ଶବ୍ଦ-୨୦୧୯: ବ୍ରହ୍ମଶକ୍ତି, ପ୍ରଣୟ ଦୀପିକା ଲୋକାର୍ପିତ

ଭୁବନେଶ୍ବର: ସଂଗୀତ, ଲୋକକଳା ଓ ସାରସ୍ବତ ଜଗତର ମିଳନର ଅବସର ଜମିଥିଲା ଓଡ଼ିଶୀ ‌ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ। ଗୋଟିଏ ପରିବାରର ସୃଜନ ପ୍ରତିଭାଙ୍କୁ ଏକାଠି ଗୋଟିଏ ମଞ୍ଚରେ ଜାଣିବାର ଓ ଶୁଣିବାର ସୁଯୋଗ ଦେଇଥିଲା କାର୍ଯ୍ୟକ୍ରମ ‘ଶବ୍ଦ-୨୦୧୯’। ଏହି ଅବସରରେ ମୋହନ ଚରଣ ପଟ୍ଟନାୟକଙ୍କ ଲିଖିତ ତଥା ବହୁ ବର୍ଷ ତଳୁ ସଂରକ୍ଷିତ ଥିବା ପାଣ୍ଡୁଲିପିକୁ ନେଇ ପ୍ରସ୍ତୁତ ପୁସ୍ତକ ‘ବ୍ରହ୍ମଶକ୍ତି’ ଏବଂ ‘ପ୍ରଣୟ ଦୀପିକା’ ଲୋକାର୍ପିତ ହୋଇଥିଲା। ଏଥିସହ ତାଙ୍କ କନ୍ୟା ସୁଜାତା ପଟ୍ଟନାୟକଙ୍କ ପ୍ରସ୍ତୁତ ଓଡ଼ିଆ ସଂଗୀତ ଆଲବମ ‘ପ୍ୟାସନ୍‌’ ଏବଂ କବି ସୁନନ୍ଦା ପଟ୍ଟନାୟକଙ୍କ ହିନ୍ଦୀ କବିତା ସଂଗ୍ରହ ପୁସ୍ତକ ‘ବସିୟତ’ ଅତିଥିମାନଙ୍କ ଦ୍ବାରା ଲୋକାର୍ପଣ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ କବି ତଥା ଚିନ୍ତାନାୟକ ‌ହରପ୍ରସାଦ ଦାସ, କଲ୍‌ଚରାଲ୍‌ ସେଣ୍ଟର ଅଫ୍ ବିଜୟୱାଡା ଆଣ୍ଡ୍‌ ଅମରାବତିର ଉପଦେଷ୍ଟା ପଦ୍ମଜା ଆୟଙ୍ଗାର ପାଡ୍ଡି, ସଂଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତି, ବିକାଶ ଦାସ, ଅଥର ପ୍ରେସ୍‌ ଇଣ୍ଡିଆର ସୁଦର୍ଶନ କଚେରି, ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଜୋବା ମୁର୍ମୁ, ପଶ୍ଚିମା ପ୍ରକାଶନୀର ପ୍ରକାଶକ ଅଶୋକ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁସ୍ତକ ଓ ସଂଗୀତ ଆଲବମ୍‌ ଲୋକାର୍ପଣ କରିଥିଲେ। ମୋହନ ଚରଣ ପଟ୍ଟନାୟକଙ୍କ ପାଣ୍ଡୁଲିପିକୁ ସଂରକ୍ଷିତ ରଖି ପ୍ରକାଶ କରିବାରେ ଅବଦାନ ପାଇଁ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ଲେଖକଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା। ପରେ ସମ୍ପୃକ୍ତ ପରିବାରର ଜଣାଶୁଣା ବାଦ୍ୟଶିଳ୍ପୀ ବରଦା ପ୍ରସନ୍ନ ପଟ୍ଟନାୟକ, ବଂଶୀବାଦକ ଅନ୍ନଦା ପ୍ରସନ୍ନ ପଟ୍ଟନାୟକ, କଣ୍ଠଶିଳ୍ପୀ ସୁଜାତା ପଟ୍ଟନାୟକ ଏବଂ ସଂଗୀତ ଶିଳ୍ପୀ ସତ୍ୟଜିତ ଓ ଅଦ୍ବୈତଙ୍କ ସଂଗୀତର କାର୍ଯ୍ୟକ୍ରମ ଶୁଣିବାର ଅବକାଶ ଜୁଟିଥିଲା। ଶେଷରେ ଚିନ୍ମୟୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର