ଦୁର୍ଲଭ ରଘୁନାଥ ବେଶରେ ଚତୁର୍ଧା ମୂର୍ତି

ଭୁବନେଶ୍ବର: ଘଣ୍ଟଘଣ୍ଟା ଓ କାହାଳୀର ଆଧ୍ୟାତ୍ମିକ ଗୁଞ୍ଜରଣରେ ଉଛୁଳୁଥିଲା ପରିବେଶ। ଚାମର ଓ ଆଲଟ ସେବାରେ ପ୍ରଭୁଙ୍କୁ ତୋଷ କରୁଥିଲେ ସେବକ। ଏଭଳି ଏକ ମନୋରମ ପରିବେଶରେ ରଘୁନାଥ ବେଶରେ ଦର୍ଶନ ଦେଇଥିଲେ ଚତୁର୍ଧା ମୂର୍ତି। ୧୯୦୫ ମସିହାରେ ଶ୍ରୀମନ୍ଦିରରେ ଏଭଳି ବେଶ ପ୍ରତ୍ୟକ୍ଷ କରିବାର ସୁଯୋଗ ମିଳିଥିବା ବେଳେ ଆଜି ପ୍ରଭୁଙ୍କୁ ଏହି ପ୍ରତୀକାତ୍ମକ ବେଶରେ ଦର୍ଶନ କରିବାର ଅବକାଶ ଜୁଟିଥିଲା। ‘ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ୍‌’ ଏବଂ ‘ନାଲ୍‌କୋ ନଗର କମିଟି’ର ମିଳିତ ଆନୁକୂଲ୍ୟରେ ନାଲ୍‌କୋ ନଗର କମ୍ୟୁନିଟି ସେଣ୍ଟର୍‌ ଦୁର୍ଗା ମଣ୍ଡପରେ ଏଇ ଦୁର୍ଲଭ ବେଶ ଦର୍ଶନ କରିବାକୁ ଛୁଟି ଆସିଥି‌ଲେ ଭକ୍ତ।

ଏହି ଅବସରରେ ଶୋଭା ପାଇଥିଲା ପ୍ରଭୁ ଶ୍ରୀରାମଙ୍କ ଅଭିଷେକ ସମୟର ଦରବାର ଦୃଶ୍ୟ। ଭବ୍ୟ ସିଂହାସନରେ ପ୍ରଭୁ ଚତୁର୍ଧା ମୂର୍ତି ବିରାଜମାନ କରିଥିଲେ। ପାଖରେ ଥିଲେ ଭରତ, ଶତ୍ରୁଘ୍ନ, ହନୁମାନ, ଇନ୍ଦ୍ର, ବ୍ରହ୍ମା, ବିଶ୍ବାମିତ୍ର, ବଶିଷ୍ଠ ଋଷିଙ୍କ ସମେତ ବାନରସେନା। ଅନ୍ୟ ଦେବତାଙ୍କ ସହ ଋଷି ଓ ସେନାପତି ମଧ୍ୟ ଦରବାରରେ ଉପସ୍ଥିତ ଥିଲେ। ୩୨ ଟି ମୂର୍ତି ଦରବାର ସ୍ଥଳରେ ସ୍ଥାନ ପାଇଥିଲା। ଶ୍ରୀମନ୍ଦିରରୁ ପ୍ରସାଦି ମାଳ, ହୃଦପଦକ, ଗୁଣା, ଝୁମ୍ପା ଓ ଅଧରମାଳ ଆସିଥିଲା। ପୁରୀର ପାରମ୍ପରିକ ଶିଳ୍ପୀମାନଙ୍କ ଦ୍ବାରା ଏହି ବେଶ ସମ୍ପନ୍ନ ହୋଇଥିଲା। ପ୍ରଭୁ ଏ ପର୍ଯ୍ୟନ୍ତ ମାତ୍ର ୯ଥର ଏହି ବେଶରେ ଦର୍ଶନ ଦେଇଥିବା ବେଳେ ହୀରା, ନୀଳା, ମୋତି, ମାଣିକରେ ପ୍ରଭୁ ସଜେଇ ହୁଅନ୍ତି। ତେଣୁ ଏହାକୁ ପ୍ରଭୁଙ୍କର ଦୁର୍ଲଭ ବେଶ ବୋଲି କୁହାଯାଏ। ୧୯୦୫ ମସିହା ପରେ ଏହି ବେଶ ଦର୍ଶନର ସୁଯୋଗ ମିଳିନାହିଁ। ତେଣୁ ପ୍ରଭୁଙ୍କ ଏହି ବେଶ ଦର୍ଶନ କରି ଭକ୍ତ ଭାବବିହ୍ବଳ ହୋଇ ପଡ଼ୁଥିଲେ। ନାଲ୍‌କୋ ସିଏମ୍‌ଡି ଡ.ତପନ କୁମାର ଚାନ୍ଦ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ସାଂସଦ ତଥା ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଡ. ସୁବାସ ପାଣି, ଜେଏସ୍‌ପିଏଲ୍‌ ଟ୍ରଷ୍ଟ୍‌ର ସଭାପତି ସାଲୁ ଜିନ୍ଦଲ, ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରୟ ଚାନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ବେଶ ପ୍ରଦର୍ଶନର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ରଘୁନାଥ ବେଶ ସମ୍ପର୍କିତ ଏକ ସ୍ବତନ୍ତ୍ର ପୁସ୍ତିକା ଉନ୍ମୋଚିତ ହୋଇଥିଲା। ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟର ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ରଘୁନାଥ ବେଶ ମହୋତ୍ସବ କମିଟିର ଉପାଧ୍ୟକ୍ଷ ନନ୍ଦକିଶୋର ଜେନା, ରାଧାବଲ୍ଲଭ ସିଂ, ଡ. ମାନସ ମଲ୍ଲିକ, ବିଶ୍ବନାଥ ସାମନ୍ତରା, ରବିନାରାୟଣ ମହାପାତ୍ର, କୃଷ୍ଣଚନ୍ଦ୍ର ରଥ, ଗୋବିନ୍ଦ ଘୋଷ, ଚାରଣ ଗୋବିନ୍ଦ ବେହେରା, ନିରଂଜନ ଦାଶ ପ୍ରମୁଖ ପରିଚାଳନା କରିଥିଲ। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହି ବେଶ ପ୍ରଦର୍ଶିତ ହେବ। ଏଥିସହ ପ୍ରତ୍ୟହ ଅପରାହ୍ଣ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଆଧ୍ୟାତ୍ମିକ ପୁସ୍ତକ ଓ ଶୁଖିଲା ଭୋଗ ବିକ୍ରୟ ହେବ।

ସମ୍ବନ୍ଧିତ ଖବର