ମନେ ରହିବ ଏ ମହାକୁମ୍ଭ: ହକି ପଡ଼ିଆରେ ସଚିନ୍‌… ସଚିନ୍‌…

ସରିଛି ୧୯ ଦିନର ଯାତ୍ରା। ଏଥିସହ ହକି ମହାକୁମ୍ଭର ପରଦା ନଇଁଛି। ହକିର କୁହୁକ ମନ୍ତ୍ର ଦର୍ଶକଙ୍କୁ ବାନ୍ଧି ରଖିବା ପରେ ସୁଖଦ ସମାପ୍ତ ଘଟିଛି। ବିଶ୍ବକପ୍‌ର ସଫଳ ଆୟୋଜନ ସହ କଳିଙ୍ଗ ମାଟି ରଚିଛି ପୁଣି ଏକ ନୂଆ ଇତିହାସ। ଶେଷ ମ୍ୟାଚ୍‌ରେ ଭାରତୀୟ ଦଳ ନଥିଲା। ମାତ୍ର ଓଡ଼ିଶାବାସୀ ଯେ ହକି ପାଇଁ କେତେ ଉତ୍ସାହୀ, ତାହା ଆଜି ପୂର୍ଣ୍ଣ ଷ୍ଟାଡିୟମ୍‌ ବୟାନ କରୁଥିଲା। ଶେଷ ଦିନରେ ବାତ୍ୟା ‘ପେଥାଇ’ ପ୍ରଭାବରେ ହାଲ୍‌କା ବର୍ଷା ହୋଇଥିବା ବେଳେ ୩ୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଗୋଲ୍‌ ବର୍ଷା ହୋଇଥିଲା। ଶେଷ ମ୍ୟାଚ୍‌ରେ କିନ୍ତୁ ଗୋଲ୍‌ ମରୁଡ଼ି ପଡ଼ି ଯାଇଥିଲା। ତଥାପି ବେଲ୍‌ଜିୟମ-ନେଦରଲାଣ୍ଡ୍‌ ମଧ୍ୟରେ ଲଢ଼ୁଆ ମ୍ୟାଚ୍‌ ବିନା ଗୋଲ୍‌ରେ ବି ହଜାର ହଜାର ଦର୍ଶକଙ୍କ ମନ କିଣି ନେଇଥିଲା। ସୁଟ୍‌ ଆଉଟ୍‌ ଯୋଗୁଁ ମ୍ୟାଚ୍‌ରେ ରୋମାଞ୍ଚ ଆହୁରି ବଢ଼ି ଯାଇଥିଲା। କିଏ ବେଲ୍‌ଜିୟମକୁ ସମର୍ଥନ କରି ମୁହଁରେ ବେଲ୍‌ଜିୟମର ପତାକା ଚିତ୍ର ଆଙ୍କିଥିଲା ତ ଆଉ କିଏ ନେଦରଲାଣ୍ଡ୍‌ର ପତାକା ସହ ଚିତ୍ରରେ ସଜେଇ ହୋଇ ଆସିଥିଲା। ଭାରତୀୟ ଥିଲେ ହେଁ ନିଜର ପସନ୍ଦର ଦଳକୁ ଚିୟରଅପ୍ କରିଥିଲେ କ୍ରୀଡ଼ାପ୍ରେମୀ। ସଚିନ୍‌ଙ୍କ ଉପସ୍ଥିତି ଦର୍ଶକଙ୍କ ପାଇଁ ଆଣିଦେଇଥିଲା ଆଉ ଏକ ଅଭୁଲା ମୁହୂର୍ତ୍ତ। ମ୍ୟାଚ୍ ଦେଖି ଫେରିବା ବେଳେ ସମସ୍ତଙ୍କ ମୁହଁରୁ ବାହାରୁଥିଲା ୱାଃ ୱାଃ ୱାଃ…

