ଯୋଜନାରେ ଅଟକିଛି କମ୍ପୋଷ୍ଟ ପ୍ଲାଣ୍ଟ୍‌

ମେଗା ଗୃହ ପ୍ରକଳ୍ପରେ ବି ନିୟମ ଲାଗୁ ହେଉନି

0 69

ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ ସହର ନ କରିବାକୁ ଯେପରି ବିଏମ୍‌ସି କର୍ତ୍ତୃପକ୍ଷ ଶପଥ ନେଇଛନ୍ତି। ସବୁ ସୁବିଧା ସୁଯୋଗ, ସରକାରୀ ଅନୁମୋଦନ, ଆବଶ୍ୟକୀୟ ଜମି ଓ ଅର୍ଥ ଥାଇ ବି ବିଏମ୍‌ସି କର୍ତ୍ତୃପକ୍ଷ ବର୍ଷେ ହେଲା କମ୍ପୋଷ୍ଟ ପ୍ଲାଣ୍ଟଟିଏ ନିର୍ମାଣ କରିପାରୁନାହାନ୍ତି। ସ୍ୱଚ୍ଛ ସର୍ବେକ୍ଷଣରେ ୨୪୫ତମ ସ୍ଥାନରେ ରହିବା ପରେ ସଫେଇ ଦେଉଛନ୍ତି କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନଥିବାରୁ ଆମର ମାର୍କ କଟିଗଲା। ଯେତେବେଳେ କି ସ୍ୱଚ୍ଛ ସର୍ବେକ୍ଷଣରେ ଭାଗ ନେଇଥିବା ସହରଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ସହରରେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନାହିଁ। ସେମାନେ କମ୍ପୋଷ୍ଟ ପ୍ଲାଣ୍ଟ ଏବଂ ଆବର୍ଜନା ପୃଥକୀକରଣ କରି ଭଲ ମାର୍କ ପାଇଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ କିନ୍ତୁ ଏତିକି କରିପାରୁନାହାନ୍ତି।

ରାଜଧାନୀର କଠିନ ବର୍ଜ୍ୟବସ୍ତୁ ବିଶୋଧନ କରିବା ପାଇଁ ଭୁଆସୁଣୀରେ ପ୍ଲାଣ୍ଟ୍‌ ହେବ ହେବ ବୋଲି ୮ବର୍ଷ ବିତିଗଲାଣି। କିନ୍ତୁ ଇଟା ଖଣ୍ଡେ ପଡ଼ିପାରିଲାନି। ପରିବେଶ ମନ୍ତ୍ରଣାଳୟ ଏବଂ ଏନ୍‌ଜିଟିର କୋଲକାତା ବେଞ୍ଚ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଥିବାବେଳେ କିପରି ଏହି ମାମଲାର ଶୁଣାଣି ଶୀଘ୍ର ହେବ ସେନେଇ ବିଏମ୍‌ସି କର୍ତ୍ତୃପକ୍ଷ ବି ପଦକ୍ଷେପ ନେଉନାହାନ୍ତି। ବର୍ଜ୍ୟବସ୍ତୁ ବିଶୋଧନ ହୋଇପାରୁନଥିବାରୁ ଭୁଆସୁଣୀରେ ପାହାଡ଼ ଉଚ୍ଚରେ ଆବର୍ଜନା ଗଦା ହେବାରେ ଲାଗିଛି। ଏପଟେ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱର କମ୍‌ ମାର୍କ ରଖିଥିବାରୁ ବିଏମ୍‌ସିକୁ ସବୁ ଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ୁଥିବାରୁ କର୍ତ୍ତୃପକ୍ଷ ସଫେଇ ଦେଉଛନ୍ତି ଯେ, କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନଥିବାରୁ ଆମର ମାର୍କ କମିଗଲା। ରାଜଧାନୀରେ କଠିନ ବର୍ଜ୍ୟବସ୍ତୁ ବିଶୋଧନ ପ୍ଲାଣ୍ଟ ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ଦୁଇ ବର୍ଷ ତଳେ ବିଏମ୍‌ସି ଏକ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ଯୋଜନା କରିଥିଲା। ରାଜଧାନୀରେ ଦୈନିକ ହାରାହାରି ୫୦୦ଟନ୍‌ ଆବର୍ଜନା ବାହାରୁଥିବାବେଳେ ଏଥିରୁ ପ୍ରାୟ ୨୦୦ଟନ୍‌ ଆବର୍ଜନା ଜୈବ। ଯାହା କମ୍ପୋଷ୍ଟ ପ୍ଲାଣ୍ଟ୍‌କୁ ଗଲେ ଖତରେ ପରିଣତ ହୋଇପାରିିବ। ତେଣୁ ଗାଡ଼କଣରେ ସ୍ୱତନ୍ତ୍ର ଭାବେ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ହେବ ବୋଲି ନିଷ୍ପତ୍ତି ହେଲା। ଏଠାରେ ରାଜଧାନୀର ଅଳିଆ ଆସି ଗଦା ହେଉଥିବାରୁ ଏହା ଉପଯୁକ୍ତ ସ୍ଥାନ ହେବ ବୋଲି କୁହାଗଲା। ବିଏମ୍‌ସିର ପ୍ରସ୍ତାବକୁ ନଗର ଉନ୍ନୟନ ବିଭାଗ ଅନୁମୋଦନ କରିବା ସହ ଏଥିପାଇଁ ଆବଶ୍ୟକ ୧.୫୨କୋଟି ଟଙ୍କା ଓୟୁଆଇଡିଏଫ୍‌ ପାଣ୍ଠିରୁ ୁ ମଞ୍ଜୁର କରିଥିଲା। ଟଙ୍କା ବର୍ଷେ ହେଲା ମିଳିଲାଣି କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ କମ୍ପୋଷ୍ଟ ପ୍ଲାଣ୍ଟ ପାଇଁ ଡିପିଆର୍‌ ପ୍ରସ୍ତୁତ କରିପାରୁନାହାନ୍ତିି କି କେବେ ଏହି ପ୍ଲାଣ୍ଟ ନିର୍ମାଣ ହେବ ସେନେଇ କିଛି ନିଷ୍ପତ୍ତି ନେଇପାରୁନାହାନ୍ତି। ଯାହା ସ୍ୱଚ୍ଛ ସର୍ବେକ୍ଷଣ-୨୦୧୮ରେ ଭୁବନେଶ୍ୱର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ବର୍ଷକ ତଳୁ ନଗର ଉନ୍ନୟନ ବିଭାଗ ୧.୫୨କୋଟି ଦେଇଛି
ପରିବା ମାର୍କେଟରେ ମିନି କମ୍ପୋଷ୍ଟ ପ୍ଲାଣ୍ଟ ହୋଇପାରିଲାନି

ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ କରିବା ପାଇଁ ବିଭିନ୍ନ ସ୍ଥାନରେ ଦୁଇ ପ୍ରକାରର ଡଷ୍ଟବିନ୍‌ (ସବୁଜ ଓ ନୀଳ ରଙ୍ଗର) ଲଗାଇବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଥିଲା। ଏପରିକି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସେମାନଙ୍କ ନିଜ ଖର୍ଚ୍ଚରେ ଏହାକୁ ଲଗାଇବାକୁ କୁହାଯାଇଛି। କିନ୍ତୁ ଏହା କାର୍ଯ୍ୟକାରୀ ହେଉନି। ଏହାବାଦ୍‌ ସମସ୍ତ ପରିବା ମାର୍କେଟରୁ ବାହାରୁଥିବା ଆବର୍ଜନାକୁ କମ୍ପୋଷ୍ଟ ପ୍ଲାଣ୍ଟରେ ପକାଇବା ପାଇଁ ହୋଇଥିବା ଯୋଜନା ଆଲୋଚନାରେ ରହିଯାଇଛି। ପରିବା ମାର୍କେଟରେ ମିନି କମ୍ପୋଷ୍ଟ ପ୍ଲାଣ୍ଟ କରିବାକୁ ଯୋଜନା ହୋଇଥିବାବେଳେ ଏହା ମଧ୍ୟ ଫାଇଲ୍‌ରେ ଅଟକିଛି। ପରିବା ହାଟ/ମାର୍କେଟଗୁଡ଼ିକରୁ ଠିକ୍‌ ଭାବେ ଆବର୍ଜନା ଉଠୁ ନଥିବାରୁ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ସେହିପରି ବିଏମ୍‌ସି ଓ ବିଡିଏ ଅଧୀନରେ ଥିବା ଅଞ୍ଚଳରେ ଏକ ଏକରରୁ ଅଧିକ ଜମିରେ ଆପାର୍ଟମେଣ୍ଟ, ମେଗା ଗୃହ ପ୍ରକଳ୍ପ କିମ୍ବା ଅନ୍ୟାନ୍ୟ ପ୍ରକଳ୍ପ କଲେ ସେଠାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ ନିୟମ କରାଯାଇଛି। କିନ୍ତୁ ଏହାକୁ କଡ଼ାକଡ଼ି ଲାଗୁ କରାଯାଉନି।

ନିୟମ ଅନୁଯାୟୀ, ଯେଉଁଠାରେ ୧୦୦କେଜିରୁ ଅଧିକ କଠିନ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି ସେଠାରେ ଦୁଇ ପ୍ରକାରର ଡଷ୍ଟବିନ୍‌ ଲାଗିବ। ଗୋଟିଏ ଡଷ୍ଟବିନ୍‌ରେ ପ୍ଲାଷ୍ଟିକ, ପଲିଥିନ୍‌ ଏବଂ ଅନ୍ୟାନ୍ୟ କଠିନ ବର୍ଜ୍ୟବସ୍ତୁ ପକାଇବେ। ଅନ୍ୟ ଡଷ୍ଟବିନ୍‌ରେ ପରିବା ଚୋପା, ଖାଦ୍ୟ ସମାଗ୍ରୀ ଭଳି ବିଭିନ୍ନ ଜୈବ ବର୍ଜ୍ୟ ସାମଗ୍ରୀ ପକାଇବେ। ଆଉ ଏହି ଜୈବ ବର୍ଜ୍ୟକୁ ପରିଚାଳନା କରିବା ପାଇଁ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବେ। ତିନି ମାସ ମଧ୍ୟରେ ଏହି ଜୈବ ବର୍ଜ୍ୟରୁ ଖତ ପ୍ରସ୍ତୁତ ହୋଇପାରିବ। ଏଥିରୁ ବାହାରିବାକୁ ଥିବା ଖତକୁ ଉକ୍ତ ସଂସ୍ଥା କିମ୍ବା ଆପାର୍ଟମେଣ୍ଟର ସୋସାଇଟି ସେମାନଙ୍କ ବଗିଚାରେ ବ୍ୟବହାର କରିପାରିବେ କିମ୍ବା ଏହାକୁ ବିକ୍ରି କରିପାରିବେ। କିନ୍ତୁ ବିଏମ୍‌ସିର ତାଗିଦ୍‌ ଏବଂ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାର ପାରଙ୍ଗମତା ସମସ୍ତଙ୍କୁ ନିୟମ ଫାଙ୍କିବାକୁ ଗଳାବାଟ ଖୋଲି ଦେଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.