ସମାନତା ପାଇଁ ସଂସ୍କୃତିରେ ବିଶ୍ୱାସ ଜରୁରୀ

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମ ମାସ ଭାଦ୍ରବ ପରିକ୍ରମା

ଭୁବନେଶ୍ୱର: ଜନ୍ମ ଦିନ ପାଳନ କରିବା ପରମ୍ପରା ସମସ୍ତଙ୍କ ଘରେ ଅଛି। ଗୁରୁଙ୍କ ଜନ୍ମଦିନ ପାଳନର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ମନରେ କୃତଜ୍ଞତା ସୃଷ୍ଟି କରିବା ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କୁ ଏକାଠି ନେଇ ଚାଲିବା। ରାଜଧାନୀ ହେଉଛି ଦାମୀ ଲୋକଙ୍କ ପେଣ୍ଠସ୍ଥଳୀ। ଏଠାରେ ସମସ୍ତେ ବ୍ୟସ୍ତ। ଏକାଠି ହୋଇ ରହିବାର ସମାର୍ଥ୍ୟ କାହା ପାଖରେ ଦେଖିବାକୁ ମିଳୁ ନାହିଁ। ସେଥିପାଇଁ ଶ୍ରଦ୍ଧାଳୁ ଆଜି ଯେଉଁ ଭଳି ଭାବେ ଏକାଠି ହୋଇଛନ୍ତି ଓ ଯେଉଁ ମାନସିକ ସାମୂହିକ ଭାବ ତିଆରି ହୋଇଛି ତାହା କିପରି ଆଗକୁ ସମ୍ପ୍ରସାରିତ ହେବ ତାହା ସମସ୍ତଙ୍କ ଲକ୍ଷ୍ୟ ହେବା ଦରକାର ବୋଲି କହିଛନ୍ତି ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ମାସ ଭାଦ୍ରବ ପରିକ୍ରମା କାର୍ଯ୍ୟକ୍ରମ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଆଜିକାଲି କାହାରି ମନରେ ସୁଖ ନାହିଁ। ସୁଖ ସବୁଠାରୁ ବଡ଼ ଆଶା ଓ ଅକାଂକ୍ଷା। ସୁଖକୁ ଖୋଜୁ ଖୋଜୁ ମଣିଷ ଭୁଲ ରାସ୍ତାରେ ପଳାଉଛି ଓ ଦୁଃଖ ପାଉଛି। ଗୋଟିଏ ଭୁଲ ବିଚାର ଆମକୁ ଦୁଃଖୀ କରିଦେଉଛି। ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳ ମନ୍ତ୍ର ହେଉଛି ସମାନତା। କିନ୍ତୁ ମୋ ପାଇଁ ସମାନତା କାହାର ମୂଳ ମନ୍ତ୍ର ନୁହେଁ। ସମାନତାର ମାନସିକତାକୁ ବଞ୍ଚାଇବାକୁ ହେଲେ ସମନ୍ଵୟ ରକ୍ଷା କରିବା ଉଚିତ। ଏହି ସମନ୍ଵୟକୁ ରକ୍ଷା କରିବା ପାଇଁ ସଂସ୍କୃତିରେ ବିଶ୍ୱାସ କରିବା ଜରୁରୀ। ଫଳରେ ସମାଜରେ ସମ୍ପୂର୍ଣ୍ଣ ସମାନତା ପ୍ରତିଷ୍ଠା ନ ହୋଇପାରିିଲେ ମଧ୍ୟ ସମନ୍ଵୟ ପ୍ରତିଷ୍ଠା ହୋଇ ପାରିବ। ସେ ଆହୁରି ମଧ୍ୟ କହିଥିଲେ ଯେ, ମଣିଷକୁ ପୁଞ୍ଜିବାଦୀ ବ୍ୟବସ୍ଥା ଅହଂକାରୀ କରିଦେଉଛି। ସାମାଜିକ ସଂସ୍କାର ଆମକୁ ଅହଂକାର କରି ଦେଇଛି। ଯାହା ଫଳରେ କାହାରି ମନରେ କୃତଜ୍ଞତା ଦେଖିବାକୁ ମିଳୁ ନାହିଁ। ସେଥିପାଇଁ ଆଜି ଶ୍ରୀ ଠାକୁରଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରତି କୃତଜ୍ଞ ରହିବା ବାହାନାରେ ନିଜ ଭିତରେ କୃତଜ୍ଞତାକୁ ଅନ୍ୟ ଏକ ଅଭ୍ୟାସରେ ପରିଣତ କରିବା, ଅହଂକାରକୁ ଛାଡ଼ିବା ଓ ସମସ୍ତଙ୍କ ପାଖରେ ସମନ୍ଵୟ ରକ୍ଷା କରିପାରିଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ମାନିତ ଅତିଥି ଭାବେ ଦେଓଘର ସତସଙ୍ଗର ସହ-ସମ୍ପାଦକ ଶିବାନନ୍ଦ ପ୍ରସାଦ ଶ୍ରୀ ଠାକୁରଙ୍କ ଭାଷା ବିଷୟରେ ଆଲୋକପାତ କରିଥିଲେ। ସେ କହିଲେ ଯେ, ପ୍ରେମ ହେଉଛି ମୂଳ ମନ୍ତ୍ର। ଯାହା ଦ୍ୱାରା ସମସ୍ତଙ୍କ ମନୋଭାବକୁ ଜିଣି ହେବ। ସେଥିପାଇଁ ତାଙ୍କର ନୀତିବାଣୀକୁ ପାଳନ କରି ସମସ୍ତଙ୍କୁ ପ୍ରେମ ଦେବା ଦରକାର। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ ସଂଧ୍ୟା ଓ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଆରମ୍ଭରେ ହରିହର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ଆୟକର ଡି.ଜି ନୃସିଂହ ପ୍ରସାଦ ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଓୟୁଏଟିର ପୂର୍ବତନ ଡିନ୍‌ ହୃଷିକେଶ ସେନାପତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର