଟାଙ୍କି ରଖିବା ପାଇଁ ନିୟମ ରିହିଛି। ଯେଉଁ ଦେକାନ ବା ମଲ୍‌ର ପାଣି ଟାଙ୍କି ରହିଛି, ସେଗୁଡ଼ିକ ଅତି କ୍ଷୁଦ୍ର ଯାହାକି ଆବଶ୍ୟକ ସମୟରେ ମୁକାବିଲା ପାଇଁ ପର୍ଯ୍ୟାପ୍ତ ନୁହେଁ। ମଲ୍‌, ହୋଟେଲ, ଗହଣା ଦୋକାନ ଚାରି ପଟେ ରାସ୍ତାକୁ ଅତି କମ୍‌ରେ ୬ମିଟର ଚଉଡ଼ା ରାସ୍ତା ଛାଡ଼ିବାକୁ ନିୟମ ରହିଛି। ଫଳରେ ଦମକଳ ଗାଡ଼ିଗୁଡ଼ିକ ସହଜରେ ଚାରିପଟେ ଯିବା ସହିତ ଅଘଟଣର ମୁକାବିଲା କରିପାରିବ। ହେଲେ ଅନେକ ସ୍ଥାନରେ ଚାରିପଟେ ରାସ୍ତା ନାହିଁ। ଯେଉଁଠି ବି ରହିଛି, ତାହା ୫ ଫୁଟ ଭିତରେ ସୀମିତ ରହିଛି। ମୁଖ୍ୟ ଦ୍ବାରକୁ ୫ମିଟର ଚଉଡ଼ା ରଖିବା ପାଇଁ ନିୟମ ରହିଛି। ହେଲେ ମୁଖ୍ୟ ଦ୍ବାରକୁ ବନ୍ଦ କରି ଭାଗ ଭାଗ କରି ଦିଆଯାଇଛି। କୌଣସି ପ୍ରକାରର ଅଗ୍ନିକାଣ୍ତ ଘଟିଲେ ସେଣ୍ଟ୍ରାଲ୍‌ ଏସିଗୁଡ଼ିକ ସ୍ବତଃ ବନ୍ଦ ହୋଇଯିବାର ବ୍ୟବସ୍ଥା ରଖିବାକୁ ନିୟମ ରହିଛି। ଫଳରେ ନିଆଁ ଲାଗିବା କ୍ଷଣି ଏସି ବନ୍ଦ ହୋଇଯିବ ଓ ନିଆଁ ଚାରିଆଡ଼କୁ ସହଜରେ ବ୍ୟାପିବନି। ହେଲେ ଅଧିକାଂଶ ସ୍ଥାନରେ ଏହି ନିୟମକୁ ଖୋଲାଖୋଲି ଭାବେ ଉଲ୍ଲ˚ଘନ କରାଯାଇଛି।

କାହା ଚାପରେ ଅଗ୍ନିଶମ ବିଭାଗଦୁଇ ବର୍ଷ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ବେସ୍‌ମେଣ୍ଟ ନିୟମ ମାନୁନାହାନ୍ତି
ନିୟମ ଅନୁଯାୟୀ ବେସ୍‌ମେଣ୍ଟଗୁଡ଼ିକୁ ବିଶେଷକରି ପାର୍କିଂ ପାଇଁ ବ୍ୟବହାର କରାଯାଇଥାଏ। ବେସ୍‌ମେଣ୍ଟରେ କୌଣସି ପ୍ରକାର ଉତ୍ସବ ପାଇଁ ଅନୁମତି ଦିଆଯାଏ ନାହିଁ। ଯଦି କେହି ବେସ୍‌ମେଣ୍ଟକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରେ, ସେଥିପାଇଁ ବିଡିଏ ଓ ବିଏମ୍‌ସିଠାରୁ ସ୍ବତନ୍ତ୍ର ଅନୁମତି ନେବା ଆବଶ୍ୟକ। ହେଲେ ଅନେକ ହୋଟେଲ୍‌ରେ ବିଡିଏ କିମ୍ବା ବିଏମ୍‌ସିରୁ କୌଣିସି ଅନୁମତି ନିଆଯାଉନାହିଁ। କେତେକ ସ୍ଥାନରେ ବେଆଇନ ଭାବେ ବେସ୍‌ମେଣ୍ଟକୁ ମଣ୍ତପ ଭାବେ ମଧୢ ବ୍ୟବହାର କରାଯାଇଛି। ବେସ୍‌ମେଣ୍ଟ ଚାରିପଟେ ବଡ଼ ଦ୍ବାର ରଖିବା ପାଇଁ ନିୟମ ଥିଲେ ମଧୢ ତାହା କାରାଯାଇ ନାହିଁ। ଯଦି ସେଠାରେ ଅଗ୍ନିକାଣ୍ତ ଘଟେ, ଲୋକମାନେ ବାହାରକୁ ବାହାରିବାକୁ ବାଟ ମଧୢ ନାହିଁ।

କର୍ମଚାରୀଙ୍କୁ ଦିଆଯାଉ ନାହିଁ ତାଲିମ…
