ଶିଲା ମୃତ୍ୟୁ ମାମଲା: ଆମ୍ବୁଲାନ୍‌ସ ଚାଳକ ବିରୋଧରେ ମାମଲା

ଖଣ୍ତଗିରି: ଖଣ୍ତଗିରିବାରିରେ ରହୁଥିବା ବିଜୟଲକ୍ଷ୍ମୀ ଗୋଛାୟତ ଓରଫ୍ ଶିଲାଙ୍କ ରହସ୍ୟମୟ ମୃତ୍ୟୁ ମାମଲାକୁ ଗମ୍ଭୀରତାର ସହ ନେଇଛି କମିସନରେଟ୍ ପୁଲିସ। ପ୍ରାଥମିକ ତଦନ୍ତରୁ ଶିଲା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ଖଣ୍ତଗିରି ଥାନା ପୁଲିସ ଆମ୍ବୁଲାନ୍‌ସ ଡ୍ରାଇଭର ସେକ୍ ଅନଓ୍ବାର ଓରଫ କୁନା ବିରୋଧରେ ଏକ ଅପରାଧିକ ମାମଲା ରୁଜୁ କରିଛି। ଶିଲାଙ୍କୁ ଆତ୍ମହତ୍ୟା କରିବାକୁ କୁନା ପରୋକ୍ଷରେ ବାଧ୍ୟ କରିଥିବା ଅଭିଯୋଗରେ ପୁଲିସ ତା ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରିଛି। ଗୁରୁବାର ରାତି ପ୍ରାୟ ୯ଟାବେଳେ ଖଣ୍ତଗିରିବାରି ବସ୍ତି ଲୋକେ ଶିଲାଙ୍କ ମୃତଦେହ ଥିବା ଏକ ଘରୋଇ ଆମ୍ବୁଲାନ୍‌ସ(ଓଡି୦୨ଜେଡ୍–୩୨୫୯)କୁ ଜୟଦେବ ବାଟିକା ରାସ୍ତାକଡ଼ରୁ ସନ୍ଦେହଜନକ ଅବସ୍ଥାରେ ଦେଖି ଘେରାଉ କରିଥିଲେ। ଅମ୍ବୁଲାନ୍‌ସରେ କେବଳ ଡ୍ରାଇଭର କୁନାକୁ ଛାଡ଼ିଦେଲେ ଅନ୍ୟ କେହି ନଥିଲେ। ବସ୍ତି ଲୋକ ଶିଲାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ କରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ତେଣୁ ବସ୍ତି ବାସିନ୍ଦାମାନଙ୍କ ସନ୍ଦେହ ହୋଇଥିଲା ଓ ସେମାନେ କୁନାକୁ ଅଟକ ରଖି ଖଣ୍ତଗିରି ଥାନାକୁ ଖବର ଜଣାଇଥିଲେ। ଖବର ପାଇ ଶିଲାଙ୍କ ମା ମମତା ଗୋଛାୟତ ଫାୟାର୍ ଷ୍ଟେସନ୍ ବସ୍ତିରୁ ଆସି ସେଠାରେ ପହଞ୍ଚି ଥିଲେ। ପୁଲିସ ଶିଲାଙ୍କ ଭଡ଼ାଘରକୁ ଯାଇ ଛାନ୍‌ଭିନ୍‌ କରିଥିଲା। ଏଥିରୁ ଶିଲା ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। କିନ୍ତୁ ବସ୍ତିବାସିନ୍ଦା ଏ କଥାକୁ ସହଜରେ ଗ୍ରହଣ କରି ନଥିଲେ। ଶିଲାଙ୍କୁ ହତ୍ୟା କରିବା ପରେ ଆମ୍ବୁଲାନ୍‌ସରେ ମେଡିକାଲ ନେବା ବାହାନାରେ ଅନ୍ୟ କେଉଁଠି ଫିଙ୍ଗିବାକୁ ଷଡ଼ଯନ୍ତ୍ର କରିଥିଲା ବୋଲି ବସ୍ତିବାସିନ୍ଦାମାନେ ଅଭିଯୋଗ କରିଥିଲେ। ଉଲ୍ଲେଖନୀୟ ଯେ ଦୀର୍ଘ ବର୍ଷ ଧରି ସ୍ବାମୀଙ୍କଠାରୁ ଅଲଗା ରହୁଥିବା ଶିଲା ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ। ସେ ଖଣ୍ତଗିରିବାରିରେ ଭଡ଼ା ଘର ନେଇ ରହୁଥିଲେ। ଶିଲା ଯେଉଁ ହସ୍ପିଟାଲରେ କାମ କରୁଥିଲେ,ସେଠାରେ କୁନା ଆମ୍ବୁଲାନ୍‌ସ ଡ୍ରାଇଭର ଥିଲେ। ବସ୍ତିବାସିନ୍ଦାଙ୍କ ସୂଚନାନୁସାରେ କୁନା ବହୁ ସମୟରେ ଶିଲାଙ୍କ ଘରକୁ ଯିବା ଆସିବା କରେ।

ସମ୍ବନ୍ଧିତ ଖବର