ଅଷ୍ଟ୍ରେଲିଆ ଦର୍ଶକ ଖୁସ୍‌
ଅଷ୍ଟ୍ରେଲିଆର ଫାଇନାଲ୍‌ ଆଶା ମଉଳିବା ପରେ ଏହି ଦେଶର ଦର୍ଶକଙ୍କ ମନ ଭାଙ୍ଗି ଯାଇଥିଲା। ତଥାପି ସେମାନେ ଓଡ଼ିଶା ଛାଡ଼ି ଯାଇ ନଥିଲେ। ଆଜି ହେବାକୁ ଥିବା ବ୍ରୋଞ୍ଜ୍‌ ପଦକ ମୁକାବିଲା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଷ୍ଟାଡିୟମ୍‌ର ବିଭିନ୍ନ ସ୍ଥାନରେ ରହି ଅଷ୍ଟ୍ରେଲିଆ ଦଳକୁ ସମର୍ଥନ ଜଣାଇଥିଲେ। ଅଷ୍ଟ୍ରେଲିଆ ଇଂଲଣ୍ଡକୁ ଏକପାଖିଆ ୮-୧ ଗୋଲ୍‌ ବ୍ୟବଧାନ‌ରେ ପରାସ୍ତ କରିଥିଲା।

ବେଲଜିୟମ୍‌କୁ ଓଡ଼ିଆଙ୍କ ସମର୍ଥନ
ଫାଇନାଲ୍‌ ମ୍ୟାଚ୍‌ରେ ଓଡ଼ିଶାର ଦର୍ଶକମାନେ ବେଲଜିୟମ୍‌ର ସମର୍ଥକ ସାଜିଥିବା ଦେଖାଯାଇଥିଲା। ନେଦରଲ୍ୟାଣ୍ଡଠାରୁ ହାରି ଭାରତ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଥିବାରୁ ସେହି ଦଳକୁ ବହୁ କମ୍‌ ଦର୍ଶକ ସମର୍ଥନ ଜଣାଇଥିଲେ। ମ୍ୟାଚ୍‌ ସଂଘର୍ଷ ପୂର୍ଣ୍ଣ ହୋଇଥିବାରୁ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ ଦର୍ଶକ। ପେନାଲଟି ସୁଟ୍‌ ଆଉଟ୍‌ରେ ବେଲଜିୟମ୍‌ ପ୍ରଥମେ ଜିତିଥିଲେ ମଧ୍ୟ ତାହା ବାତିଲ୍‌ ହୋଇଥିଲା। ତେଣୁ ଦୁଇ ମିନିଟ୍‌ ପାଇଁ ଉତ୍ସବ ମନାଇଥିବା ବେଲଜିୟମ୍‌ ସମର୍ଥକଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିଲା।

ହୋଟେଲ୍‌ରେ ମସ୍ତି
ବେଲଜିୟମ୍‌ ଦଳ କଳିଙ୍ଗ ଷ୍ଟାଡିୟମ୍‌ରେ ଟ୍ରଫି ହାସଲ କରିଥିଲା। କିନ୍ତୁ ଖେଳାଳିଙ୍କ ଉତ୍ସାହ ହୋଟେଲ ସାଣ୍ଡିସ୍‌ ଟାୱାରରେ ଦେଖିବାକୁ ମିଳିଥିଲା। ବେଲଜିୟମ୍‌ ଦଳର ଖେଳାଳିମାନେ ହୋଟେଲରେ ପହଞ୍ଚିବା ପରେ ସେମାନଙ୍କୁ ପାଛୋଟି ନିଆଯାଇଥିଲା। ଟ୍ରଫି ସହ ସେଲ୍‌ଫି ଉଠାଇଥିଲେ। ସମର୍ଥକଙ୍କୁ ନିରାଶ ହେବାକୁ ଦେଇ ନ ଥିଲେ। ହୋଟେଲର ପ୍ରବେଶ ପଥଠାରୁ ‌ରୁମ୍‌ ପର୍ଯ୍ୟନ୍ତ ଲମ୍ବିଥିଲା ଲମ୍ବା ଲାଇନ୍‌। ରାତି ପ୍ରାୟ ୧୧ଟା ଯାଏ ଏହି ଉତ୍ସାହ ଜାରି ରହିଥିଲା।