ସପି˚ ମଲ୍‌, ହୋଟେଲ, ବ୍ୟାବସାୟିକ ପ୍ରତିଷ୍ଠାନ ନିୟମକୁ ତ ଖୋଲାଖୋଲି ଫାଙ୍କି ଚାଲିଛନ୍ତି। ଏହାଠାରୁ ଅଧିକ ବିଡ଼ମ୍ବନାର ବିଷୟ ଯେ ଜରୁରୀକାଳୀନ ପରିସ୍ଥିତ ପାଇଁ ଯେଉଁ ସବୁ ଅଗ୍ନି ନିରାପତ୍ତା ଯନ୍ତ୍ର ରହିଛି, ତାହାର ବ୍ୟବହାର କର୍ମଚାରୀମାନଙ୍କୁ ଜଣାନାହିଁ କି ସେମାନଙ୍କୁ ତାଲିମ୍‌ ଦିଆଯାଉ ନଥିବା ଅଭିଯୋଗ ହେଉଛି। କର୍ମଚାରୀମାନଙ୍କୁ ଅତି କମ୍‌ରେ ବର୍ଷରେ ଦୁଇଥର ତାଲିମ୍‌ ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ମଝିରେ ମଝିରେ ମକ୍‌ ଡ୍ରିଲ୍‌ ଭଳି କାର୍ଯ୍ୟକ୍ରମ କରିବାକୁ ମଧ୍ୟ କୁହାଯାଇଛି। ହେଲେ ଏହାକୁ କେହି ପାଳନ କରୁନାହାନ୍ତି।

କାମ ଦେଉନି ଗାଇଡଲାଇନ୍‌

ଭୁବନେଶ୍ବର: ଯେପରି କୌଣସି ହସ୍ପିଟାଲରେ ଅଗ୍ନିକାଣ୍ତ ଘଟିଲେ ବ୍ୟାପକ କ୍ଷୟକ୍ଷତି ଘଟିବନି ଏବ˚ ଏହାକୁ ତୁରନ୍ତ ନିୟନ୍ତ୍ରଣ କରିହେବ ସେନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। କେଉଁଭଳି ହସ୍ପିଟାଲରେ କ’ଣ କ’ଣ ବ୍ୟବସ୍ଥା ରହିବା ଦରକାର ତାହା କୁହାଯାଇଛି। ୨୮.୦୨.୨୦୧୫ରୁ ଏହି ଗାଇଡଲାଇନ୍‌ ଜାରି ହୋଇଥିଲେ ହେଁ ଏହାକୁ କେତେ ହସ୍ପିଟାଲ ମାନୁଛନ୍ତି, ତା’ର ହିସାବ କିନ୍ତୁ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। ସ୍ବାସ୍ଥ୍ୟ ବିଭାଗ କେବଳ ଗାଇଡଲାଇନ୍‌ ଜାରି କରିଦେଇ ନିଜ ମୁଣ୍ତରୁ ଦୋଷ ଖସାଇ ଦେବାକୁ ଉଦ୍ୟମ କରିଥିବା ବେଳେ ଅଗ୍ନିଶମ ବିଭାଗ ବି ଏହାକୁ ଯା‌ଞ୍ଚ କରିବାକୁ ଠିକ୍ ଭାବୁନି। କଟକ ଶିଶୁ ଭବନରେ ବଡ଼ଧରଣର ଅଗ୍ନିକାଣ୍ତ ଘଟିବା ପରେ ଡିଏମ୍‌ଇଟି ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲକୁ ଗାଇଡଲାଇନ୍‌ ଜାରି କରାଯାଇଥିଲା। ସମସ୍ତ ହସ୍ପିଟାଲ ଅଗ୍ନିସେବା ଓ ହୋମଗାର୍ଡ ଡିଜିଙ୍କ କାର୍ଯ୍ୟାଳୟରୁ ‘ଅଗ୍ନି ନିର୍ବାପକ କ୍ଲିଅରାନ୍ସ ସାର୍ଟିଫିକେଟ’ ଆଣିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।
