ଭୁବନେଶ୍ୱର: ସ୍ୱଚ୍ଛ ଭାରତ ଅଭିଯାନକୁ ୩ ବର୍ଷ ପୂରିଲାଣି। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ସବୁ ରାଜ୍ୟ ଗ୍ରହଣ କରିନେଇଛନ୍ତି। ସ୍ୱଚ୍ଛତା ପାଇଁ ଗାଁରୁ ସହର ଯାଏଁ ଯୋଜନାର ପାହାଡ଼। ଶୌଚାଳୟ ପାଇଁ ଆଉ ଅର୍ଥର ଅଭାବ ରହୁନି। ଶୌଚାଳୟ ବି ନିର୍ମାଣ ହେଉଛି। କିନ୍ତୁ ଶୌଚାଳୟ ନିର୍ମାଣ କରିଦେଲେ ସ୍ୱଚ୍ଛତା ଆପେ ଆପେ ଆସିବ ନାହିଁ। ତାହାକୁ ନିୟମିତ ପରିଷ୍କାର ପରିଚ୍ଛନ ରଖିବାର ଆବଶ୍ୟକତା ରହିଛି। ସାରା ଦେଶରେ ସ୍ମାର୍ଟ ସିଟି ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରାଜଧାନୀ ଭୁବନେଶ୍ୱର ସ୍ୱଚ୍ଛତା ଅଭିଯାନକୁ ନିରେଖି ଦେଖିଲେ ଏହାର ଶୋଚନୀୟ ସ୍ଥିତି ବାରି ହୋଈ ପଡ଼ୁଛି। କିଛି ମୁଖ୍ୟ ରାସ୍ତା କଡ଼ରେ ଥିବା ଶୌଚାଳୟକୁ ବାଦ୍ ଦେଲେ ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ଶୌଚାଳୟର ଅବସ୍ଥା ନ କହିବା ଭଲ। ପାର୍କ, ହସ୍ପିଟାଲ୍, ବସ୍ଷ୍ଟାଣ୍ଡ୍, ପର୍ଯ୍ୟଟନସ୍ଥଳୀରେ ଶୌଚାଳୟଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସର୍ବନିମ୍ନ ଦାୟିତ୍ୱ ତୁଲାଉନାହାନ୍ତି କର୍ତ୍ତୃପକ୍ଷ। କେଉଁଠି ପାନଛେପରେ ଭର୍ତ୍ତି ହୋଇଯାଇଛି ଶୌଚାଳୟ ତ କେଉଁଠି ପାଣି ଆସୁନି। ଦୀର୍ଘ ଦିନ ଧରି ସେଗୁଡ଼ିକ ସଫା ହେଲା ପରି ଲାଗୁନି। ଫଳରେ ଲୋକମାନେ ଅତି ଜରୁରୀ ସମୟରେ ସେଠାକୁ ଯାଉଥିଲେ ବି ନାକରେ ହାତ ଦେଇ ଫେରିବାକୁ ବାଧ୍ୟ ହେଉଛନ୍ତି। କିଛି କାମରେ ଲାଗିପାରୁନି ଏହିସବୁ ଶୌଚାଳୟ।
Sambad is now on WhatsApp
Join and get latest news updates delivered to you via WhatsApp
ବାଣୀବିହାର ଷ୍ଟେସନ୍
ରାଜଧାନୀର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହେଲା ବାଣୀବିହାର ଷ୍ଟେସନ୍। ଏଠାରେ ବହୁ ଟ୍ରେନ୍ ସ୍ୱଳ୍ପ ରହଣି କଲେ ବି ପ୍ରତି ଦିନ ଶତାଧିକ ଯାତ୍ରୀ ଯା’ଆସ କରିଥା’ନ୍ତି। ଏଠି ଶୌଚାଳୟ ଅଛି ସତ, କିନ୍ତୁ ତାହାକୁ ଦେଖିଲେ କେହି ତାହା ଭିତରକୁ ଯିବାକୁ ଚାହିଁବେନି। ପାଣି ଆସୁନି କି ତାହାକୁ କେହି ସଫା କରୁ ନାହାନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ଏକପ୍ରକାର ଅଚଳ ହୋଇଯାଇଛି। ଏ ନେଇ ଯାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