ଜମିଗଲା ଆତସବାଜି
ଶେଷ ମ୍ୟାଚ୍‌ରେ ବେଲ୍‌ଜିୟମ ବିଶ୍ବବିଜେତା ହେବା ପରେ ପୂରା ଷ୍ଟାଡିୟମ ରଙ୍ଗିନ ହୋଇଯାଇଥିଲା। ଚତୁଃପାର୍ଶ୍ବରେ ଆତସବାଜିର ‌ଢ଼ୋ ଢ଼ୋ ଶବ୍ଦ ସାଙ୍ଗକୁ ଭଳିକି ଭଳି ରଙ୍ଗିନ ଫୋଟକା କ୍ରୀଡ଼ାପ୍ରେମୀଙ୍କୁ ଶେଷ ପର୍ଯ୍ୟନ୍ତ ଷ୍ଟାଡିୟମ ଛାଡ଼ିବାକୁ ଦେଇ ନଥିଲା। ପ୍ରାୟ ୧୫ମିନିଟ୍‌ ପର୍ଯ୍ୟନ୍ତ ଆତସବାଜି ସାଙ୍ଗକୁ ମଝିରେ ମଝିରେ ଫାୟାର ସୋ’ରେ ଦର୍ଶକ ବିଭୋର୍‌ ହୋଇଥିଲେ।

ତାରକସି କୋଣାର୍କ ଚକ ଉପହାର
ଆଜି ‌ବିଶ୍ବ ବିଜେତା ଦଳ ବେଲ୍‌ଜିୟମ, ଉପବିଜେତା ନେଦରଲାଣ୍ଡ୍‌ ଏବଂ ଅଷ୍ଟ୍ରେଲିଆ ଦଳର ଖେଳାଳିଙ୍କୁ ଓଡ଼ିଶାର ସ୍ମାରକୀ ବହନ କରୁଥିବା ତାରକସିର କୋଣାର୍କ ଚକ୍ର ସ୍ଥାପତ୍ୟ ଦେଇ ସମ୍ବର୍ଧିତ କରାଯାଇଥିଲା। କଟକରେ ଏହି ତାରକସି କାମ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଆସିଥିଲା।

ଭିଆଇପିଙ୍କୁ ଫୁଲତୋଡ଼ା ଫିଙ୍ଗିଲେ
ତୃତୀୟ ସ୍ଥାନ ପାଇଁ ଲଢ଼େଇ କରୁଥିବା ଅଷ୍ଟ୍ରେଲିଆ ଇଂଲଣ୍ଡ୍‌ ଦଳଠାରୁ ଜିତିବା ପରେ ପୁରସ୍କାର ସ୍ବରୂପ ପାଇଥିବା ଫୁଲତୋଡ଼ା ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ୱେଷ୍ଟ୍‌ ଷ୍ଟାଣ୍ଡ୍‌ ଉପରକୁ ଫୋପାଡ଼ିଥିଲେ। ଦର୍ଶକ ବି ଫୁଲତୋଡ଼ା ଧରିବା ପାଇଁ ପ୍ରତିଯୋଗିତା ଲଗାଇଥିଲେ। ଅଷ୍ଟ୍ରେଲିଆ ଦଳ ଷ୍ଟାଡିୟମ ଚାରି ପାଖରେ ଦୌଡ଼ି ଲୋକଙ୍କଠାରୁ ବିଜୟ ଶୁଭେଚ୍ଛାର ତାଳି ଗ୍ରହଣ କରିଥିଲେ।

୨୫୦ ଟଙ୍କାର ଟିକେଟ୍‌ ୨ହଜାର
ଆଜି ଶେଷ ଦିନରେ ବି ଲୋକେ ଫାଇନାଲ୍‌ ମ୍ୟାଚ୍‌ର ଟିକେଟ୍‌ ଖଣ୍ଡେ ପାଇଁ ଯେମିତି ଡହଳ ବିକଳ ହେଉଥିଲେ। ନିଶା ଏମିତି ଯେ ୪ ନମ୍ବର ଗେଟ୍‌ ନିକଟରେ ଥିବା ଅନ୍‌ଲାଇନ୍‌ ଟିକେଟ୍‌ କାଉଣ୍ଟର୍‌ ଆଗରେ ଛିଡ଼ା ହୋଇଥିଲେ। କିଛି ଦିନ ହେବ ସେଠାରେ ଟିକେଟ୍‌ କଳାବଜାରୀ ହେଉଥିବାରୁ ଆଜି ବି ଏଠାରେ ଭିଡ଼ ଦେଖିବାକୁ ମିଳିଥିଲା। କେହି କେହି ୨୫୦ ଟଙ୍କାର ଟିକେଟ୍‌ ୮୫୦ ଟଙ୍କା, ୧ହଜାର ଓ ୨ ହଜାର ଟଙ୍କାରେ କିଣିଥ‌ିଲେ। ଟିକେଟ୍‌ ବ୍ଲାକ୍‌ ହେଉଥିବାରୁ ସେଠାରେ ପୁଲିସ୍‌ ମୁତୟନ କରାଯାଇଥିଲା। ତଥାପି ଲୋକେ ବିଶ୍ବକପ୍‌ର ଶେଷ ମ୍ୟାଚ୍‌ର ସ୍ମୃତି ପାଇଁ ବିକଳ ହୋଇ କାହା ପାଖେ ଟିକେଟ୍‌ ଅଛି ବୋଲି ପଚାରି ବୁଲୁଥିଲେ।

୧୯ ଦିନରେ ୧୨୫ ଆହତ
ନଭେମ୍ବର ୨୮ରୁ ଆରମ୍ଭ ହୋଇଥିବା ୧୯ ଦିନ ଖେଳ ମଧ୍ୟରେ ମୋଟ୍‌ ୧୨୫ ଜଣ ଆହତ ହୋଇଛନ୍ତି। ଦକ୍ଷିଣ ପଟ ଷ୍ଟାଣ୍ଡ୍‌ରେ ବଲ୍‌ ବାଜି ସର୍ବାଧିକ ଆହତ ହୋଇଥିବା ବେଳେ ତା’ ପଛକୁ ରହିଥିଲା ଉତ୍ତର ଷ୍ଟାଣ୍ଡ୍‌। ମାତ୍ର ପୂର୍ବ ଓ ପଶ୍ଚିମ ଷ୍ଟାଣ୍ଡ୍‌ରେ କେହି ଆହତ ହୋଇ ନଥିଲେ। ଆଜି ୫ଜଣ ଆହତ ହୋଇଥିବା ବେଳେ ମାନସୀ ମାଝିଙ୍କ ମୁଣ୍ଡରେ ବଲ୍‌ ବାଜି ଫୁଲି ଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ତତ୍ତ୍ବାବଧାନରେ ସବୁ ଗେଟ୍‌ ନିକଟରେ ସେଣ୍ଟ୍‌ ଜନ୍‌ ଆମ୍ବୁଲାନ୍‌ସ ପକ୍ଷରୁ ଫାଷ୍ଟ୍‌ଏଡ୍‌ ସେଣ୍ଟର୍‌ ଖୋଲିଥିଲା। ୩୫ ଜଣ ସ୍ବେଚ୍ଛାସେବୀ ସେବା ଯୋଗାଇ ଦେଇଥିଲେ। ୪ଟି ଆମ୍ବୁଲାନ୍‌ସ ତ୍ବରିତ ସେବା ଯୋଗାଇ ଦେଇଥିଲା। ଏହା ପୂର୍ବରୁ ମୁଣ୍ଡରେ ବଲ୍‌ ବାଜି ଆହତ ହୋଇଥିବା ଜଣେ ଯୁବତୀଙ୍କୁ ହକି ଇଣ୍ଡିଆ ପକ୍ଷରୁ ସମ୍ବର୍ଧିତ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ତାଙ୍କର ଠିକଣା ନ ପାଇବାରୁ ସେ ସମ୍ବର୍ଧିତ ହୋଇପାରିନଥିଲେ। ଆହତ ଖେଳାଳିମାନଙ୍କୁ ଆପୋଲୋ ହସ୍ପିଟାଲ୍‌ ପକ୍ଷରୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା।

ଗାଲରେ ବେଲଜିୟମ୍‌-ନେଦରଲ୍ୟାଣ୍ଡ ପତାକା
ସେମି ଫାଇନାଲ୍‌ ପର୍ଯ୍ୟନ୍ତ ଦର୍ଶକଙ୍କ ଗାଲରେ ଭାରତୀୟ ପତାକା ଶୋଭା ପାଉଥିଲା। ଆଜି କିନ୍ତୁ ଷ୍ଟାଡିୟମ୍‌ ବାହାରେ ଓ ଭିତରେ ଟିକିଏ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ବହୁତ ଲୋକଙ୍କ ଗାଲରେ ଶୋଭାପାଉଥିଲା ବେଲଜିୟମ୍‌-ନେଦରଲ୍ୟାଣ୍ଡର ଜାତୀୟ ପତାକା।

ସମ୍ବନ୍ଧିତ ଖବର