ଏହି ଗାଇଡ୍‌ଲାଇନ ଅନୁଯାୟୀ, ଯଦି ୯ମିଟରରୁ ଅଧିକ ଉଚ୍ଚତା ବା ତିନିରୁ ଅଧିକ ମହଲା ବିଶିଷ୍ଟ ବିଲଡି˚ରେ ହସ୍ପିଟାଲ ଚାଲିଥିବ, ୩୦ରୁ ଅଧିକ ଶଯ୍ୟା ଥିବ, ଏକ ବା ଏକାଧିକ ଆଇସିୟୁ ଥିବ, ସେଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କଡ଼ାକଡ଼ି ହେବ। ଏଥିରେ ପ୍ରତି ହଜାରେ ବର୍ଗଫୁଟରେ ଦୁଇଟି ଲେଖାଏଁ ସାଢ଼େ ଚାରି କେଜି ବିଶିଷ୍ଟ ଅଙ୍ଗାରକାମ୍ଳ ଗ୍ୟାସ ସିଲିଣ୍ତିର ରହିବ। ପ୍ରତି ୩୦ଫୁଟ ପରିଧି ଭିତରେ ଏହି ସିଲିଣ୍ତର ରହିବ। ଏପରି ଜାଗାରେ ସିଲିଣ୍ତର ରହିଥିବ ଯେ ସହଜରେ ଏହାକୁ ବ୍ୟବହାର କରି ହେଉଥିବ। ସେହିପରି ହସ୍ପିଟାଲରେ ଯେଉଁମାନେ କାର୍ଯ୍ୟ କରୁଥିବେ, ସେମାନେ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ସମ୍ପର୍କରେ ଜାଣିଥିବା ଦରକାର। ନିୟମିତ ବ୍ୟବଧାନରେ ଅଗ୍ନି ନିର୍ବାପକ ଯନ୍ତ୍ରା˚ଶଗୁଡ଼ିକର ଯାଞ୍ଚ କରିବା ସହିତ ଏହାର ମରାମତି କରିବା ଦରକାର। କର୍ମଚାରୀମାନଙ୍କୁ ସଚେତନ କରାଇବା ସହିତ ନିଆଁ ଲାଗିଲେ ଷ୍ଟାଫ୍‌ମାନେ କ’ଣ କରିବେ ସେନେଇ ନିୟମିତ ବ୍ୟବଧାନରେ ମକ୍‌ ଡ୍ରିଲ୍‌ ହେବା ଦରକାର। ଏହି ସବୁ ନିୟମାବଳୀକୁ ମାନି ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ମିଳିଥିବା ‘ଅଗ୍ନି ନିର୍ବାପକ କ୍ଲିଅରାନ୍ସ ସାର୍ଟିଫିକେଟ’କୁ ହସ୍ପିଟାଲର ବିଭିନ୍ନ ସ୍ଥାନରେ ଲଗାଇବାକୁ କୁହାଯାଇଛି। କେଉଁ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି, ଯେତିକି ଆବଶ୍ୟକ ସେହି ଅନୁଯାୟୀ ଉପକରଣ ଅଛି କି ନାହିଁ, ହସ୍ପିଟାଲରେ ଲାଗିଥିବା ଅଗ୍ନି ନିର୍ବାପକ ଯନ୍ତ୍ରପାତିର ବ୍ୟବହାର ହସ୍ପିଟାଲ କର୍ମଚାରୀ ଜାଣିଛନ୍ତି କି ନାହିଁ ତାହାର ସୂଚନା କିନ୍ତୁ ସ୍ବାସ୍ଥ୍ୟ ବିଭାଗ ରଖିନି। ଯେଉଁଥିପାଇଁ ଗୋଟିଏ ପରେ ଗୋଟିଏ ବଡ଼ଧରଣର ଅଗ୍ନିକାଣ୍ତ ଘଟି ଚାଲିଛି। ମାତ୍ର ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ପାଖରେ ଉତ୍ତର ନାହିଁ କେଉଁ ହସ୍ପିଟାଲରେ କେତେ ଅଗ୍ନି ନିର୍ବାପକ ଯନ୍ତ୍ରପାତି ଲାଗିଛି, କେତେ କର୍ମଚାରୀ ଏହାର ବ୍ୟବହାର ଜାଣିଛନ୍ତି, କେଉଁ ହସ୍ପିଟାଲରେ କେତେଥର ମକ୍‌ ଡ୍ରିଲ୍‌ ହୋଇଛି, ସେ କଥା ବି କେହି ଜାଣିନାହାନ୍ତି। ଫଳରେ ସ୍ବାସ୍ଥ୍ୟ ବିଭାଗର ଅପାରଗତା ଯୋଗୁଁ ଏହିଭଳି ବଡ଼ ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.