ପରିବର୍ଧିତ ହେଲା ‘ସାରସ୍ୱତ ପାଠାଗାର’ : ଉପଲବ୍ଧ ହେଉଛି ବିଭିନ୍ନ ଧର୍ମର ୪୦୮୬ ପୁସ୍ତକ

ଭୁବନେଶ୍ୱର : ସଦ୍‌ଗୁରୁ ସ୍ୱାମୀ ନିଗମାନନ୍ଦ ଦେବଙ୍କ ପ୍ରତିଷ୍ଠିତ ‘ନୀଳାଚଳ ସାରସ୍ୱତ ସଂଘ’ର ଭୁବନେଶ୍ୱର କାର୍ଯ୍ୟାଳୟ ସତ୍‌ଶିକ୍ଷା ମନ୍ଦିରଠାରେ ନୂତନ ଭାବରେ ନିର୍ମିତ ଓ ପରିବର୍ଧିତ ‘ସାରସ୍ୱତ ପାଠାଗାର’ ଉଦ୍‌ଘାଟିତ ହୋଇଯାଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ମେୟର ଅନନ୍ତ ନାରାୟଣ ଜେନା, ପରିଚାଳନା ସମିତି ସଦସ୍ୟ ସନ୍ତୋଷ ମହାନ୍ତି, ସ୍ଥାନୀୟ କର୍ପୋରେଟର୍‌ ଦେବାଶିଷ ସିଟ୍‌ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ୧୯୮୦ ମସିହାରୁ ଗଢ଼ି ଉଠିଥିବା ଏହି ପାଠାଗାରରେ ବିଭିନ୍ନ ଧର୍ମର ଗ୍ରନ୍ଥାବଳୀ ଓ ପତ୍ରିକା ସ୍ଥାନ ପାଇଛି। ବେଦଠାରୁ ଆରମ୍ଭ କରି ହିନ୍ଦୁମାନଙ୍କର ସମସ୍ତ ଧର୍ମଗ୍ରନ୍ଥ ସମେତ କୋରାନ୍‌ ଓ ବାଇବେଲ୍‌ ଆଦି ଧର୍ମଗ୍ରନ୍ଥ ମଧ୍ୟ ଏଠାରେ ଉପଲବ୍ଧ। ପୂର୍ବରୁ ପାଠାଗାରରେ ୬୫୧ଟି ପୁସ୍ତକ ଥିବା ବେଳେ ଏବେ ଏହା ବଢ଼ି ୪୦୮୨ରେ ପହଞ୍ଚିଛି। ଏହି ଅବସରରେ ଆୟୋଜିତ ସଭାରେ ସଂଘର ସଭାପତି ସଂଗ୍ରାମ କେଶରୀ ସିହ୍ନା ସଭାପତିତ୍ୱ କରିଥିବା ବେଳେ ସଂଗ୍ରାମ କେଶରୀ ମଲ୍ଲିକ ପରିଚାଳନା କରିଥିଲେ। ଶେଷରେ ସଂଘର ଉପସଭାପତି ଶରତ ଚନ୍ଦ୍ର ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର