ନୂଆ ଘର ପାଇଁ ସୌର ପ୍ୟାନେଲ୍‌ ବାଧ୍ୟତାମୂଳକ ହେବ!

ଭୁବନେଶ୍ବର: ଖୁବ୍‌ ଶୀଘ୍ର ଭୁବନେଶ୍ବର ଏବଂ ଏହା ଆଖପାଖ ଅଞ୍ଚଳରେ (ବିଡିଏ ଅଧୀନସ୍ଥ) ଘର ନିର୍ମାଣ କଲେ ସୌର ଶକ୍ତି ବ୍ୟବହାର କରିବାକୁ ହେବ। ଛାତ ଉପରେ କେତେ କିଲୋୱାଟ୍‌ର ସୋଲାର ପ୍ୟାନେଲ ଲଗାଇବେ ସେନେଇ ଆବେଦନ କରିବାକୁ ଥିବା ଘର ପ୍ଲାନ୍‌ରେ ଦର୍ଶାଇବାକୁ ପଡ଼ିବ। ସୌର ଶକ୍ତି ବ୍ୟବହାର କରିବା ନେଇ ପ୍ଲାନ୍‌ ଦେଇ ନଥିଲେ ଘର ପ୍ଲାନ୍‌ ଅନୁମୋଦନ ହେବନି। ଏଥିପାଇଁ ଖୁବ୍ ଶୀଘ୍ର ବିଡିଏର ବିଲ୍‌ଡିଂ ବାଇ ଲ’ରେ ଖୁବ୍ ଶୀଘ୍ର ସଂଶୋଧନ ଅଣାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜ୍ଞାନ ଓ ବୈଷୟିକ ଜ୍ଞାନ ଉପରେ ଓଡ଼ିଶା ଷ୍ଟେଟ୍ କାଉନସିଲ୍‌ର ଏକଜିକ୍ୟୁଟିଭ୍ କାଉନସିଲ୍‌ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ରାଜ୍ୟରେ ବିଦ୍ୟୁତ ଖର୍ଚ୍ଚ କମାଇବା ପାଇଁ ରାଜ୍ୟ ସରକାର ସୌରଶକ୍ତିର ଅଧିକ ବ୍ୟବହାର କରିବାକୁ ଚାହୁଁଛନ୍ତି। ତେଣୁ ସମସ୍ତ ସରକାରୀ ଓ ବେସରକାରୀ ଘରେ ସୌର ପ୍ୟାନେଲ୍‌ ବସାଇବାକୁ ନିଷ୍ପତ୍ତିି ହୋଇଛି। ନୂଆ କରି ଯେଉଁ ଘର/ଅଫିସ ନିର୍ମାଣ ହେଉଥିବ ତାହାର ବିଲ୍‌ଡିଂ ପ୍ଲାନ୍ ଅନୁମୋଦନ ସମୟରେ ସୌର ପ୍ୟାନେଲ୍‌ ଲଗାଇବା ବାଧ୍ୟତାମୂଳକ ରଖିବାକୁ କୁହାଯାଇଛି। ସାଧାରଣ ଲୋକ ଯେପରି ସୌର ପ୍ୟାନେଲ୍‌ ଲଗାଇବାକୁ ଆଗ୍ରହୀ ହେବେ ସେଥିପାଇଁ ଏକ କିଲୋୱାଟ୍‌ କ୍ଷମତା ବିଶିଷ୍ଟ ସୌର ପ୍ୟାନେଲ୍‌ ଲଗାଇଲେ ରାଜ୍ୟ ସରକାର ୧୦ହଜାର ଟଙ୍କା ସବ୍‌ସିଡ୍‌ ଦେବେ। ଏନେଇ ରାଜ୍ୟ ସରକାର ଖୁବ୍‌ ଶୀଘ୍ର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାର ନାମ କ’ଣ ରହିବ, କିପରି ହିତାଧିକାରୀଙ୍କୁ ସବ୍‌ସିଡ୍ ଅର୍ଥ ମିଳିବ ସେନେଇ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ନିଷ୍ପତ୍ତି ନେବ। ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଘରେ ସୌର ପ୍ୟାନେଲ୍‌ ଲାଗିଲେ ରାଜ୍ୟ ସରକାରଙ୍କୁ ସବ୍‌ସିଡ୍‌ ବାବଦକୁ କେତେ ଅର୍ଥ ଦେବାକୁ ପଡ଼ିବ, କିପରି ଏହା ଗ୍ରାହକଙ୍କ ମୁତାବକ ଯୋଗାଇ ହେବ ସେନେଇ ଡିପିଆର୍ ପ୍ରସ୍ତୁତ କରିବାକୁ ଖୁବ୍ ଶୀଘ୍ର ଏକ ଘରୋଇ ସଂସ୍ଥାକୁ ମୁତୟନ କରାଯିବ।

ଆଗ ସଚିବାଳୟକୁ ସୌର ଶକ୍ତି ସଂପନ୍ନ କରିବାକୁ ନିର୍ଦ୍ଦେଶ

ଏକ କିଲୋୱାଟ୍‌ ପିଛା ୧୦ ହଜାର ଟଙ୍କା ସବ୍‌ସିଡ୍ ମିଳିବ

ସଂଶୋଧନ ହେବ ବିଡିଏ ବିଲ୍‌ଡିଂ ବାଇ ଲ’

ଏହି ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ସୌର ପ୍ୟାନେଲ୍ ରାଜଧାନୀରେ ଅନ୍ୟ ସ୍ଥାନରେ ଲଗାଇବା ପୂର୍ବରୁ ପ୍ରଥମେ ସଚିବାଳୟକ ସୌର ଶକ୍ତି ଦ୍ବାରା ଚଳାଇବାକୁ ହେବ। ଏନେଇ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗକୁ କୁହାଯାଇଛି।
ସେହିପରି ସମସ୍ତ ଆବାସିକ ଘରେ ‌େସୗର ପ୍ୟାନେଲ୍ ଲଗାଇବାକୁ ବିଡିଏର ବିଲ୍‌ଡିଂ ବାଇ ଲ’ ସଂଶୋଧନ ନେଇ ଯେଉଁ ପ୍ରସ୍ତାବ ରହିଛି ‌େସନେଇ ବିଡିଏର ପ୍ଲାନିଂ ମେମ୍ବର ଜି.ଏସ୍‌ ଭୂୟାଁ କହିଛନ୍ତି ଯେ, ୨୦୧୮ରେ ସଂଶୋଧିତ ହୋଇଥିବା ବିଡିଏର ବିଲ୍‌ଡିଂ ବାଇ ଲ’ରେ ଉଚ୍ଚ ଅଟ୍ଟାଳିକାରେ ସୌର ପ୍ୟାନେଲ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଏପରିକି ସେମାନେ ବିଲ୍‌ଡିଂ ପ୍ଲାନ୍‌ରେ କେଉଁଠି କେତେ କିଲୋୱାଟ୍‌ର ସୌର ପ୍ୟାନେଲ୍‌ ଲଗାଇବେ ସେନେଇ ପ୍ଲାନ୍‌ରେ ଦର୍ଶାଇବାକୁ ନିୟମ ହୋଇଛି। ଏହା ବି ହେଉଛି। ଯଦି ରାଜ୍ୟ ସରକାର କହିବେ ତେବେ ବିଲ୍‌ଡିଂ ବାଇ ଲ’ରେ ସଂଶୋଧନ ହେବ।

ସମ୍ବନ୍ଧିତ ଖବର