କ୍ୟାପିଟାଲ ହସ୍ପିଟାଲ
ଭୁବନେଶ୍ୱରର ବଡ଼ ଡାକ୍ତରଖାନା ଭାବେ ପରିଚିତ କ୍ୟାପିଟାଲ ହସ୍ପିଟାଲ। ପ୍ରତିଦିନ ଏଠିକି ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ହେବା ପାଇଁ ଆସୁଛନ୍ତି। ଏଠାରେ ବିଭିନ୍ନ ବିଭାଗର ଅଲଗା ଅଲଗା ଶୌଚାଳୟ ଅଛି। କିନ୍ତୁ କିଛି ଶୌଚାଳୟ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । କ୍ୟାପିଟାଲ ହସ୍ପିଟାଲର ଆଶୁ ଚିକିତ୍ସା ବିଭାଗରେ ଥିବା ଶୌଚାଳୟକୁ ବ୍ୟବହାର କରିବା ବିପଦକୁ ଡାକି ଆଣିବା ସହିତ ସମାନ। ଏଠାରେ ଥିବା ପ୍ୟାନଗୁଡ଼ିକରେ ଆବର୍ଜନା ଭର୍ତ୍ତି ହୋଇରହିଛି। ଏଠି ଶୌଚ ପାଇଁ ଗଲେ ରୋଗକୁ ହାତ ଠାରି ଡାକିବା ସହ ସମାନ। ଚିକିତ୍ସାଳୟ ପରି ଏକ ସମ୍ବେଦନଶୀଳ ସ୍ଥାନରେ ଶୌଚାଳୟକୁ ପରିଷ୍କାର ରଖିବାର ସର୍ବନିମ୍ନ ଆବଶ୍ୟକତାକୁ କର୍ତ୍ତୃପକ୍ଷ କିପରି ଭୁଲିଯାଇଛନ୍ତି, ତାହା ରୋଗୀ ତଥା ସେମାନଙ୍କ ସମ୍ପର୍କୀୟମାନଙ୍କୁ ଆଶ୍ଚର୍ଯ୍ୟ କରିଛି।
ସିଆରପି ଛକ
ସିଆରପି ଛକ ଏକ ଜନଗଳିପୂର୍ଣ୍ଣ ଅଞ୍ଚଳ। ହଜାର ହଜାର ଲୋକଙ୍କ କାରବାର ସେଇଠି। ସକାଳୁ ରାତି ଯାଏଁ ଗହଳି। ଲୋକଙ୍କ ସୁବିଧା ପାଇଁ ଏଠାରେ ଦୁଇଟି ଶୌଚାଳୟ ଅଛି। ବର୍ତ୍ତମାନ ଏହାର ସ୍ଥିତି ଦେଖିଲେ ଲାଗୁଛି ଯେମିତି ମାସ ମାସ ଧରି ଏହା ସଫା ହୋଇ ନାହିଁ। ପାଣି ଟାଙ୍କି କାଚ ଓ ଶିଉଳିରେ ଭର୍ତ୍ତି। ପ୍ୟାନଗୁଡ଼ିକରୁ ଏମିତି ଦୁର୍ଗନ୍ଧ ବାହାରୁଛି ଯେ ତାହା ଭିତରକୁ ପଶିବା ସମ୍ଭବ ନୁହେଁ।
ବରମୁଣ୍ଡା ବସ୍ଷ୍ଟାଣ୍ଡ୍
ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ସ୍ଥାନ। ସାରା ରାଜ୍ୟରୁ ହଜାର ହଜାର ଲୋକ ଏଠାରେ ଓହ୍ଲାନ୍ତି ଓ ଏଠାରୁ ବିଭିନ୍ନ ସ୍ଥାନକୁ ଯାଆନ୍ତି। ଦିନରାତି ଏଠି ଗହଳି ଲାଗି ରହିଥାଏ। ଏଠାରେ ସଫାସୁତୁରା ଶୌଚାଳୟର ଅତି ଜରୁରୀ। କିନ୍ତୁ ଏ ଦିଗରେ କର୍ତ୍ତୃପକ୍ଷ ଆଦୌ ସଚେତନ ଥିଲା ପରି ମନେ ହେଉ ନାହିଁ। ପରିସ୍ରାଗାର ଅବସ୍ଥା ଅତି ଦୟନୀୟ। ଏକ ପ୍ରକାର ବ୍ୟବହାର ଅନୁପଯୁକ୍ତ ହୋଇ ପଡ଼ିରହିଛି।